Latest Odisha News

BREAKING NEWS

ସମ୍ବିତ ପାତ୍ର ମନ୍ତବ୍ୟକୁ ନେଇ ବିଜେପି ଉପରେ ବର୍ଷିଲେ ବିରୋଧୀ: ଓଡିଶାର ଆସ୍ଥାକୁ ଶକ୍ତ ଆଘାତ ଦେଇଛି ବିଜେପି

ପୁରୀ: ମୋଦୀଙ୍କ ଭକ୍ତ ପ୍ରଭୁ ଜଗନ୍ନାଥ କହି ହଟହଟା ହେଲେ ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର । ଯାହାକୁ ନେଇ ଏବେ ସବୁଠି ସମ୍ବିତଙ୍କ ପ୍ରତି ବିରୋଧ ଦେଖାଦେଇଛି । ଏହାକୁ ମୁଖ୍ୟ ପ୍ରସଙ୍ଗ କରି ଏବେ ତେଜିଛନ୍ତି ବିରୋଧୀ । ଏଭଳି ମନ୍ତବ୍ୟକୁ କଡା ନିନ୍ଦା କରିବା ସହ ବିଜେପି ଉପରେ ବର୍ଷିଛନ୍ତି । କେବଳ ରାଜ୍ୟ ନୁହେଁ, ଦେଶର ଅନେକ ନେତା ମନ୍ତ୍ରୀ ଏଭଳି ମନ୍ତବ୍ୟକୁ କଡା ନିନ୍ଦା କରିଛନ୍ତି । ଆପ୍ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଜେପି ନେତାଙ୍କ ଏଭଳି ମନ୍ତବ୍ୟ ନିନ୍ଦନୀୟ ବୋଲି କହିଛନ୍ତି । ବିଜେପି ନେତାଙ୍କ ଅହଙ୍କାର ଚରମସୀମାରେ ପହଞ୍ଚିଛି ବୋଲି ନିଜ ଏକ୍ସ ହ୍ୟାଣ୍ଡେଲରେ ପ୍ରତିକ୍ରିୟା ରଖିଛନ୍ତି କେଜ୍ରିୱାଲ।

ଆହୁରି ମଧ୍ୟ ସମ୍ବିତ ପାତ୍ରଙ୍କ ମନ୍ତବ୍ୟ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧି ବିଜେପି ଉପରେ ବର୍ଷିଛନ୍ତି । ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନିଜକୁ ଶେହନସା ଓ ତାଙ୍କ ଦଳର ଲୋକ ତାଙ୍କୁ ଭଗବାନ ବୋଲି ଭାବିଲେଣି ଏହା ସ୍ପଷ୍ଟ ହୋଇଛି ଯେ ପାପର ଲଙ୍କାର ପତନ ସୁନିଶ୍ଚିତ। କୋଟି କୋଟି ଲୋକଙ୍କ ଆସ୍ଥାକୁ ଆଘାତ ପହଞ୍ଚାଇବାର ଅଧିକାର କିଛି ବିଜେପିର ଲୋକଙ୍କୁ କିଏ ଦେଲା ବୋଲି ପ୍ରଶ୍ନ କରିଛନ୍ତି ରାହୁଲ। ଅନ୍ୟପଟେ ସମ୍ବିତଙ୍କ ମନ୍ତବ୍ୟକୁ କଂଗ୍ରେସ ଘୋର ନିନ୍ଦା କରିବା ସହ ତୁରନ୍ତ ତାଙ୍କୁ ଗିରଫ କରିବାକୁ ଦାବି କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଚାର ସମୟରେ ଏଭଳି ଘଟଣା ଘଟିଥିବାରୁ ମୋଦି ବି କ୍ଷମା ପାର୍ଥନା କରିବାକୁ ଦାବି କରିଛନ୍ତି କଂଗ୍ରେସନିର୍ବାଚନ ପରିଚାଳନା କମିଟି ଅଧ୍ୟକ୍ଷ ପ୍ରସାଦ ହରିଚନ୍ଦନ । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ନିଜର ଏକ୍ସ ହ୍ୟାଣ୍ଡେଲରେ ଏହାକୁ କଡା ନିନ୍ଦା କରିବା ସହ ଏହା ମହାପ୍ରଭୁଙ୍କ ପ୍ରତି ଅପମାନ ବୋଲି କହି ସମାଲୋଚନା କରିଛନ୍ତି ।

ଗତକାଲି ପୁରୀରେ ପ୍ରଧାମନ୍ତ୍ରୀଙ୍କ ରୋଡ ଶୋ ସମୟରେ ଯୋଗ ଦେବା ବେଳେ ଏକ ନିର୍ଦ୍ଧିଷ୍ଟ ନ୍ୟୁଜ ଚ୍ୟାନେଲକୁ ସମ୍ବିତ କହିଥିଲେ, ପ୍ରଭୁ ଜଗନ୍ନାଥ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭକ୍ତ । ଯାହାପରେ ଆରମ୍ଭ ହୋଇଥିଲା ରାଜନୈତିକ ବୟାନବାଜି । ନିର୍ବାଚନୀ ପ୍ରଚାର ଚାପରେ ହେଉ କି ଭୁଲବଶତଃ ଜଗନ୍ନାଥ ମାଟିର ପୁଅ ହୋଇ ସମ୍ବିତ କିଭଳି ଏପରି ଏକ ଉକ୍ତି କହିପାରିଲେ ତାହାକୁ ନେଇ ଅନେକ ମାହୋଲରେ ନିନ୍ଦା ହୋଇଥିଲା । ଏହାପରେ ବିରୋଧୀ ମଧ୍ୟ ଏହି ଆଡରେ ସମ୍ବିତଙ୍କ ସମେତ ବିଜେପି ଉପରେ ଅନେକ ପ୍ରଶ୍ନ ଉଠାଇଥିଲା । ସୋସିଆଲ ମିଡିଆରେ ସମ୍ବିତଙ୍କ ଏହି ଉକ୍ତି ଭାଇରାଲ ହେବାରେ ଲାଗିଲା ।

ତେବେ ଗତକାଲି ରାତିରେ ସମ୍ବିତ ପାତ୍ର ଏନେଇ ନିଜ ଏକ୍ସ ହ୍ୟାଣ୍ଡେଲର ସ୍ଫଷ୍ଟିକରଣ ରଖିବା ସହ କ୍ଷମାପ୍ରାର୍ଥନା କରିଛନ୍ତି । ସେ କହିଛନ୍ତି, ‘ନରେନ୍ଦ୍ର ମୋଦୀଙ୍କ ପୁରୀ ଆଗମନ ଅବସରରେ ପୁରୀ ବଡ଼ଦାଣ୍ଡରେ ଜନଗହଳିରେ ଅନେକ ମିଡିଆ ବନ୍ଧୁଙ୍କ ଆଗରେ ନିଜର ମତ ରଖିଥିଲି । ଏହାରି ଭିତରେ ଜଣେ ମିଡ଼ିଆ ବନ୍ଧୁଙ୍କ ଆଗରେ ମନ୍ତବ୍ୟ ରଖିବା ସମୟରେ ‘ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭକ୍ତ ମୋଦି’ କହିବା ବଦଳରେ ଭୁଲ ବଶତଃ ‘ମୋଦିଙ୍କ ଭକ୍ତ ଜଗନ୍ନାଥ’ ଉଚ୍ଚାରଣ ହୋଇଯାଇଥିଲା । ଏହି ଭୁଲ ପାଇଁ ମୁଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଶ୍ରୀ ଚରଣରେ ଦଣ୍ଡବତ ହୋଇ କ୍ଷମା ମାଗୁଛି । ଏହି ଭୁଲର ପଶ୍ଚାତାପ ପାଇଁ ମୁଁ ୩ ଦିନ ଉପବାସ କରିବି । ନିଜ ଭୁଲର ପ୍ରାୟଶ୍ଚିତ କରିବି ।’

Leave A Reply

Your email address will not be published.