Latest Odisha News

BREAKING NEWS

ଆଜି ବି ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ, ସାଢ଼େ ୧୧ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର: ବିଧାନସଭା ଶୀତ ଅଧିବେଶନକୁ ୯ ଦିନ ହେଲାଣି । ସ୍ୱାଭାବିକ ହେଲାନି ଗୃହ କାର୍ଯ୍ୟ । ମମିତା ମେହେର ପ୍ରସଙ୍ଗରେ ସବୁଦିନ ଗୃହକାର୍ଯ୍ୟ ଠପ୍ । ଆଜି ବି ଗୃହ କାର୍ୟ୍ୟ ଆରମ୍ଭରୁ ହଟ୍ଟଗୋଳ କରିଛନ୍ତି ବିରୋଧୀ । ଗୃହ ମଧ୍ୟଭାଗରେ ପ୍ଲାକାର୍ଡ ପ୍ରଦର୍ଶନ ସହ ବିରୋଧୀ ଘଣ୍ଟମାଡ଼ କରିଥିଲେ ।

ମମିତାଙ୍କୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ନାରାବାଜି କରିଥିଲେ ବିରୋଧୀ । ପ୍ଲାକାର୍ଡ ଦେଖାଇବା ସହ ଘଣ୍ଟା ବାଡ଼େଇ ପ୍ରତିବାଦ ଜଣାଇଥିଲେ । ବିରୋଧୀଙ୍କ ହୋହଲ୍ଲା ଯୋଗୁ ଆଗକୁ ବଢ଼ି ପାରି ନଥିଲା ଗୃହ କାର୍ଯ୍ୟ । ଫଳରେ ବାଚସ୍ପତି ଦିନ ସାଢ଼େ ୧୧ଟା ଯାଏ ଗୃହକୁ ମୁତଲବୀ ଘୋଷଣା କରିଛନ୍ତି ।

ଗତ ନଅ ଦିନ ହେଲାଣି ବିଧାନସଭା ହୁଲସ୍ତୁଲ ହେଉଛି । ମମିତା ପ୍ରସଙ୍ଗରେ ବିରୋଧୀ ସରକାରଙ୍କୁ ଘେରୁଛନ୍ତି । ଜିଦରେ ଅଟଳ ଅଛନ୍ତି କଂଗ୍ରେସ ଓ ବିଜେପି । ସରକାରୀ ଦଳ ବି ନଛୋଡବନ୍ଧା । ଆରୋପ-ପ୍ରତ୍ୟାରୋପରେ କମ୍ପୁଛି ବିଧାନସଭା । ଗୃହ ଚଳାଇବା ସମ୍ଭବ ହେଉନି । ସର୍ବଦଳୀୟ ବୈଠକରୁ ବି ବାହାରି ପାରୁନି ନିର୍ଯାସ । ଅଚଳାବସ୍ଥା ଲାଗି ରହିଲେ ନିର୍ଦ୍ଧାରିତ ସମୟ ପୂର୍ବରୁ ଶୀତ ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ଯାଏ ମୁଲତବୀ ଘୋଷଣା କରିପାରନ୍ତି ବାଚସ୍ପତି ।

ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ସରକାର-ବିରୋଧୀ କେହି କାହାରିକୁ ଛାଡିବା ମୁଡରେ ନାହାନ୍ତି । ମମିତା ପ୍ରସଙ୍ଗକୁ ପଞ୍ଚାୟତ ନିର୍ବାଚନରେ ବିରୋଧୀ ମୁଖ୍ୟ ମୁଦ୍ଦା କରିବା ବିଧାନସଭା ଅଧିବେଶନରୁ ଏହାର ଆଭାସ ମିଳୁଛି । ଗୃହ ଭିତରେ ଓ ବାହାରେ ଉଭୟ କଂଗ୍ରେସ ଓ ବିଜେପି ବିରୋଧ ଓ ପ୍ରତିବାଦ ଜାରି ରଖିଛନ୍ତି ।

Leave A Reply

Your email address will not be published.