Latest Odisha News

BREAKING NEWS

ଶୀତ ଅଧିବେଶନର ପ୍ରଥମ ଦିନରେ ଗୃହକୁ ଆସିଲେନି ଅଧିକାଂଶ ମନ୍ତ୍ରୀ, ବର୍ଷିଲେ ବିରୋଧୀ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଗୁରୁବାରଠାରୁ ଆରମ୍ଭ ହୋଇଛି। ହେଲେ ଅଧିବେଶନର ପ୍ରଥମ ଦିନରେ ଅନେକ ମନ୍ତ୍ରୀ ଗୃହରେ ଅନୁପସ୍ଥିତ ଥିଲେ। ଅଧିବେଶନର ପ୍ରଥମ ଦିନରେ ଶାସକ ବିଜେଡିର ପ୍ରାୟ ଅଧା ସଭ୍ୟ ଅନୁପସ୍ଥିତ ଥିବାରୁ ଗୃହରେ ବହୁତ କମ୍ ସଦସ୍ୟ ଥିବା ଦେଖିବାକୁ ମିଳିଥିଲା। ମନ୍ତ୍ରୀଙ୍କର ଏପରି ଆଚରଣକୁ ନେଇ ରାଜ୍ୟ ସରକାରଙ୍କୁ ବିରୋଧୀ ବିଜେପି ଓ କଂଗ୍ରେସ କଡ଼ା ସମାଲୋଚନା କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ, କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ, ପରିବହନ ମନ୍ତ୍ରୀ ଟୁକୁନି ସାହୁ, ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ସମେତ ରାଜେନ୍ଦ୍ର ଢୋଲକିଆ, ରୀତା ସାହୁ, ସମୀର ରଞ୍ଜନ ଦାଶ, ପ୍ରତାପ କେଶରୀ ଦେବ ଆଜି ଗୃହର ପ୍ରଥମ ଦିନରେ ଅନୁପସ୍ଥିତ ଥିଲେ।

ତେଣୁ ଗୃହରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ବଦଳରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ବିଧାନସଭାରେ ୨୦୨୨-୨୩ ବର୍ଷ ପାଇଁ ୧୬ ହଜାର ୮୦୦ କୋଟି ଟଙ୍କାର ପ୍ରଥମ ସପ୍ଲିମେଣ୍ଟାରୀ ବଜେଟ ଉପସ୍ଥାପନ କରିଥିଲେ।

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଗୃହରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ଯଦି ଅର୍ଥମନ୍ତ୍ରୀ ଗୃହରେ ସପ୍ଲିମେଣ୍ଟାରୀ ବା ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବା ପାଇଁ ଉପସ୍ଥିତ ରହିବେ ନାହିଁ; ଗୃହ ଚାଲିବ କିନ୍ତୁ ସଂସଦୀୟ ମନ୍ତ୍ରୀ ଗୃହକୁ ଆସିବେ ନାହିଁ ତେବେ ରାଜ୍ୟରେ ଲୋକଙ୍କ ବିକାଶ ପାଇଁ କାମ କରିବାକୁ ସରକାର କିଭଳି ଆଗ୍ରହ ଦେଖାଉଛନ୍ତି ତାହା ବେଶ ବୁଝାପଡୁଛି।

ସେହିପରି କଂଗ୍ରେସର ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି କହିଛନ୍ତି, ମନ୍ତ୍ରୀମାନେ ଗୃହ କାର୍ଯ୍ୟରୁ ଓହରି ଯାଇ ଓଡ଼ିଶା ଓ ରାଜ୍ୟ ବିଧାନସଭାକୁ ଅସମ୍ମାନିତ କରୁଛନ୍ତି। ପଦ୍ମପୁର ଉପ-ନିର୍ବାଚନ ପାଇଁ ମନ୍ତ୍ରୀ ଓ ଶାସକ ଦଳର ବିଧାୟକମାନେ ପ୍ରଚାରରେ ବ୍ୟସ୍ତ ଅଛନ୍ତି। ହେଲେ ବିଧାନସଭାରେ ଉପସ୍ଥିତ ନରହି ସେମାନେ ଗଣତନ୍ତ୍ରର ହତ୍ୟା କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଡିସେମ୍ବର ୫ ତାରିଖରେ ବରଗଡ ଜିଲ୍ଲା ପଦ୍ମପୁର ଉପନିର୍ବାଚନ ପାଇଁ ଭୋଟ୍ ପଡିବ। ତେଣୁ ପଦ୍ମପୁରରେ ଶାସକ ଦଳର ନେତା ଓ ମନ୍ତ୍ରୀ ଏବେ ଡେରା ପକାଇଛନ୍ତି।

Leave A Reply

Your email address will not be published.