Latest Odisha News

BREAKING NEWS

‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ମାର୍ଗଦର୍ଶିକା ଜାରି ପରେ ସରକାରଙ୍କୁ ଘେରିଲେ ବିରୋଧୀ

ଭୁବନେଶ୍ବର: ପୂର୍ବ ସରକାର ସମୟରେ ‘ଆମ ଗାଁ ଓ ଆମ ବିକାଶ’ ଯୋଜନାର ନାଁ ପରିବର୍ତ୍ତନ କରି ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ କରିଛି ବିଜେପି । ଏଥିପାଇଁ ବିସ୍ତୃତ ମାର୍ଗଦର୍ଶିକା ଜାରି ହେବା ପରେ ବିଜେପିକୁ ଘେରିଛନ୍ତି ବିଜେଡି ଓ କଂଗ୍ରେସ ।

ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ର କହିଛନ୍ତି, ବିଜେଡି ସରକାର ସମୟର ଆମ ଗାଁ, ଆମ ବିକାଶ ଯୋଜନାକୁ ସେତେବେଳେ କେନ୍ଦ୍ର ସରକାର ଓ ଜାତିସଂଘ ପୁରସ୍କାର ଦେଇଥିଲେ । ଏହି ଲୋକପ୍ରିୟ ଯୋଜନାର କେବଳ ନାଁ ପରିବର୍ତ୍ତନ କରୁଛି ବିଜେପି । ତେଣୁ ରଙ୍ଗ ବଦଳାଇବା ଓ ନାଁ ପରିବର୍ତ୍ତନ କରିବା ବିଜେପି ସରକାର ବନ୍ଦ କରି କିଛି ନୂଆ ଯୋଜନା କରୁ ।

ସେହିପରି, କଂଗ୍ରେସ ବିଧାୟକ ନୀଳମାଧବ ହିକ୍କା କହିଛନ୍ତି, କହିଛି ବିଜେପି କର୍ମୀଙ୍କ ପାଇଁ ବିକଶିତ ଗାଁ, ବିକଶିତ ଓଡ଼ିଶା ଯୋଜନା କରାଯାଇଛି । ୭ ମାସରେ ବିଜେପି କେବଳ ରଙ୍ଗ ଓ ନାଁ ପରିବର୍ତ୍ତନ କରି ବିକଶିତ କରିଛି । ହିକ୍କା ଆହୁରି କହିଛନ୍ତି, ବର୍ତ୍ତମାନର ବିଜେପି ନେତୃତ୍ୱାଧୀନ ସରକାର ପୂର୍ବ ବିଜେଡି ସରକାର ପରି ସମାନ ।

ବିରୋଧୀ ଦଳଙ୍କ ଅଭିଯୋଗ ପରେ ପ୍ରତିକ୍ରିୟା ରଖିଛି ବିଜେପି । ବିଧାୟକ ପୂର୍ଣ୍ଣ ସେଠୀ କହିଛନ୍ତି, ଗାଁର ବିକାଶକୁ ତ୍ବରାନ୍ବିତ କରିବାକୁ ବିଜେପି ସରକାର ଗୁରୁତ୍ବ ଦେଇଛନ୍ତି । ଜିଲ୍ଲାପାଳ ଓ ବିଡିଓଙ୍କୁ ବିକଶିତ ଗାଁ, ବିକଶିତ ଓଡ଼ିଶା ପାଇଁ ବିସ୍ତୃତ ମାର୍ଗଦର୍ଶିକା ପଠାଯାଇଛି । ଆସନ୍ତା ୧୫ ତାରିଖ ସୁଦ୍ଧା ପ୍ରତି ଗାଁ ମାର୍ଗଦର୍ଶିକା ଅନୁସାରେ ୫ ବର୍ଷିଆ ଯୋଜନାର ତାଲିକା ପ୍ରସ୍ତୁତ କରି ପଠାଇବାକୁ କୁହାଯାଇଛି ।

ଅନ୍ୟପଟେ, ଆସ୍କା ବିଜେପି ବିଧାୟକ ସରୋଜ କୁମାର ପାଢ଼ୀ କହିଛନ୍ତି, ଖୁବ୍ କମ୍ ସମୟ ମଧ୍ୟରେ ବିଜେପି ସରକାର ଅନେକ ସଫଳତା ହାସଲ କରିଛନ୍ତି ଯେଉଁ କାରଣରୁ ବିରୋଧୀ ଦଳମାନେ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ।

Comments are closed.