Latest Odisha News

BREAKING NEWS

ORHDC ଦୁର୍ନୀତି ମାମଲା, ମୋକିମଙ୍କ ସହ ୪ ଜଣଙ୍କୁ ଜେଲ୍

ଭୁବନେଶ୍ୱର: ଓଡ଼ିଶା ରୁରାଲ୍ ହାଉସିଂ ଡେଭଲପମେଣ୍ଟ କର୍ପୋରେସନ୍ (ORHDC) ଦୁର୍ନୀତି ମାମଲାରେ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ଜେଲ୍ ଦଣ୍ଡାଦେଶ ହୋଇଛି । ମହମ୍ମଦ ମୋକିମଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି । ଏଥିସହ ଅବସରପ୍ରାପ୍ତ ପୂର୍ବତନ ଆଇଏଏସ୍ ଅଧିକାରୀ ବିନୋଦ କୁମାରଙ୍କୁ କୋର୍ଟ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ।

ଆଜି ORHDC ଦୁର୍ନୀତି ମାମଲାର ରାୟ ଶୁଣାଇଛନ୍ତି ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ମାମଲାରେ ORHDCର ତତ୍କାଳୀନ ଏମଡି ଆଇଏଏସ୍ ବିନୋଦ କୁମାର, କମ୍ପାନୀ ସେକ୍ରେଟାରୀ ସ୍ୱସ୍ତି ରଞ୍ଜନ ମହାପାତ୍ର, ମେଟ୍ରୋ ବିଲଡର୍ସ ଏମଡି ମହମ୍ମଦ ମୋକିମ୍ ଏବଂ ମେଟ୍ରୋ ବିଲଡର୍ସ ନିର୍ଦ୍ଦେଶକ ପୀୟୁଷଧରି ମହାନ୍ତିଙ୍କୁ କୋର୍ଟ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ।

ସମସ୍ତଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ସହ ୫୦ ହଜାର ଲେଖାଏ ଜରିମାନା କରିଛନ୍ତି କୋର୍ଟ । ୨୦୦୦ ମସହିଆ ଜାନୁଆରୀରୁ ୨୦୦୧ ମେ ମାସ ମଧ୍ୟରେ ବିନୋଦ କୁମାର ORHDCର ଏମଡି ଥିଲେ । ସେହି ସମୟରେ ସେ ମେଟ୍ରୋ ବିଲଡର୍ସକୁ ୫୦ଟି ଫ୍ଲାଟ ନିର୍ମାଣ ପାଇଁ ୧୫୦ ଲକ୍ଷ ଟଙ୍କା ଋଣ ଦେଇଥିଲେ । ୩ଟି ଇନଷ୍ଟଲମେଣ୍ଟରେ ମେଟ୍ରୋ ବିଲଡର୍ସ ସମ୍ପୂର୍ଣ୍ଣ ଋଣ ପାଇଥିଲା ।

କିନ୍ତୁ ORHDCର ଏମଡି ଭାବେ କ୍ଷମତା ନଥାଇ ବିନୋଦ କୁମାର ୧୫୦ ଲକ୍ଷ ଟଙ୍କା ଋଣ ଦେଇଥିଲେ । ଯେତେବେଳେ କି ଋଣ ଦେବା କ୍ଷମତା ORHDCର ବୋର୍ଡ ନିର୍ଦ୍ଦେଶକଙ୍କ ପାଖରେ ରହିଥିଲା । ଏପରିକି ଏହା ବିଷୟରେ ବୋର୍ଡର ନିର୍ଦ୍ଦେଶକମାନଙ୍କୁ ମଧ୍ୟ ବିନୋଦ କୁମାର ଜଣାଇ ନଥିଲେ । କୌଣସି ଦସ୍ତାବିଜ୍ ମଧ୍ୟ ଯାଞ୍ଚ କରାଯାଇ ନଥିଲା ।

ଏପରିକି ମେଟ୍ରୋ ବିଲଡର୍ସ ବିଡିଏ ପ୍ଲାନ୍, ପ୍ରୋଜେକ୍ଟ ଏଷ୍ଟିମେଟ୍, ଅଗ୍ନି ନିରାପତ୍ତା ପ୍ରମାଣପତ୍ରର ଜାଲିଆତି କରିଥିଲା । ୨୦୧୭ ଅକ୍ଟୋବର ୩୧ ସୁଦ୍ଧା ମେଟ୍ରୋ ବିଲଡର୍ସ ଉପରେ ୬ କୋଟି ୨୨ ଲକ୍ଷ ୨୫ ହଜାର ୨୧୪ ଟଙ୍କା ବକେୟା ଗଡ଼ୁଛି । ମାମଲାରେ ବିଲଡରଙ୍କୁ ଅହେତୁକ ଅନୁଗ୍ରହ ପ୍ରଦର୍ଶନ କରାଯାଇଥିବା କୋର୍ଟ କହିଛନ୍ତି ।

Leave A Reply

Your email address will not be published.