Latest Odisha News

ଆଇଆଇଏମ୍‍ସି ପକ୍ଷରୁ ଓଡ଼ିଆ ସାମ୍ବାଦିକତା ଦିବସ ପାଳିତ

ଢେଙ୍କାନାଳ : ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି) ଢେଙ୍କାନାଳ ପକ୍ଷରୁ ଅନଲାଇନ ମାଧ୍ୟମରେ ‘ଓଡ଼ିଆ ସାମ୍ବାଦିକତା ଦିବସ’ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଅନୁବାଦକ ତଥା ସ୍ତମ୍ଭକାର ପ୍ରଫେସର ଯତୀନ୍ଦ୍ର ନାୟକ ଯୋଗଦେଇଥିଲେ l

‘ସାମ୍ବାଦିକତା ଓ ସାହିତ୍ୟ’ ଉପରେ ବକ୍ତବ୍ୟ ଦେଇ ପ୍ରଫେସର ନାୟକ କହିଥିଲେ ଯେ, ସାମ୍ବାଦିକତା ଓ ସାହିତ୍ୟ ମଧ୍ୟରେ ଅନେକ କ୍ଷେତ୍ରରେ ସମାନତା ରହିଛି । ଦୁଇଟିର ସମାନତାକୁ ଧ୍ୟାନ ଦିଆଯିବା ଉଚିତ l ସାମ୍ବାଦିକତା କେବଳ ତଥ୍ୟ ଯୋଗେଇବା ପାଇଁ ନୁହେଁ କି ସାହିତ୍ୟ କେବଳ କାଳ୍ପନିକ ବିଷୟବସ୍ତୁ ନୁହେଁ l ସାମ୍ବାଦିକମାନେ ସର୍ଜନଶୀଳ ସାହିତ୍ୟ ରଚନାର ଶୈଳୀ ଆପଣେଇବା ଦରକାର l ଏହି ପରିପ୍ରେକ୍ଷୀରେ ବିଶ୍ୱର ପ୍ରସିଦ୍ଧ ସାମ୍ବାଦିକ ତଥା ସାହିତ୍ୟିକ ଗାର୍ବିଏଲ୍‍ ଗାର୍ସିଆ ମାର୍‍କୁଏଜ୍‍, ଜର୍ଜ ଓର୍‍ୱେଲ୍‍, ରିଚାର୍ଡ କାପୁସିଙ୍କି ଓ ଏର୍‍ନେଷ୍ଟ ମିଲର ହେମିଙ୍ଗ୍‍ୱେଙ୍କ ଉଦାହରଣ ଦେଇ ପ୍ରଫେସର ନାୟକ କହିଲେ ଯେ, ସେମାନେ ଅନେକ ସମୟରେ ସାହିତ୍ୟର କଳ୍ପନା ଜଗତରୁ ଅନେକ କଥା ନେଇକି ସାମ୍ବାଦିକତା ମାଧ୍ୟମରେ ଉପସ୍ଥାପନ କରିଛନ୍ତି । ସାମ୍ବାଦିକତାରେ ଜଣେ କଳ୍ପନା ଭିତରୁ ସତ୍ୟକୁ ବାହାର କରିବାକୁ ଚେଷ୍ଟା କରେ । ଏହାକୁ ‘ମ୍ୟାଜିକ୍‍ ଜର୍ଣ୍ଣାଲିଜମ୍‍’ ବୋଲି କୁହାଯାଏ । ସେହିପରି ସାହିତ୍ୟିକମାନେ ମଧ୍ୟ କେବଳ ବିଳାସ ସ୍ୱପ୍ନ ବା ଅବିଶ୍ୱସନୀୟ ଘଟଣା ଉପରେ ଗୁରୁତ୍ୱ ନ ଦେଇ ସମାଜରେ ଘଟୁଥିବା ବାସ୍ତବ ଘଟଣାକୁ ସାହିତ୍ୟର ରୂପ ଦେଉଛନ୍ତି । ଏହାକୁ ‘ମ୍ୟାଜିକ୍‍ ରିୟଲିଜମ୍‍’ ବୋଲି କୁହାଯାଏ l ଉତ୍କଳ ଦୀପିକା’ର ଉଦ୍ଦେଶ୍ୟ ଭାଷାଭିତ୍ତିକ ଗୋଟିଏ ପ୍ରଦେଶ ଗଠନ କରିବା ଥିଲା ବୋଲି ମଧ୍ୟ ସେ ମତବ୍ୟକ୍ତ କରିଥିଲେ l

ଏହି କାର୍ଯ୍ୟକ୍ରମରେ, ‘ଓଡ଼ିଆ ସାମ୍ବାଦିକତା ଦିବସ’ ଉପରେ ୨୦୨୦-୨୧ ଶିକ୍ଷାବର୍ଷର ଓଡ଼ିଆ ସାମ୍ବାଦିକତା ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ଏକ ଭିଡିଓ ସ୍କ୍ରିନିଂ ହୋଇଥିଲା ।

ଏହି ଅବସରରେ ୨୦୨୦-୨୧ ଶିକ୍ଷାବର୍ଷର ଓଡ଼ିଆ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମର ପ୍ରଥମ ସେମିଷ୍ଟରରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ରୀ ଯାଜ୍ଞସେନୀ ଧଳଙ୍କୁ ରାଧାନାଥ ରଥ ବୃତ୍ତି ଏବଂ ଇଂରାଜୀ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମର ଛାତ୍ରୀ ଖ୍ୟାତି ସଙ୍ଗୀରଙ୍କୁ ଡ. ସତ୍ୟ ମହାପାତ୍ର ସ୍ମାରକୀ ବୃତ୍ତି ପ୍ରଦାନ କରାଯାଇଥିଲା ।

ଆଇଆଇଏମ୍‍ସିର ସହକାରୀ ପ୍ରଫେସର ଜ୍ୟୋତି ପ୍ରକାଶ ମହାପାତ୍ରଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

Leave A Reply

Your email address will not be published.