ଭୁବନେଶ୍ୱର: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପିତ ୨୦୨୬-୨୭ ଆର୍ଥିକ ବର୍ଷର କେନ୍ଦ୍ର ବଜେଟ୍ ପରେ ଓଡ଼ିଶାର ବିରୋଧୀ ଦଳ ନେତାମାନଙ୍କ ଦ୍ୱାରା ଏହାକୁ ନେଇ ତୀବ୍ର ସମାଲୋଚନା କରାଯାଇଛି। କେନ୍ଦ୍ର ସରକାର ରାଜ୍ୟ ପାଇଁ ସମାନ ବିକାଶ ପ୍ରଦାନ କରିବାରେ ବିଫଳ ହୋଇଥିବା ବିରୋଧୀ ଦଳ ଅଭିଯୋଗ କରିଛନ୍ତି।
ବଜେଟକୁ ନେଇ ବିଜେଡି ସଭାପତି ତଥା ଓଡ଼ିଶା ବିଧାନସଭାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ନିଜର ଅସନ୍ତୋଷ ପ୍ରକାଶ କରି ଓଡ଼ିଶା କୁ ବହୁତ୍ କମ ମିଳିଥିବା ନେଇ ଏକ ପୋଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ପ୍ରଦାନ କରାଯାଇଥିବା ବଜେଟ୍ ଦ୍ଵାରା ଓଡ଼ିଶା କିମ୍ବା ଓଡ଼ିଶା ର ଜନସାଧାରଣଙ୍କୁ “କୌଣସି ଉଲ୍ଲେଖନୀୟ ଲାଭ” ପ୍ରଦାନ କରାଯାଇନାହିଁ। କେନ୍ଦ୍ର ଏବଂ ରାଜ୍ୟର ବିଜେପି ନେତୃତ୍ୱାଧୀନ ପ୍ରଶାସନ “ଡବଲ ଇଞ୍ଜିନ୍ ସରକାର” ଠାରୁ ଆଶା ଜନକ ଭିତ୍ତିଭୂମି ବିକାଶ, ନିଯୁକ୍ତି ସୃଷ୍ଟି ଏବଂ ରାଜ୍ୟ ପାଇଁ ଦୀର୍ଘ ଦିନ ଧରି ଅତିରିକ୍ତ ଆବଣ୍ଟନ ମାଧ୍ୟମରେ ତ୍ୱରାନ୍ୱିତ ଅଭିବୃଦ୍ଧି ଉପରେ ଧ୍ୟାନ ଦେଇଛି।
ପ୍ରମୁଖ ଖଣିଜ ପଦାର୍ଥର ଏକ ଅଗ୍ରଣୀ ଉତ୍ପାଦକ ଭାବରେ ରାଜ୍ୟର ଭୂମିକା ଏବଂ ଜାତୀୟ ବିକାଶରେ ଏହାର ନିରନ୍ତର ଅବଦାନକୁ ନବୀନ ସ୍ୱୀକାର କରିଛନ୍ତି। ଖଣିଜ ସମୃଦ୍ଧ ଅଞ୍ଚଳ ଏବଂ ଶିଳ୍ପ କେନ୍ଦ୍ରଗୁଡ଼ିକୁ ବନ୍ଦର ସହିତ ସଂଯୋଗ କରିବା ପାଇଁ ପୁଣି ଥରେ ଜାତୀୟ ଜଳପଥ ଘୋଷଣା କରାଯାଇଛି। କିନ୍ତୁ ଏହି ଜାତୀୟ ଜଳପଥ-୫ ର କାର୍ଯ୍ୟକ୍ଷମତାକୁ ସମାଲୋଚନା କରି ଏହା ଏକ “ଦଶକ ପୁରୁଣା ପ୍ରସ୍ତାବ” ବୋଲି ସେ କହିଛନ୍ତି।
ସହରଗୁଡ଼ିକ ମଧ୍ୟରେ ସାତଟି ହାଇ-ସ୍ପିଡ୍ ରେଳ କରିଡରକୁ ‘ବୃଦ୍ଧି ସଂଯୋଗକାରୀ’ ଭାବରେ ବିକଶିତ କରିବାର ଘୋଷଣାରେ ଓଡ଼ିଶାକୁ ସ୍ଥାନିତ କରାଯାଇନଥିବାରୁ ଏହା ଏକ ନିରାଶାଜନକ ବିଷୟ ବୋଲି ସେ କହିଛନ୍ତି। ଏଥିସହିତ ସେ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପର ସ୍ଥଗିତ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। “ଓଡ଼ିଶା ବିଜେପି ପୂର୍ବରୁ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପକୁ ବନ୍ଦ କରିଦେଇଥିଲା ଓ ଲୋକଙ୍କ ଆବଶ୍ୟକତାକୁ ବର୍ତ୍ତମାନ୍ ମଧ୍ୟ ପୂର୍ବପରି ଅବହେଳା କରାଯାଉଛି ବୋଲି ମଧ୍ୟ ସେ କହିଛନ୍ତି। ଏହାବ୍ୟତୀତ ବୌଦ୍ଧ ସର୍କିଟ୍ ବିକାଶ ଯୋଜନାକୁ ନେଇ ମଧ୍ୟ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। କାରଣ ଡାଇମଣ୍ଡ ଟ୍ରାଇଆଙ୍ଗଲ (ରତ୍ନଗିରି, ଲଳିତଗିରି ଏବଂ ଉଦୟଗିରି) ସମେତ ଏହାର ପ୍ରମୁଖ ବୌଦ୍ଧ ଐତିହ୍ୟ ସ୍ଥଳ ସତ୍ତ୍ୱେ ଓଡ଼ିଶାକୁ ଅଣଦେଖା କରାଯାଉଛି।
ସେହିପରି ବଜେଟକୁ ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (OPCC) ସଭାପତି ଭକ୍ତ ଚରଣ ଦାସ ମଧ୍ୟ ନିଜ ଅସନ୍ତୋଷ ପ୍ରକାଶ କରିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଦ୍ୱାରା ପୂର୍ବରୁ କରାଯାଇଥିବା ସମାଲୋଚନାକୁ ସମର୍ଥନ କରିଛନ୍ତି। “ଭାରତର ପ୍ରକୃତ ସଙ୍କଟକୁ ଅଣଦେଖା” କରାଯାଉଥିବା ନେଇ ରାହୁଲ ପୂର୍ବରୁ କହିଥିଲେ। ଯୁବପିଢ଼ିଙ୍କ ମଧ୍ୟରେ ବେକାରୀ, ହ୍ରାସ ପାଉଥିବା ଉତ୍ପାଦନ, ନିବେଶକଙ୍କ ଦ୍ୱାରା ପୁଞ୍ଜି ପଳାୟନ, ପରିବାର ସଞ୍ଚୟ ହ୍ରାସ ଏବଂ କୃଷକମାନଙ୍କ ମଧ୍ୟରେ ବ୍ୟାପକ ଦୁର୍ଦ୍ଦଶା ଭଳି ସମସ୍ୟାଗୁଡ଼ିକୁ ମଧ୍ୟ ଇଙ୍ଗିତ କରିଥିଲେ। ସେ ବଜେଟକୁ “ଦିଗହୀନ, ଦୃଷ୍ଟିହୀନ ଏବଂ ନୀତିହୀନ” ବୋଲି କହିଛନ୍ତି। ଏହାବ୍ୟତୀତ ଦେଶର ଋଣ ୧୯୦ ଲକ୍ଷ କୋଟି ଟଙ୍କାରେ ପହଞ୍ଚିସାରିଥିବା ନେଇ ମଧ୍ୟ ସେ କହୁଛନ୍ତି ଓ ଏ ଦିଗରେ ନିଜର ଚିନ୍ତା ମଧ୍ୟ ପ୍ରକାଶ କରିଛନ୍ତି।