Latest Odisha News

BREAKING NEWS

ତେଜୁଛି ଓକିଲ ଆନ୍ଦୋଳନ: ଆଇନଜୀବୀଙ୍କ ଆନ୍ଦୋଳନ ନେଇ ରାଜ୍ୟ ସରକାରଙ୍କୁ ବିରୋଧି ଦଳଙ୍କ ସମାଲୋଚନା

କଟକ: ଦୀର୍ଘ ୨ମାସ ଧରି ଚାଲିଥିବା ଆଇନଜୀବୀଙ୍କ ଆନ୍ଦୋଳନ ଦିନକୁ ଦିନ ତୀବ୍ର ରୂପେ ଧାରଣ କରିବାରେ ଲାଗିଛି । ଲଗାତର ଅନେକ ଦିନ ଚାଲିଥିବା ଆନ୍ଦୋଳନରେ ହାଇକୋର୍ଟ ଓକିଲମାନେ ଉତ୍ତେଜିତ ଅବସ୍ଥାରେ ରହିବା ଯୋଗୁଁ ହାକକୋର୍ଟ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି ହେଉଛି, ଏହାସହିତ ଏଯାଏଁ ଏହି ସମସ୍ୟାର ସମାଧାନର ସୂତ୍ର ଏପର୍ଯ୍ୟନ୍ତ ବାହାରି ନପାରିଥିବାରୁ ରାଜ୍ୟ ସରକାରଙ୍କୁ ବିରୋଧି କଂଗ୍ରେସ ଓ ବିଜେପି ସମାଲୋଚନା କରିଛନ୍ତି ।

 

“ପୋଲିସ ଆକ୍ରମଣ କରିଥିବା ଅଭିଯୋଗରେ ରାଜ୍ୟବ୍ୟାପୀ ଓକିଲମାନେ ଗତ ୨ମାସ ହେଲା ଆନ୍ଦୋଳନ ଚଳାଇଛନ୍ତି । କୋର୍ଟରେ ଓକିଲମାନଙ୍କ କାର୍ଯ୍ୟବନ୍ଦ ଡ଼ାକରା ଯୋଗୁଁ କୋର୍ଟଗୁଡ଼ିକରେ କାର୍ଯ୍ୟ ହୋଇପାରୁନାହିଁ ଏବଂ ଅଦାଲତ କାର୍ଯ୍ୟ ନହୋଇପାରିବା ଯୋଗୁଁ ଜେଲଗୁଡ଼ିକରେ ବିଚାରାଧିନ କଏଦୀଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଉପୁଜିଥିବା ଏହି ସମସ୍ୟାର ସମାଧାନର ସୂତ୍ର ନଖୋଜି ବରଂ ଓଡ଼ିଶା ସରକାର ବିଜେଡ଼ି ଆଇନଜୀବୀ ମୋର୍ଚ୍ଚା ମାଧ୍ୟମରେ ଆଇନଜୀବୀଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରିବାକୁ ଚେଷ୍ଟା କରିବା ସହିତ ପରିସ୍ଥିତିକୁ ଜଟିଳ କରିଦେଉଛନ୍ତି”, ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତିି ନିରଞ୍ଜନ ପଟ୍ଟନାୟକ ସୋମବାର ଦିନ ଏକ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି ।

ସେ ଗଣମାଧ୍ୟମରେ ପ୍ରକାଶ କରିଥିବା ତାଙ୍କର ବିଜ୍ଞପ୍ତି ମାଧ୍ୟମରେ କହିଛନ୍ତି, ଗଣତାନ୍ତ୍ରୀକ ବ୍ୟବସ୍ଥାରେ ପୋଲିସ ଏବଂ ଆଇନଜୀବୀଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ, ତେଣୁକରି ସେମାନଙ୍କ ସମସ୍ୟା ଓ ଅସୁବିଧାର ସମାଧାନକୁ ପ୍ରାଥମିକତା ଦେବା ଆବଶ୍ୟକ । ପୋଲିସ-ଆଇନଜୀବୀଙ୍କ ଭୂମିକା ହିଁ ଅଦାଲତର ଫଇସଲା କରିଥାଏ । “ମୁଖ୍ୟମନ୍ତ୍ରୀ ଏହାକୁ ଆଦୌ ଗୁରୁତ୍ୱ ଦେଉନାହାନ୍ତି ବରଂ ହାଇକୋର୍ଟ ପରିସରରେ ୨୫ ପ୍ଲାଟୁନ ପୋଲିସ ମୁତୟନ ହେବା ପ୍ରକୃତରେ କ୍ଷୋଭର ବିଷୟ । ଗାନ୍ଧାରୀର ଭୁମିକା ନିର୍ବାହ କରିବା ଅପେକ୍ଷା ତୁରନ୍ତ ସମାଧାନର ସୂତ୍ର ବାହାର କରିବା ନିତାନ୍ତ ଜରୁରୀ,” ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ ମୁଖ୍ୟ ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।

ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନାଦେଇ ବରିଷ୍ଠ କଂଗ୍ରେସ ନେତା ତଥା ବିରୋଧି ଦଳର ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଛନ୍ତି, “ଆସନ୍ତା ୨ ଦିନ ମଧ୍ୟରେ ଏହି ଘଟଣାର ସମାଧାନ କରିବାକୁ ରାଜ୍ୟ ସରକାରଙ୍କୁ ଦଳ ଜଣାଇଛି, ତେବେ ନଭେମ୍ବର ୨ ତାରିଖ ସୁଦ୍ଧା ଏହି ଘଟଣା ସମାଧାନ କରିବାରେ ବିଫଳ ହୁଅନ୍ତି ତେବେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ” ।

ବରିଷ୍ଠ କଂଗେସ ନେତା ତାରା ବାହିନୀପତି ଆହୁରି ମଧ୍ୟ କହିଛନ୍ତି, ବିଜେଡ଼ି ଓ ବିଜେପି ଉଭୟ ଦଳ ଏହି ଘଟଣାରେ ଗୋଳିଆ ପାଣିରୁ ମାଛ ଧରିବା ସଦୃଶ ଆଚରଣ କରୁଛନ୍ତି । “ଗତ ୨ ମାସ ଧରି ମୁଖ୍ୟମନ୍ତ୍ରୀ କ’ଣ କରୁଥିଲେ? ଆଇନଜୀବୀମାନଙ୍କ ସହିତ ବୈଠକ କରିବାକକୁ କାହିଁକି ଏତେ ଅନିଚ୍ଛୁକ? ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ ଦ୍ୱାରା ଚାଲିଥିବା ଏହି ଆନ୍ଦୋଳନ ଯୋଗୁଁ ଗଣତାନ୍ତ୍ରୀକ ମାନଦଣ୍ଡ ଗମ୍ଭୀର ଭାବେ କ୍ଷତିଗ୍ରସ୍ତ ହୋଇଛି,”ବୋଲି କହିଛନ୍ତି ବିରୋଧି ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ।

ବିଜେପି ମଧ୍ୟ ରାଜ୍ୟ ସରକାରଙ୍କ ଏପରି ଆଚରଣକୁ ଅପାରଗତା କହି ସମାଲୋଚନା କରିଛି ।

ରାଜ୍ୟ ସରକାର ହାଇକୋର୍ଟ ବାର୍ ଆସୋସିଏସନର ଗୌରବ ଏବଂ ପ୍ରତିଷ୍ଠାକୁ ଅକ୍ଷୁର୍ଣ୍ଣ ରଖିବା ଉଚିତ । ଓକିଲମାନଙ୍କ ଆନ୍ଦୋଳନ ଏବଂ ରାଜ୍ୟର ବିଭିନ୍ନ ଜେଲ ମଧ୍ୟରେ ବିଚାରାଧିନ କଏଦୀଙ୍କ ସଂଖ୍ୟା ମାତ୍ରାଧିକ ବୃଦ୍ଧିପାଇବାରେ ଲାଗିଛି । ଜନସାଧାରଣ ନ୍ୟାୟ ପାଇବାକୁ ତାଙ୍କର ଧୈର୍ଯ୍ୟ ହରାଇଲେଣି । ଏହିପରି ଅପ୍ରତ୍ୟାଶିତ ସମସ୍ୟା କେବେବି ପୂର୍ବରୁ ଉପୁଜିନଥିଲା । ହାଇକୋର୍ଟ ରାଜନୀତିର ଏକ ପ୍ରୟୋଗଶାଳା ନୁହେଁ । ବର୍ତ୍ତମାନ ସେହି ସମୟ ଉପନୀତ ହୋଇଛି ଯେଉଁ ସମୟରେ ରାଜ୍ୟ ଆଇନମନ୍ତ୍ରୀ ଓ ସଚିବ ମାନେ ଆନ୍ଦୋଳନରତ ଆଇନଜୀବୀଙ୍କ ସହିତ ବସି ସମାଧାନର ସୂତ୍ର ବାହାର କରିବା ଆବଶ୍ୟକ,”ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ।

ଅନ୍ୟପକ୍ଷରେ ବିଜେପି ଆଇନଜୀବବୀମାନଙ୍କୁ ଆନ୍ଦୋଳନ ଜାରି ରଖିବାକୁ ଉସୁକାଉଛି ବୋଲି ଶାସକ ବିଜେଡ଼ି ଆରୋପ ଲଗାଇଛି ।

“ତିନିଦିନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଣମାଧ୍ୟମକୁ ଯେଉଁ ମନ୍ତବ୍ୟ ଦେଇଛନ୍ତି ନିଆଁରେ ଘିଅ ଢାଳିବା ସଦୃଶ । ଏଥିରୁ ସ୍ପଷ୍ଟ ଜଣାପଡୁଛି, କେନ୍ଦ୍ରମନ୍ତ୍ରୀ ଓକିଲମାନଙ୍କୁ ରାଜ୍ୟ ସରକାରଙ୍କ ବିରୋଧରେ କାର୍ଯ୍ୟ କରିବାକୁ ଉସୁକାଉଛନ୍ତି,” ବୋଲି କହିଛନ୍ତି ବିଜେଡ଼ି ମୁଖପାତ୍ର ପ୍ରତାପ ଦେବ ।

ସେ ଆହୁରି ମଧ୍ୟ କହିଛନ୍ତି, ଆଇନର ସଂରକ୍ଷକ ହୋଇ ମଧ୍ୟ ଓକିଲମାନେ ନ୍ୟାୟ ପାଇବାକୁ ୨ମାସ ଧରି ଅପେକ୍ଷା କରିବା ଫଳରେ ଜନସାଧାରଣମାନେ ଦୟନୀୟ ପରିସ୍ଥିତିର ସମ୍ମୁଖୀନ ହେବାରେ ଲାଗିଛନ୍ତି । ଏହି ପରିପ୍ରେକ୍ଷୀରେ କିଛି ଆଇନଜୀବୀ ହାଇକୋର୍ଟରେ କାର୍ଯ୍ୟ ଆରମ୍ଭ କରି ନିଜ କର୍ତ୍ତବ୍ୟରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ସେମାନଙ୍କ ଉପରେ ଆକ୍ରମଣ ହେଲା, ଯାହାକି ଅତ୍ୟନ୍ତ ଦୂର୍ଭାଗ୍ୟଜନକ,”ବୋଲି କହିଛନ୍ତି ବିଜେଡ଼ି ମୁଖପାତ୍ର ପ୍ରତାପ ଦେବ ।

ବିଜୁ ଯୁବ ବାହିନୀର ସଦସ୍ୟ ମାନଙ୍କ ଦ୍ୱାରା ଆକ୍ରମଣ ହୋଇଥିବା ନେଇ କିଛି ଓକିଲଙ୍କ ଅଭିଯୋଗକୁ ଖଣ୍ଡନ କରି ବିଜେଡ଼ି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ଏହି ଘଟଣାର ରାଜନୈତିକ ଫାଇଦା ନେବାକୁ ଚେଷ୍ଟା କରୁଥିବା ବିଜେପି କେବେ ବି ସଫଳ ହୋଇପାରିବ ନାହିଁ, ବୋଲି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ବିଜେଡ଼ି ମୁଖପାତ୍ର ପ୍ରତାପ ଦେବ ।

ଗଣମାଧ୍ୟମକୁ ସୂଚନା ଦେଇ ପୋଲିସ କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି, ଓଡ଼ିଶା ହାଇକୋର୍ଟଙ୍କ ମୁଖ୍ୟ ବିଚାରପତିଙ୍କ ନିର୍ଦ୍ଦେଶାନୁସାରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି । ହିଂସାତ୍ମକ ଆଚରଣ ପ୍ରକୃତରେ ନିନ୍ଦନୀୟ ।

“ଏହି ହିଂସାତ୍ମକ ଘଟଣାରେ ଜଣେ ପୋଲିସ କର୍ମୀଙ୍କ ସମେତ ୪ଜଣ ବ୍ୟକ୍ତି ଆହତ ହୋଇଛନ୍ତି । ଆହତ ବ୍ୟକ୍ତିଙ୍କ ଅଭିଯୋଗ ଅନୁସାରେ ପୋଲିସ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ,”ବୋଲି ପୋଲିସ କମିଶନର ସତ୍ୟଜିତ ମହାନ୍ତି ଗଣମାଧ୍ୟମକୁ କହିଛନ୍ତି ।

Leave A Reply

Your email address will not be published.