ଭୁବନେଶ୍ବର: ଗତ ମାର୍ଚ୍ଚ ମାସରେ ଭୁବନେଶ୍ବର ସହରାଞ୍ଚଳ ଜିଲ୍ଲା ପୋଲିସ ପକ୍ଷରୁ ମୋଟ ୧୩୦୦ ଟି ମାମଲାର ତଦନ୍ତ ସମ୍ପୂର୍ଣ କରି ତଦନ୍ତକାରୀ ଅଫିସରମାନେ ନ୍ୟାୟାଳୟରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଛନ୍ତି । ଭୁବନେଶ୍ବର ସହରାଞ୍ଚଳର ବିଭିନ୍ନ ଥାନାରେ ପ୍ରାୟ ଦଶ ହଜାରରୁ ଉର୍ଦ୍ଧ୍ବ ମାମଲାର ବାକି ରହିଥିବା ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରି, ପ୍ରତି ମାସରେ ପଞ୍ଜୀକୃତ ହେଉଥିବା ପ୍ରାୟ ୧୨୦୦ ରୁ ଉର୍ଦ୍ଧ୍ବ ମାମଲା ଠାରୁ ଅଧିକ ମାମଲା ର ତଦନ୍ତ ପକ୍ରିୟା ସାରିବା ପାଇଁ ଏକ ଅଭିନବ ପ୍ରୟାସ ଆରମ୍ଭ ହୋଇଛି ।
ପ୍ରତିଟି ଜୋନକୁ ଜଣେ ଲେଖାଏଁ ଆଡିସିନାଲ ଡିସିପିଙ୍କୁ ପରାମର୍ଶଦାତା ରଖି ପ୍ରତ୍ୟକ ତଦନ୍ତକାରୀ ଅଫିସରଙ୍କ ପାଖରେ ବାକି ରହିଥିବା ତଦନ୍ତ ଗୁଡିକୁ ପରୀକ୍ଷା କରି କିଭଳି ତାହାର ତଦନ୍ତ ପ୍ରକ୍ରିୟା ସାରିବା ଉପରେ ଗୁରୁତ୍ବ ଦିଆଯାଉଛି । ଆହୁରି ମଧ୍ୟ ଡିସିପିଙ୍କ ଅଫିସରେ କାର୍ଯ୍ୟରତ ପ୍ରତ୍ୟେକ ଆଡିସିନାଲ ଡିସିପି, ଏସିପି ଓ ଇନ୍ସପେକ୍ଟର ମାନଙ୍କୁ ମେନ୍ଟର ହିସାବରେ ସବୁଠାରୁ ଅଧିକ ମାମଲାର ତଦନ୍ତ ବାକି ରଖିଥିବା ପ୍ରାୟ ୧୫ ଟି ଲେଖାଏଁ ଅଫିସରଙ୍କର ମାମଲା ଗୁଡିକ ପରୀକ୍ଷା କରି ମାମଲା ଶେଷ କରିବା ପାଇଁ ଉପଯୁକ୍ତ ନିର୍ଦ୍ଦେଶମାନ ଦିଆଯାଉଛି ।
ଏହି କ୍ରମରେ ଗତ ମାର୍ଚ୍ଚ ମାସରେ ବିଧାନସଭାର ଅଧିବେଶନ ଚାଲିବା ସହିତ ଅନ୍ୟାନ୍ୟ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରି ମଧ୍ୟ, ୧୨୩୨ଟି ମାମଲା ପଞ୍ଜୀକୃତ ହୋଇଥିବା ବେଳେ ୧୩୦୦ଟି ମାମଲାର ତଦନ୍ତ ଶେଷ କରାଯାଇଛି । ଆଗକୁ ପ୍ରତି ମାସରେ ୨୦୦୦ ରୁ ଅଧିକ ମାମଲା ତଦନ୍ତ ଶେଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହି ସଂକ୍ରାନ୍ତରେ ଥାନା ଅଧିକାରୀ ଓ ତଦନ୍ତକାରୀ ଅଫିସରମାନଙ୍କୁ କଡା ନିର୍ଦ୍ଦେଶ ମିଳିଛି ।
ଏହା ଦ୍ବାରା ଜନସାଧାରଣ ମାନେ ତ୍ଵରିତ ନ୍ୟାୟ ପାଇବା ସହ ତାଙ୍କର ମାମଲା ବିଷୟରେ ଜାଣିବା ପାଇଁ ଥାନାକୁ ଯିବାକୁ ପଡିବ ନାହିଁ । ଅନ୍ୟ ପକ୍ଷରେ ଥାନାରେ ଗଡ଼ୁଥିବା ପୁରୁଣା ମାମଲା ଗୁଡିକରେ ଅଭିଯୋଗ ଫଳ ଦାଖଲ ହେଲେ ଥାନା ମାନଙ୍କରେ ମାମଲାର ଚାପ କମିବାର ଆଶା କରାଯାଉଛି ।
ତଦନ୍ତକାରୀ ଅଫିସର୍ ମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କର କାର୍ଯ୍ୟ ଦକ୍ଷତା ବଢେଇବା ପାଇଁ ଶ୍ରୀ ମୀନା ତଦନ୍ତକାରୀ ଅଫିସର୍ ମାନଙ୍କୁ ପୁରସ୍କାର ରାଶି ଓ ପ୍ରଶଂସା ପତ୍ର ବଣ୍ଟନ ବ୍ୟବସ୍ଥା କରିଛନ୍ତି । ଗତ ମାସରେ ସର୍ବାଧିକ ୨୭ଟି ମାମଲାର ତଦନ୍ତ ସାରି ନୟାପଲ୍ଲୀ ଥାନାର ସବ-ଇନ୍ସପେକ୍ଟର ଶୁଭ୍ରାଂଶୁ ମହାପାତ୍ର ୧୦,୦୦୦ ଟଙ୍କା ପୁରସ୍କାର ରାଶି ଓ ପ୍ରଶଂସା ପତ୍ର ପାଇବା ସହ ୧୭ ଟି ମାମଲାର ତଦନ୍ତ ସାରି ଜଟଣୀ ଥାନାର ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ରମ୍ଭାବତି ବରୁଆ, ୧୭ ଟି ମାମଲାର ତଦନ୍ତ ସାରି ଜଟଣୀ ଥାନା ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ଏସ.କେ ସବୀର ହୁସେନ୍ ଓ ନୟାପଲ୍ଲୀ ଥାନାର ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ଗଙ୍ଗାଧର ପ୍ରଧାନ ପ୍ରତ୍ୟେକ ୭,୫୦୦ ଟଙ୍କା ପୁରସ୍କାର ରାଶି ଓ ପ୍ରଶଂସା ପତ୍ର ପାଇଛନ୍ତି । ଏହି କ୍ରମରେ ୨୨ ଜଣଙ୍କୁ ୫,୦୦୦ ଟଙ୍କା ଓ ପ୍ରଶଂସା ପତ୍ର ଏବଂ ମୋଟ ୬୭ ଜଣଙ୍କୁ ପୁରସ୍କାର ରାଶି ମିଳିଛି ।
ଆଗକୁ ଏହି ପ୍ରକ୍ରିୟାକୁ ତ୍ବରାନ୍ବିତ କରି ଭୁବନେଶ୍ୱର ସହରାଞ୍ଚଳ ଜିଲ୍ଲାର ବାକି ରହିଥିବା ମାମଲା ସଂଖ୍ୟାକୁ ହ୍ରାସ କରିବା ପାଇଁ ଲକ୍ଷ୍ୟ ରଖା ଯାଇଛି ବୋଲି ଭୁବନେଶ୍ବର ଡିସିପି ପ୍ରକାଶ କରିଛନ୍ତି ।
Comments are closed.