Latest Odisha News

‘ଅଫିସର ରାଜ’ ପ୍ରସଙ୍ଗରେ ବିଧାନସଭା ହୁଲୁସ୍ତୁଲ, ବିରୋଧୀ ଦେଖାଇଲେ ମନ୍ତ୍ରୀ ରୀତା ସାହୁ ଓ ନିରଞ୍ଜନଙ୍କ ଫଟୋ

ଭୁବନେଶ୍ୱର: ଓଡ଼ିଶାରେ ‘ଅଫିସର ରାଜ୍’ ଚାଲିଛି ବୋଲି ଅଭିଯୋଗ କରି ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକମାନେ ଶନିବାର ବିଧାନସଭାରେ ପ୍ରବଳ ହଟ୍ଟଗୋଳ କରିଥିଲେ। ଫଳରେ ଗୃହରେ ଦିନସାରା ବିଭିନ୍ନ ମୁଲତବୀ ଆଲୋଚନା ହୋଇଥିଲା। ଗୃହ କାର୍ଯ୍ୟ ଆରମ୍ଭ ହେବାର କିଛି ସମୟ ପରେ ବିଧାୟକଙ୍କ ସହ କୋଇଡା ବିଡିଓଙ୍କ ଅଶୋଭନୀୟ ବ୍ୟବହାରକୁ ନେଇ ବିରୋଧୀମାନେ ସରକାରଙ୍କ ବିରୋଧରେ ନାରାବାଜି ଆରମ୍ଭ କରିଦେଇଥିଲେ।

ପ୍ରଶ୍ନକାଳରେ ସିପିଆଇ-ଏମ୍ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଏହି ପ୍ରସଙ୍ଗ ଉଠାଇ ଗୃହର ମଧ୍ୟଭାଗକୁ ଆସିଥିଲେ। ବିଜେପି ଓ କଂଗ୍ରେସ ବିଧାୟକମାନେ ତାଙ୍କୁ ସମର୍ଥନ କରିଥିଲେ। ପରେ ବିଧାନସଭା ଠିକ୍ ଭାବେ ଚାଲିପାରିନଥିଲା।

ଏପରିକି ଏହି ଅଭିଯୋଗର ତଦନ୍ତ ପାଇଁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ। ହେଲେ ବିଡିଓଙ୍କର ଶାସକ ଦଳର ନେତାଙ୍କ ସହ ଭଲ ସଂପର୍କ ଅଛି ବୋଲି ସିପିଆଇ-ଏମ୍ ନେତା କହିଛନ୍ତି। ୨୪ ଘଣ୍ଟା ମଧ୍ୟରେ ବିଡିଓଙ୍କୁ ବଦଳି କରିବାକୁ ସେ ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି। ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ବାଚସ୍ପତି ଗୃହକୁ ପୂର୍ବାହ୍ନ ୧୧.୩୦ ଯାଏ ପ୍ରଥମେ ମୁଲତବୀ ରଖିବାକୁ ବାଧ୍ୟ ହୋଇଥିଲେ।

ଯେତେବେଳେ ଶୂନ୍ୟକାଳ ପାଇଁ ପୁଣି ଥରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ମନ୍ତ୍ରୀ ରୀତା ସାହୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଅନୁଦାନ ଆକାରରେ ଚେକ୍ ଦେବାକୁ ମୁଖ୍ୟ ଶାସନ ସଚିବଙ୍କୁ ଭେଟିଥିଲେ। ଯାହା ଗଣତାନ୍ତ୍ରିକ ଭାବନାର ପରିପନ୍ଥୀ। ମନ୍ତ୍ରୀମାନେ ସରକାରଙ୍କର ଅଂଶବିଶେଷ। କିନ୍ତୁ ଏ ସରକାରରେ ମନ୍ତ୍ରୀଙ୍କ ସମ୍ମାନ ନାହିଁ। ଅଧିକାରୀମାନେ ସରକାରଙ୍କ ପାଖକୁ ଯିବେ ନା ସରକାର ଅଧିକାରୀଙ୍କ ପାଖକୁ ଯିବେ ବୋଲି ପ୍ରଶ୍ନ କରିଛନ୍ତି।

ଓଡିଶାକୁ ବ୍ୟୁରୋକ୍ରାଟମାନେ ଚଳାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ଏହି କଙ୍ଗ୍ରେସ ନେତା। ଦିନ ଦ୍ୱିପ୍ରହରରେ ଗଣତନ୍ତ୍ରକୁ ଅସମ୍ମାନ କରାଯାଉଛି। ମନ୍ତ୍ରୀ ସାହୁ ଗୃହରେ କ୍ଷମା ମାଗନ୍ତୁ ବୋଲି ନରସିଂହ ମିଶ୍ର ଦାବି କରିବା ସହ ମୁଖ୍ୟ ଶାସନ ସଚିବ ଏହି ଘଟଣାରେ ଦୁଃଖ ପ୍ରକାଶ କରନ୍ତୁ ବୋଲି ନରସିଂହ ମିଶ୍ର ଦାବି କରିଛନ୍ତି।

ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ତୁରନ୍ତ ପ୍ରତିକ୍ରିୟା ପ୍ରକାଶ କରି ମନ୍ତ୍ରୀମାନଙ୍କ ସପକ୍ଷରେ ଯୁକ୍ତି ବାଢି ଏହା ଏକ ଛୋଟିଆ ଘଟଣା ଅନ୍ୟ ମନ୍ତ୍ରୀଙ୍କ ଉପରେ ପ୍ରମାଣ ଦେଖାନ୍ତୁ ବୋଲି ସେ ବିରୋଧୀଙ୍କୁ ଚ୍ୟାଲେଞ୍ଜ କରିଥିଲେ। ମନ୍ତ୍ରୀମାନଙ୍କ କ୍ଷମତାକୁ ଛୋଟ କରି ଦେଖାଇବା ପାଇଁ ବିରୋଧୀ ଏପରି ଅଭିଯୋଗ କରୁଛନ୍ତି ବୋଲି ମଧ୍ୟ ପୂଜାରୀ କହିଛନ୍ତି।

ବିରୋଧୀ ଓ ଟ୍ରେଜେରୀ ବେଞ୍ଚ ସଦସ୍ୟଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିବା ପରେ ବାଚସ୍ପତି ଗୃହକୁ ୧୫ ମିନିଟ୍ ପାଇଁ ମୁଲତବୀ ଘୋଷଣା କରିଥିଲେ। ପରେ ପୁଣି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିଜେପି ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନଙ୍କ ସମ୍ମୁଖରେ ନିରଞ୍ଜନ ପୂଜାରୀ ହାତ ଯୋଡି ଠିଆ ହୋଇଥିବାର ଫଟୋ ଦେଖାଇ ହଟ୍ଟଗୋଳ କରିଥିଲେ। ଏହି ଫଟୋରେ ମୁଖ୍ୟମନ୍ତ୍ରୀ ମଧ୍ୟ ଏକ ଚେୟାରରେ ବସିଥିବା ଦେଖିବାକୁ ମିଳିଛି।

ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକମାନେ ପୁଣି ଗୃହରେ ହୋହଲ୍ଲା ସୃଷ୍ଟି କରି ବାଚସ୍ପତି ଆରୁଖଙ୍କୁ ଅପରାହ୍ନ ୪ଟାଯାଏ ମୁଲତବୀ ରଖିବାକୁ ବାଧ୍ୟ କରିଥିଲେ। ମନ୍ତ୍ରୀ ଏହି ଚେକ୍ ସିଏମଓକୁ ଦେଇଥାନ୍ତେ କିମ୍ବା ସେ ଏଥିପାଇଁ ମୁଖ୍ୟ ଶାସନ ସଚିବଙ୍କୁ ତାଙ୍କ ଚାମ୍ବରକୁ ନିମନ୍ତ୍ରଣ କରିଥାନ୍ତେ ବୋଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଗୃହ ବାହାରେ ଗଣମାଧ୍ୟମକୁ କହିଛନ୍ତି।

ନିକଟରେ ହୋଇଥିବା ‘ଡ୍ରାଇଭର ଧର୍ମଘଟ’କୁ ନେଇ ପରିବହନ ମନ୍ତ୍ରୀଙ୍କୁ ଗୃହରେ ବିବୃତି ରଖିବାକୁ କୁହାଯାଇଥିଲେ ମଧ୍ୟ ପରିବହନ ମନ୍ତ୍ରୀ, ସଚିବ ଓ କମିଶନରଙ୍କ ଅନୁପସ୍ଥିତିରେ ମୁଖ୍ୟ ଶାସନ ସଚିବ ଡ୍ରାଇଭରଙ୍କ ସହ ବୈଠକ କରିଥିଲେ। ପରେ ନିରଞ୍ଜନ ପୂଜାରୀ କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ପଛରେ ଠିଆ ହୋଇଥିବା ବ୍ୟକ୍ତିଗତ ସଚିବଙ୍କୁ ନୁହେଁ ବରଂ ହାତ ଯୋଡି ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଉଛନ୍ତି।

Leave A Reply

Your email address will not be published.