Latest Odisha News

BREAKING NEWS

ଓପିନିଅନ ପୋଲ୍: ଓଡ଼ିଶାରେ ବୃଦ୍ଧି ପାଉଛି ବିଜେଡ଼ିର ଶକ୍ତି

ଭୁବନେଶ୍ୱର: ଆଗାମୀ ନିର୍ବାଚନରେ ଶାସକ ବିଜେଡ଼ି ଦଳ ପ୍ରତି ସେମିତି କିଛି ବିଶେଷ ପ୍ରତିବନ୍ଧକ ନାହିଁ । ବିଜୁ ଜନତା ଦଳ ଆଗାମୀ ନିର୍ବାଚନରେ ସୁରୁଖୁରୁରେ ନିର୍ବାଚନ ବୈତରଣୀ ପାର ହେବାକୁ ବିଜେପିର ଅଭ୍ୟୁଦୟ ନେଇ ଯେଉଁ ଆଶଙ୍କା ସୃଷ୍ଟି ହୋଇଥିଲା ତାହା ପ୍ରକୃତରେ ନାହିଁ । ଆଗାମୀ ନିର୍ବାଚନକୁ ସହଜରେ ଶାସକ ବିଜେଡ଼ି ଜିତିପାରିବା ନେଇ ସିଏନଏକ୍ସ ପକ୍ଷରୁ ହୋଇଥିବା ଏକ ଓପିନିଅନ ପୋଲ୍ ଇଣ୍ଡିଆ ଟିଭି ଶୋ’ରେ ପ୍ରଦର୍ଶିତ ହେଲା ପରେ ଜଣାପଡ଼ିଛି ।

ଗତ ୨୦୧୪ ସାଧାରଣ ନିର୍ବାଚନରେ ଦେଶବ୍ୟାପୀ ନରେନ୍ଦ୍ର ମୋଦିଙ୍କର ହାୱାକୁ ପ୍ରତିହତ କରି ବିଜୁ ଜନତା ଦଳ ଓଡ଼ିଶାରେ ଯେପରି ଅଦ୍ଭୁତପୂର୍ବ ସଫଳତା ହାସଲ କରିପାରିଥିଲା ଏବେ ୨୦୧୯ ନିର୍ବାଚନରେ ମଧ୍ୟ ଦଳ ବିଜୟ ହାସଲ କରିପାରିବ ବୋଲି ସିଏନଏକ୍ସ ପକ୍ଷରୁ ହୋଇଥିବା ଏହି ସର୍ଭେରୁ ଜଣାପଡ଼ିଛି ।

ଆସନ୍ତା ସାଧାରଣ ନିର୍ବାଚନରେ ଓଡ଼ିଶାରେ ୨୧ଟି ଲୋକସଭା ସିଟରୁ ବିଜେଡ଼ି ଏକାକୀ ୧୬ଟି ସିଟରେ ବିଜୟ ହାସଲ କରିବ ଏବଂ ବଳକା ୫ଟି ସିଟ ବିଜେପି ଅକ୍ତିଆର କରିବ । ଆହୁରି ମଧ୍ୟ ଏହି ସର୍ଭେରେ କୁହାଯାଇଛି ଯେ, ଓଡ଼ିଶାରେ କଂଗ୍ରେସ ଏହି ନିର୍ବାଚନରେ ଖାତା ଖୋଲିପାରିବ ନାହିଁ ।

ତେବେ ଯାହାବିହେଉ, ଓଡ଼ିଶାର ଏହି ଆଞ୍ଚଳିକ ଦଳର ୨୦୧୪ ତୁଳନାରେ ୨୦୧୯ ନିର୍ବାଚନରେ ଭୋଟ ହାର କିଛିମାତ୍ରାରେ ହ୍ରାସ ପାଇବ । ୨୦୧୪ ନିର୍ବାଚନରେ ବିଜେଡ଼ିର ଭୋଟ ହାର ୪୪.୭୭% ରହିଥିବା ବେଳେ ୨୦୧୯ରେ ଏହା ୪୪% କୁ ସାମାନ୍ୟ ଖସିଆସିବ । ୨୦୧୪ରେ ୨୨% ଭୋଟ ହାର ରହିଥିବା ବେଳେ ଏହି ନିର୍ବାଚନରେ ବିଜେପି ୨୯% ଭୋଟ ହାସଲ କରିପାରିବାର ସମ୍ଭାବନା ରହିଛି । କଂଗ୍ରେସ ଏହି ନିର୍ବାଚନରେ ୨୧.୬୭% ହାରରେ ଭୋଟ ପାଇବାର ସମ୍ଭାବନା ରହିଥିଲେ ମଧ୍ୟ ଗୋଟିଏ ବି ସିଟ ହାସଲ କରିପାରିବ ନାହିଁ ବୋଲି ଏହି ସର୍ଭେ ଉଲ୍ଲେଖ କରିଛି ।

ଗତ ୨୦୧୪ ସାଧାରଣ ନିର୍ବାଚନରେ ବିଜେଡ଼ିକୁ ୨୦ଟି ଆସନ ମିଳିଥିଲା । ବାକି ଗୋଟିଏ ଆସନ ବିଜେପି ହାତକୁ ଯାଇଥିଲା । ଏପରିକି ଗତ ନିର୍ବାଚନରେ ମଧ୍ୟ କଂଗ୍ରେସ ଗୋଟିଏ ଆସନ ଜିତି ପାରିନଥିଲା ।

Leave A Reply

Your email address will not be published.