Latest Odisha News

ରାହୁଲଙ୍କ ଅନୁପସ୍ଥିତିରେ ଶିବଲଙ୍କ ଘରେ ବିରୋଧୀ ପାଓ୍ୱାର ଏକାଠି, ୧୫ ଦଳର ୪୫ ନେତା ସାମିଲ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା କପିଲ ଶିବଲଙ୍କ ବର୍ଥ ଡେ ପାର୍ଟିକୁ ନେଇ ଏବେ ପାଓ୍ୱାର କରିଡରରେ ଚର୍ଚ୍ଚା । ଜନ୍ମଦିନ ପାର୍ଟିରେ ଏକାଠି ହେଲେ ବିଭିନ୍ନ ଦଳର ହେଭିଓ୍ୱେଟ୍ ନେତା । ବିଜେପି ବିରୋଧୀ ଶକ୍ତିଙ୍କୁ ଏକାଠି ଦେଖିବାକୁ ମିଳିଛି । ୧୫ଟି ଦଳର ୪୫ ନେତା ସାମିଲ ହୋଇଥିଲେ । କୁହାଯାଉଛି ୨୦୨୪ରେ ବିଜେପି ବିରୋଧରେ ନିର୍ବାଚନ ଷ୍ଟ୍ରାଟେଜୀ ଓ ବିରୋଧୀ ଗୋଷ୍ଠୀଙ୍କ ଭିତରେ ଏକତା ବଜାୟ ରଖିବା ଉପରେ ଆଲୋଚନା ହୋଇଛି । କେନ୍ଦ୍ରରେ ବିଜେପିକୁ କ୍ଷମତାସୀନ କରିବା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହେଉଥିୂା ଚର୍ଚ୍ଚା ହେଉଛି ।

କପିଲ ଶିବଲଙ୍କ ଏହି ଜନ୍ମଦିନ ପାର୍ଟିରେ ସାମିଲ ହୋଇଥିଲେ ଏନସିପି ମୁଖ୍ୟ ଶରଦ ପାଓ୍ୱାର, ସମାଜବାଦୀ ପାର୍ଟିର ଅଖିଳେଶ ଯାଦବ, ସିପିଏମ୍ ନେତା ସୀତାରାମ ୟେଚୁରୀ, ସିପିଆଇ ନେତା ଡି. ରାଜା, ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ, ଟିଏମସି ନେତା ଡେରେକ ଓବ୍ରିଏନ୍, ଶିବସେନାର ସଞ୍ଜୟ ରାଉତ, ବିଜେଡିରୁ ପିନାକୀ ମିଶ୍ର, ଡିଏମକେରୁ ତିରୁଚି ଶିବ ପ୍ରମୁଖ ।

ସେହିପରି କଂଗ୍ରେସର ଜି-୨୩ ଗ୍ରୁପର ଗୁଲାମ ନବୀ ଆଜାଦ, ଭୁପେନ୍ଦ୍ର ହୁଡ୍ଡା, ଆନନ୍ଦ ଶର୍ମା, ମନୀଷ ତିଓ୍ୱାରୀ, ଶଶି ଥରୁର, ସନ୍ଦୀପ ଦୀକ୍ଷିତ ପ୍ରମୁଖ ସାମିଲ ହୋଇଥିଲେ । ମିଳିଥିବା ସୂଚନା ଅନୁସାରେ, କପିଲ ଶିବଲ ବିଜେପି ବିରୋଧରେ ଏକ ମଜଭୁଦ ମୋର୍ଚ୍ଚାର ଆବଶ୍ୟକତା କଥା କହିଥିଲେ । ଦଳ ବାହାରେ ବିରୋଧୀଙ୍କ ଭିତରେ ଏକତାର ଆବଶ୍ୟକତା ରହିଥିବା ସେ କହିଛନ୍ତି ।

ଶରତ ଯାଦବ ମହାରାଷ୍ଟ୍ରର ମହା ବିକାଶ ଅଘାଡ଼ି ସରକାରର ଉଦାହରଣ ଦେଇ ବିଭିନ୍ନ ରାଜ୍ୟରେ ବିରୋଧୀ ଶକ୍ତିଙ୍କ ଭିତର ଏଭଳି ଏକତା ରହିବା ଉପରେ ମତ ଦେଇଥିଲେ । ବିପକ୍ଷ ଏକଜୁଟ ହେବା ମତ ଉପରେ ସହମତି ପ୍ରକାଶ କରିଥିଲେ ଲାଲୁ ପ୍ରସାଦ ଯାଦବ ।

ଏହି ବୈଠକରେ ଗାନ୍ଧି ପରିବାରରୁ କେହି ସାମିଲ ନଥିଲେ । ରାହୁଲ ଗାନ୍ଧି ଶ୍ରୀନଗର ଓ ପ୍ରିୟଙ୍କା ଗାନ୍ଧି ବିଦେଶରେ ଥିବା ବେଳେ କପିଲ ଶିବଲ ଜନ୍ମଦିନ ପାର୍ଟିରେ ବିରୋଧୀଙ୍କୁ ଏକାଠି କରିଥିଲେ । ଆଗକୁ ୨୦୨୨ରେ ଉତ୍ତରପ୍ରଦେଶ ନିର୍ବାଚନ । ତାପରେ ୨୦୨୪ ସାଧାରଣ ନିର୍ବାଚନ । ତାପୂର୍ବରୁ ବିରୋଧୀଙ୍କୁ ଏକାଠି ହେବା ପାଇଁ ଏଭଳି ପ୍ରୟାସ କରିଛନ୍ତି କପିଲ ଶିବଲ ।

କପିଲ ଶିବଲଙ୍କ ଘରେ ହୋଇଥିବା ଜନ୍ମଦିନ ପାର୍ଟିରେ ଓ୍ୱାଇଏସଆର କଂଗ୍ରେସ, ଆମ୍ ଆଦମୀ ପାର୍ଟି, ଟିଆରଏସ୍, ଶିରୋମଣି ଅକାଳୀ ଦଳ ନେତା ବି ଉପସ୍ଥିତ ଥିଲେ । ମୋଟାମୋଟି ଭାବରେ ବିଜେପି ବିରୋଧୀ ଦଳର ନେତା ଏକାଠି ହୋଇଥିଲା । ଯାହାକୁ ନେଇ ଦିଲ୍ଲୀ ଦରବାରରେ ଚର୍ଚ୍ଚା ଜୋର ।

Comments are closed.