Latest Odisha News

ଅପରେଶନ ହ୍ଵାଇଟ୍ ସ୍ପାଇଡର୍: ଗୋଟିଏ ମାସରେ ଜବତ ହୋଇଛି କେବଳ ୧୪୪ ଗ୍ରାମରୁ ଅଧିକ ଧଳା ଜହର

ଭୁବନେଶ୍ଵର: ରାଜ୍ୟରେ ବିଭିନ୍ନ ନିଶା ଦ୍ରବ୍ୟର ବିକ୍ରୟ ଓ ସେବନକୁ ପ୍ରତିହତ କରିବା ନିମନ୍ତେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କମିଶନରେଟ ପୋଲିସ । ସେଥିପାଇଁ ଗତ ୨୦୨୧ ମସିହା ଅଗଷ୍ଟ ମାସରେ ଗଠିତ ହୋଇଛି ଅପରେସନ ହ୍ଵାଇଟ ସ୍ପାଇଡର ।

ତେବେ ଏହି ଅପରେସନ ହ୍ଵାଇଟ ସ୍ପାଇଡର ମାଧ୍ୟମରେ ଚଳିତ ବର୍ଷ ଜାନୁୟାରୀ ମାସରେ ୬ ଗୋଟି ବେଆଇନ ବ୍ରାଉନସୁଗାର କାରବାରଜନିତ ମାମଲାରେ ମୋଟ ୧୩ ଜଣ ନିଶା ବେପାରୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ସେମାନଙ୍କ ନିକଟରୁ ୧୪୪ ଗ୍ରାମ ୩୮୦ ମିଲିଗ୍ରାମ ଓଜନର ବ୍ରାଉନ ସୁଗାର, ୭୮୨୦ ଟଙ୍କା, ୫ଟି ଦୁଇଚକିଆ ଯାନ ଏବଂ ୩ଟି ମୋବାଇଲ ଫୋନ ଜବତ କରାଯାଇଛି ।

ସେହିପରି ଜାନୁୟାରୀ ମାସରେ ୬ ଗୋଟି ବେଆଇନ ଗଞ୍ଜେଇ ବିକ୍ରି ଜନିତ ମାମଲା ରୁଜୁ କରାଯାଇ ମୋଟ ୧୧  ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ୫୨ କିଲୋଗ୍ରାମ ୮୦୦ ଗ୍ରାମ ଓଜନର ଗଞ୍ଜେଇ, ୭୯୫୦ ଟଙ୍କା, ଗୋଟିଏ ତିନି ଚକିଆ ଯାନ ଏବଂ ୫ଟି  ମୋବାଇଲ ଫୋନ ଜବତ କରାଯାଇଥିଲା ।

ଅନ୍ୟପଟେ ଗତ ମାସରେ ନାୟାପଲ୍ଲୀ ଥାନାର ଏକ ସ୍ପେଶାଲ ଟିମ ଅତର୍କିତ ଚଢଉ କରି ବେଆଇନ ଭାବେ କଫ ଶିରଫ ଚାଲାଣ କରିବା ଅଭିଯୋଗରେ ଦୁଇଜଣ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିବା ବେଳେ ସେମାନଙ୍କ ନିକଟରୁ ମୋଟ ୧୬୮ ଲିଟର କଫ ଶିରପ ଜବତ କରିଥିଲେ ।

ଅପରେଶନ୍ ହ୍ଵାଇଟ୍ ସ୍ପାଇଡର୍ ମାମଲାରେ ଗତମାସରେ ମୋଟ ୧୩ ମାମଲାରେ ୨୬ଜଣଙ୍କୁ ଗିରଫ କରାଯାଇଛି । ତେବେ ଜନସାଧାରଣମାନେ ମଧ୍ୟ ଏହି ବେଆଇନ ନିଶା କାରବାର ବିଷୟରେ କୌଣସି ସୂଚନା ପାଇଲେ ତୁରନ୍ତ ସୂଚନା ଦେବାକୁ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ତରଫରୁ ଏକ ହ୍ଵାଟସ୍ଆପ ନମ୍ବର- ୭୦୭୭୭୯୮୧୧୧ ଜାରି କରାଯାଇଛି ।

 

 

 

Leave A Reply

Your email address will not be published.