Latest Odisha News

ମୁଖ୍ୟମନ୍ତ୍ରୀଙ୍କୁ ନବୀନ ପଟ୍ଟନାୟକଙ୍କ ଚିଠି: ପହଣ୍ଡି ଅଘଟଣ ଯେପରି ପୁନରାବୃତ୍ତି ନହେବ, ତାହା ସୁନିଶ୍ଚିତ କରିବାକୁ ଅନୁରୋଧ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ପହଣ୍ଡି ଅଘଟଣ ଯେପରି ପୁନରାବୃତ୍ତି ନହେବ, ସେନେଇ ସୁନିଶ୍ଚିତ କରିବାକୁ ଅନୁରୋଧ କଲେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ପଟ୍ଟନାୟକ ଚିଠିରେ ଲେଖିଛନ୍ତି, ପହଣ୍ଡି ଅଘଟଣ ସାରା ବିଶ୍ବର ଜଗନ୍ନାଥ ପ୍ରେମୀଙ୍କୁ ବ୍ୟଥିତ କରିଛି।

ନବୀନ ଆହୁରୀ ମଧ୍ୟ ଚିଠିରେ ଲେଖିଛନ୍ତି, ମୁଁ ମଧ୍ୟ ଏହି ଘଟଣା ପାଇଁ ଅତ୍ୟନ୍ତ ମର୍ମାହତ। ରଥଯାତ୍ରାର ହଜାର ହଜାର ବର୍ଷର ପରମ୍ପରାରେ ଏଭଳି ଘଟିନଥିଲା। ଏଭଳି ସ୍ପର୍ଶକାତର ବିଷୟରେ କିଛି ମନ୍ତ୍ରୀଙ୍କ ମନ୍ତବ୍ୟ, ଦୁଃଖକୁ ଦ୍ୱିଗୁଣିତ କରିଛି। ଯେମିତି ଏହାର ପୁନରାବୃତ୍ତି ନହେବ, ଏହା ସୁନିଶ୍ଚିତ କରିବାକୁ ଅନୁରୋଧ। ଆପଣଙ୍କ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଭକ୍ତଙ୍କୁ ଆଶ୍ୱସ୍ତ କରିବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଚିଠିରେ ଲେଖିଛନ୍ତି ନବୀନ ପଟ୍ଟନାୟକ।

ନବୀନ ଲେଖିଛନ୍ତି, ମହାପ୍ରଭୁ ହେଉଛନ୍ତି ଓଡ଼ିଆ ଜାତିର ମୁରବୀ। ଆମ ବିଶ୍ୱାସର କେନ୍ଦ୍ରବିନ୍ଦୁ। ଏହି ପରିପ୍ରେକ୍ଷୀରେ ମୁଁ ଆପଣଙ୍କୁ ଅନୁରୋଧ କରିବାକୁ ଚାହେଁ ଯେ ଆପଣ ନିଜେ ଦାୟିତ୍ଵ ନେଇ ଏଭଳି ଅଘଟଣ ଯେଭଳି ପୁନରାବୃତ୍ତି ନ ଘଟିବ ତାହା ସୁନିଶ୍ଚିତ କରିବେ। ମୋର ବିଶ୍ୱସ ଏ ଦିଗରେ ଆପଣଙ୍କ ଦୃଷ୍ଟାନ୍ତମୂଳକ ପଦକ୍ଷେପ କୋଟି କୋଟି ଭକ୍ତଙ୍କୁ ଆଶ୍ୱସ୍ତ କରିବାରେ ସହାୟକ ହେବ ବୋଲି ଚିଠିରେ ନବୀନ ଲେଖିଛନ୍ତି।

Comments are closed.