Latest Odisha News

BREAKING NEWS

ମୋଦୀଙ୍କୁ ରୋକିବା ଲାଗି କୋଲକାତାରେ ବିରୋଧୀଙ୍କ ମହାମେଳି; ଜାଣନ୍ତୁ, କିଏ କ’ଣ କହିଲେ

କୋଲକାତା: ଆସନ୍ତା ଲୋକସଭା ନିର୍ବାଚନରେ ବିଜେପି ସରକାରକୁ କ୍ଷମତାଠୁ ଦୂରେଇ ରଖିବାକୁ ବିରୋଧୀ ଦଳମାନେ ଏକଜୁଟ ହୋଇ ବର୍ତ୍ତମାନର ମୋଦୀ ସରକାର ବିରୋଧରେ ଏକ ବିଶାଳ ର‌୍ୟାଲିରେ ଗର୍ଜନ କରିଛନ୍ତି ।

କୋଲକାତାର ବ୍ରିଗେଡ଼ ପ୍ୟାରେଡ୍ ପଡ଼ିଆରେ ଅନୁଷ୍ଠିତ ହୋଇଥିବା ଏହି ବିଶାଳ ର‌୍ୟାଲିଟିକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ସୁପ୍ରିମୋ ମମତା ବାନାର୍ଜୀ ଆୟୋଜନ କରିଛନ୍ତି । ଏହି ବିଶାଳ ର‌୍ୟାଲିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ ଡ଼ି ଦେବଗୌଡ଼ା, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ ଡ଼ି କୁମାରସ୍ୱାମୀ, ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ, ଡ଼ିଏମକେ ମୁଖ୍ୟ ଏମ କେ ଷ୍ଟାଲିନ୍ ପ୍ରମୁଖ ଜାତୀୟସ୍ତରର ନେତାମାନେ ଅଂଶଗ୍ରହଣ କରିଥିଲେ ।

ସବୁଠାରୁ ବଡ଼ କଥା ହେଲା ବିଜୁ ଜନତା ଦଳ ବିରୋଧୀ ଦଳମାନଙ୍କ ଏହି ମହାର‌୍ୟାଲିରେ ଯୋଗ ଦେଇ ନାହିଁ, ମମତା ବାନାର୍ଜୀଙ୍କଠାରୁ ନିମନ୍ତ୍ରଣ ପାଇନଥିବା କଥା ପାର୍ଟି ସୂତ୍ରରୁ ଜଣାପଡ଼ିଛି । ତେବେ ଆଗାମୀ ନିର୍ବାଚନରେ ବିଜେଡ଼ି ଏକୁଟିଆ ନିର୍ବାଚନ ଲଢିବା ନେଇ ପୂର୍ବରୁ ଦଳ ଘୋଷଣା କରିସାରିଛି । ଏପରିକି କଂଗ୍ରେସ ବିଜେପି ତଥା ମହାଗଠବନ୍ଧନଠାରୁ ବିଜେଡ଼ି ସମଦୂରତା ନୀତି ଅବଲମ୍ବନ କରିବ ବୋଲି ପୂର୍ବରୁ ଘୋଷଣା କରିସାରିଛି । ମୋଦି ସରକାରଙ୍କ ବିରୋଧୀ ଦଳମାନଙ୍କର ଏହି ମହାର‌୍ୟାଲିରେ କଂଗ୍ରେସ ପକ୍ଷରୁ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାର୍ଗେ ଓ ଅଭିଷେକ ମନୁ ସିଂଘଭି ଯୋଗ ଦେଇଛନ୍ତି ।

ବ୍ରିଗେଡ଼ ପ୍ୟାରେଡ଼ ଗ୍ରାଉଣ୍ଡରେ ଅନୁଷ୍ଠିତ ଏହି ର‌୍ୟାଲିରେ ଯୋଗଦେଇଥିବା ନେତା ଓ ତାଙ୍କର ବକ୍ତବ୍ୟ:

ଅରବିନ୍ଦ କେଜ୍ରିୱାଲ: “ଯଦି ମୋଦି ଓ ଶାହ ୨୦୧୯ ନିର୍ବାଚନରେ ପୁନର୍ବାର କ୍ଷମତାକୁ ଆସନ୍ତି, ତେବେ ଦେଶକୁ ସେମାନେ ନଷ୍ଟ କରିଦେବେ । ସେମାନେ ଦେଶକୁ ଭାଙ୍ଗି ଖଣ୍ଡ-ବିଖଣ୍ଡିତ କରିଦେବେ । ହିଟଲର୍ ଯାହା କରିଥିଲେ, ଏମାନେ ତାହାହିଁ କରିବେ, ଏପରିକି ସେମାନେ ଦେଶର ସମ୍ବିଧାନକୁ ବଦଳାଇଦେବେ । ସେମାନେ ନିର୍ବାଚନ ପ୍ରଥାକୁ ବନ୍ଦ କରିଦେବେ । ଆମେ ସେମାନଙ୍କ ମୂଳୋତ୍ପାଟନ କରିବାକୁ ଚାହୁଁଛୁ,” ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

ଅଖିଲେଶ ଯାଦବ: “ ଏହି ନବବର୍ଷରେ ଦେଶ ଜଣେ ନୂଆ ପ୍ରଧାନମନ୍ତ୍ରୀଙ୍କୁ ଦେଖିବ । ଜନସାଧାରଣ ଯାହାକୁ ଚୟନ କରିବେ ସେ’ହିଁ ଦେଶର ପ୍ରଧାନମନ୍ତ୍ରୀ ହେବେ । ବିଜେପି ତାମିଲନାଡୁରେ ତା’ର ଖାତା ଖୋଲି ପାରିନାହିଁ, ” ବୋଲି କହିଛନ୍ତି ସମାଜବାଦୀ ପାର୍ଟି ନେତା ଅଖିଲେଶ ଯାଦବ ।

ମମତା ବାନାର୍ଜୀ: “ତମେ ଉତ୍ତରପ୍ରଦେଶରେ ବିଜେପିକୁ ମୂଳୋତ୍ପାଟନ କର, ଆମେ ତାହା ପଶ୍ଚିମବଙ୍ଗରେ କରିଦେବୁ,” ବୋଲି ଅଖିଳେଶଙ୍କ ଉଦ୍ଦେଶ୍ୟରେ କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଏହି ମହାର‌୍ୟାଲି ଆୟୋଜନ କରିଥିବା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ।

ଏଚ ଡ଼ି କୁମାରସ୍ୱାମୀ: “ବିଜେପି କର୍ଣ୍ଣାଟକରେ ଘୋଡ଼ା ବେପାର କରୁଛି । ଏଠି ବିଧାୟକମାନଙ୍କୁ କିଣାବିକାର ଦ୍ରବ୍ୟ ପରି ବ୍ୟବହୃତ କରାଯାଉଛି,” ବୋଲି କହିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ ଡ଼ି କୁମାରସ୍ୱାମୀ ।

ସତୀଶ ମିଶ୍ର: “ ବିଜେପି ଭୋଟ ଲାଗି ଲୋକଙ୍କ ପଛରେ ପଡ଼ିଛି । ବେରୋଜଗାରୀ ବୃଦ୍ଧି ପାଇବାରେ ଲାଗିଛି । ଦେଶର କୃଷକ, ଶ୍ରମିକ, ସଂଖ୍ୟାଲଘୁ ଏବଂ ଦଳିତମାନଙ୍କୁ ଧୋକା ଦିଆଯାଇଛି,” ବୋଲି କହିଛନ୍ତି ବହୁଜନ ସମାଜ ପାର୍ଟି ସାଂସଦ ସତୀଶ ମିଶ୍ର ।

ଏମ କେ ଷ୍ଟାଲିନ: “ମୋଦୀ ଜାଣିଛନ୍ତି ଏଥର ତାଙ୍କର ପରାଜୟ ସୁନିଶ୍ଚିତ । ମୋଦୀଙ୍କ ବିରୁଦ୍ଧରେ ମୋର ବ୍ୟକ୍ତିଗତ ଶତ୍ରୁତା ନାହିଁ, ମାତ୍ର ମୁଁ ତାଙ୍କର ନୀତିକୁ ବିରୋଧ କରିଥାଏ । ମୋଦୀ ହେଲେ ଦୁର୍ନୀତିର ଉତ୍ସ,” ବୋଲି କହିଛନ୍ତି ତାମିଲନାଡୁର ନେତା ତଥା ଡ଼ିଏମକେ ସୁପ୍ରିମୋ ଏମ କେ ଷ୍ଟାଲିନ ।

ଫାରୁକ୍ ଅବଦୁଲ୍ଲା: “ଦେଶରେ ଏବେ ଅଘୋଷିତ ଜରୁରୀ ପରିସ୍ଥିତି ଚାଲିଛି । ସେମାନେ ଲୋକମାନଙ୍କୁ ପାକିସ୍ତାନୀ କହି ହତ୍ୟା କରୁଛନ୍ତି । ମୁଁ ଜଣେ ମୁସଲମାନ ହେଲେ ମଧ୍ୟ ଏହି ଦେଶର ଜଣେ ଜଣେ ଅଂଶ-ବିଶେଷ,” ବୋଲି କହିଛନ୍ତି କାଶ୍ମୀର ନେତା ତଥା ନ୍ୟାସନାଲ କନଫରେନ୍ସ ମୁଖ୍ୟ ଫାରୁକ ଅବଦୁଲ୍ଲା ।

ଶରଦ ଯାଦବ: ଦେଶର ଏପରି ବି ଗୋଟିଏ ଅନୁଷ୍ଠାନ ନାହିଁ ଯେଉଁ ଅନୁଷ୍ଠାନକୁ କି ସେମାନେ ଛାଡ଼ି ଦେଇଛନ୍ତି,” ଏହା କହିଛନ୍ତି ବିହାରର ବରିଷ୍ଠ ନେତା ଶରଦ ଯାଦବ ।

ଅଭିଷେକ ମନୁ ସିଂଘଭି: “ ଭୋଟ ଭାଗ ଭାଗ ହେଲେ ଏଥିରେ ବିଜେପିକୁ ଫାଇଦା ମିଳିବ । ଭୋଟ ଭାଗ ନହେବା ଏହି ର‌୍ୟାଲିର ମୁଖ୍ୟ ଉଦ୍ଦେଶ୍ୟ । ଏହା ଯେଉଁଠି ପୂର୍ବରୁ ଘଟିଛି, ସେଥିରେ ଆମେ ଦେଖିଛୁ ସେମାନଙ୍କୁ ହିଁ ଫାଇଦା ମିଳିଛି,” ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭି ।

ଯଶବନ୍ତ ସିହ୍ନା: “ ମୋର ଏବେ କେବଳ ଗୋଟିଏ ଯୁଦ୍ଧ କରିବାକୁ ବାକି ରହିଗଲା ତାହା ହେଉଛି, ବିଜେପିକୁ କେନ୍ଦ୍ରରୁ ମୂଳୋତ୍ପାଟନ କରିବା କାର୍ଯ୍ୟ । ” ଏହା କହିଛନ୍ତି ପୂର୍ବତନ ବିଜେପି ନେତା ଯଶବନ୍ତ ସିହ୍ନା ।

Leave A Reply

Your email address will not be published.