Latest Odisha News

BREAKING NEWS

ମିଛୁଆ ରାଧୁଆ

ଚିନ୍ମୟ କୁମାର ହୋତାଙ୍କ ନିୟମିତ ସମ୍ଭ ଏଇ କଥାକୁ ……

ଏଇ କିଛି ଦିନ ତଳେ ଜାତୀୟ ସ୍ଥରର କୋଭିଡ ପ୍ରବକ୍ତା  ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରୱାଲ ଗୋଟିଏ ବ୍ୟକ୍ତବ୍ୟ ରଖିଲେ ଯେ ଲୋକେ କୁଆଡେ କରୋନାର ତୃତୀୟ ଲହରୀକୁ “ମୌସୁମୀର ଅପଡେଟ୍” ଭଳି ଗ୍ରହଣ କରୁଛନ୍ତି ତଥା ଏହାକୁ କେହି ଗମ୍ଭିରତାର ସହ ଗ୍ରହଣ କରୁ ନାହାନ୍ତି । ଅବଶ୍ୟ ମହାମାରୀ ବିଷୟକ ଭାଷ୍ୟକାର ହିସାବରେ ଲୋକଙ୍କ ମନରେ ଟିକିଏ ଭିତି ସଞ୍ଚାର କରିବା ଓ ସର୍ବସାଧାରଣାଙ୍କୁ ସଜାଗ କରିବା ତାଙ୍କର ଉଦ୍ଦେଶ୍ୟ ଥିଲା। ହେଲେ ସେହି ଲକ୍ଷ୍ୟ ସାଧନ କରିବାକୁ ଯାଇ ସେ ସରକାରଙ୍କର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଯଥା ପାଣିପାଗ ବିଭାଗ ଓ ଜଳବାୟୁ ବିଜ୍ଞାନ ପ୍ରତି କ୍ରୁର ବିଦ୍ରୁପ କରିପକେଇଛନ୍ତି। କିନ୍ତୁ ଅଜାଣତରେ ପାଣିପାଗ ସୂଚନାକୁ ସ୍ୱାସ୍ଥ୍ୟ ସୂଚନା ପାର୍ଶ୍ୱକୁ ଟାଣି ଆଣି ପ୍ରବକ୍ତା ଜଣକ ଏ ଦିହିଁଙ୍କର ଶକ୍ତି ଓ ଦୁର୍ବଳତା ତୁଳନା କରିବାର ଏକ ସୁଯୋଗ ଉପୁଯାଇଛନ୍ତି।

୨୦୨୦ ମସିହା ମାର୍ଚ୍ଚ ମାସରୁ ଏହି ମହାମାରୀ ଆମ ଦେଶକୁ କବଳିତ କରି ରଖିଛି। ତ୍ରସ୍ତ ଜନତାକୁ କୋଭିଡର ସଂକ୍ରମଣ ସମ୍ପର୍କରେ ସବିଶେଷ ବିବରଣୀ ଦେବା ପାଇଁ ସରକାରୀ ଭାବରେ ଦୈନିକ ତଥ୍ୟ ପ୍ରଦାନର ବ୍ୟବସ୍ଥା କରାଯାଇଛି। ଏହି ଦୈନିକ ଯୋଗାଯୋଗ ମାଧ୍ୟମରେ ରୋଗ ସମ୍ପର୍କିତ ନବୀନତମ ବୈଜ୍ଞାନିକ ରାୟ ଓ ଭୂତାଣୁ ଠାରୁ ବର୍ତ୍ତିବାର ଉପାୟ ମଧ୍ୟ  ଜଣାଇ ଦିଆ ଯାଉଛି। ହେଲେ ଆରମ୍ଭରୁ ଆଜି ଯାଏଁ ଯେତିକି ତଥ୍ୟ ଦିଆ ଯାଇଛି କିମ୍ବା ଭବିଷ୍ୟତ ରେ ସଂକ୍ରମଣର ଗତି ପ୍ରଗତି ବିଷୟରେ ଯାହା ଭବିଷ୍ୟବାଣୀ କରାଯାଇଛି ସେ ଭିତରୁ ଅଧିକାଂଶ ଭୁଲ ସାବ୍ୟସ୍ତ ହୋଇଛି। ଗତକାଲି ଦିଆ ଯାଇଥିବା ତଥାକଥିତ ବୈଜ୍ଞାନିକ ନିଷ୍କର୍ଷକୁ ଆଜିର ନୂଆ ଆବିଷ୍କାର ପ୍ରତ୍ୟାଖ୍ୟାନ କରିଛି। ଉଦାହରଣ ସ୍ୱରୂପ ଆମେ କୋଭିଡର ଆଗାମୀ ଲହର ବିଷୟରେ ଅନେକ ଭବିଷ୍ୟତ ବାଣୀ ପଥଚ୍ୟୁତ ହେବାର ଦେଖିସାରିଲୁଣି। ଗତ ବର୍ଷ ଶୀତ ଋତୁ ବେଳେ ପରିସ୍ଥିତି ସଂଗୀନ ହେବ ବୋଲି “ବିଶେଷଜ୍ଞ” ମାନେ ଚେତାବନୀ ଦେଇଥିବା ବେଳେ ସେ ସମୟରେ ସଂକ୍ରମଣ ଦ୍ରୁତ ହ୍ରାସ ପାଇଥିଲା। ତୃତୀୟ ଲହରୀ ଜୁନ୍‌ ମାସରୁ ଆସିବ ବୋଲି କୁହା ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାର ଦେଖା ନାହିଁ। ସେମିତ କରୋନା ପ୍ରଥମ ତରଙ୍ଗ କ୍ରମାଗତ ହ୍ରାସ ପାଇବା ବେଳେ ଏହି ଧାରଣା ଦିଆ ଯାଇଥିଲା ଯେ ମହାମାରୀ ଲୋପ ପାଇବା ବାଟରେ।

UK Adds India To Travel Red List After Ccoronavirus Surge

କେବଳ ସଂକ୍ରମଣର ଆଗାମୀ ତରଙ୍ଗ କାହିଁକି ପ୍ରାୟ ଅନ୍ୟାନ୍ୟ ସମସ୍ତ ଆନୁସଙ୍ଗିକ ବିଷୟରେ ଯାହା ତଥ୍ୟ ପ୍ରଦାନ କରା ଯାଇଛି ତାହା ପରେ ଭୁଲ କିମ୍ବା ବିବାଦୀୟ ସାବ୍ୟସ୍ତ ହୋଇଛି, ଯେମିତିକି ଭୂତାଣୁ ବାୟୁ ଦ୍ୱାରା ସଂକ୍ରମିତ ହୁଏ କି ନାହିଁ, ଘର ଭିତରେ ମାସ୍କ ପିନ୍ଧିବା ଦରକାର କି ନାହିଁ, ଗୃହ ସଙ୍ଗରୋଧର ଅବଧି କେତେ ଦିନ ହେବା ଉଚିତ, ଟିକାର ଦୁଇ ଡୋଜ ଭିତରେ ବ୍ୟବଧାନ କେତେ ହେବା ଉଚିତ, ଛୋଟ ପିଲା ମାନଙ୍କୁ ଭୂତାଣୁ ଆକ୍ରାନ୍ତ କରିବ କି ନାହିଁ, ଏମିତି ଆହୁରି କେତେ ବିଷୟ। ଅବଶ୍ୟ ତଥ୍ୟର ଏହି ଅନିର୍ଦ୍ଧିଷ୍ଟତା ପାଇଁ ଆମେ ସରକାରୀ ପ୍ରବକ୍ତା କିମ୍ବା ବୈଜ୍ଞାନିକ ଓ ଅନ୍ୟାନ୍ୟ ବିଶାରଦ ମାନଙ୍କୁ ଦୋଷ ଦେଇ ପାରିବା ନାହିଁ। ଅନେକ ଗବେଷଣା ଓ ପର୍ଯ୍ୟବେକ୍ଷଣ ପରେ ଯାଇ ତଥ୍ୟ ଗୁଡିକୁ ଜନସାଧାରଣଙ୍କ ଗୋଚାରାର୍ଥେ ପ୍ରକାଶ କରାଯାଉଛି। ଏଠି କେବଳ ଗୋଟିଏ କଥା ଲକ୍ଷ କରିବାର ଅଛି ଯେ କଠୋର ବୈଜ୍ଞାନିକ ନିରୀକ୍ଷଣ ପରେ ମଧ୍ୟ କୌଣସି ବିଷୟରେ ଭବିଷ୍ୟବାଣୀ କରିବା ସହଜସାଧ୍ୟ ନୁହେଁ, ସେ ମୌସମୀର ପ୍ରବାହ ହେଉ ଅଥବା ମହାମାରୀର ପ୍ରଗତି। ବରଂ ଏ କଥାବି  ବିଚାରଯୋଗ୍ୟ ଯେ ଯଦି ବାରମ୍ବାର ତଥ୍ୟ ଭୁଲ ପ୍ରମାଣିତ ହେବ ତେବେ ଲୋକେ ‘ମିଛୁଆ ରାଧୁଆ’ ନ୍ୟାୟରେ ସରକାରୀ ସୂଚନାକୁ ଅବିଶ୍ୱାସ କରିବେ।

ବର୍ତ୍ତମାନ ଆସିବା ଜଳବାୟୁ ସୂଚନା କିମ୍ବା ଉପରୋକ୍ତ ବ୍ୟକ୍ତବ୍ୟରେ ଉଲ୍ଲେଖ କରାଯାଇଥିବା “ମୌସୁମୀର ଅପଡେଟ୍” ବିଷୟକୁ। ଯଦିଓ ଏଠି ଜଳବାୟୁ ସୂଚନା ଉପରେ ଲୋକଙ୍କର ଆସ୍ଥା ନ ଥିବା କଥା ପରୋକ୍ଷ ଭାବରେ କୁହାଯାଇଛି, ଏ କଥା ସତ ଯେ ଆଗାମୀ ଜଳବାୟୁ ର ପୂର୍ବ ସୂଚନା ଖୋଜିବା ମଣିଷର ଏକ ପୁରୁଣା ପ୍ରବୃତ୍ତି। ଏହି ଭବିଷ୍ୟତ ସୂଚନାକୁ ଆଧାର କରି ସେ ତାର କୃଷି କାର୍ଯ୍ୟ ଓ ଯାତ୍ରା ଇତ୍ୟାଦି ବିଷୟରେ ନିଷ୍ପତ୍ତି ନେଇଥାଏ। ଜଳବାୟୁ ବିଷୟରେ ପୂର୍ବାନୁମାନ କରିବା ମଣିଷର ଏତେ ପୁରୁଣା ଅଭ୍ୟାସ ଯେ ବର୍ଷାର ସମ୍ଭାବନା ଓ ମାତ୍ରା ଆକଳନ କରିବା ପାଇଁ ପ୍ରାୟ ସବୁ ସମାଜରେ ଲୋକକଥା ଓ ଢଗଢମାଳି ମାନ ତିଆରି କରାଯାଇଛି। ଚନ୍ଦ୍ରର ଅବସ୍ଥିତି, ବିଭିନ୍ନ ଫୁଲ ଫୁଟିବାର ସମୟ ଇତ୍ୟାଦିକୁ ନେଇ ମୌସୁମୀ ବାୟୁ ବିଷୟରେ କଳ୍ପନା ଜଳ୍ପନା କରା ଯାଇଥାଏ।

ବିଜ୍ଞାନ ଉପରେ ଆଧାରିତ ଜଳବାୟୁ ସୂଚନା ଅନେକ କ୍ଷେତ୍ର ରେ ନିର୍ଭୁଲ ପ୍ରମାଣିତ ହୋଇଥାଏ ଓ ଲୋକେ ତାକୁ ଯଥେଷ୍ଟ ଗୁରୁତ୍ୱ ଦିଅନ୍ତି। ଏହି ବିଜ୍ଞାନ ପୂର୍ବାପେକ୍ଷା ସମୟକ୍ରମେ  ଅଧିକ ସଠିକ ହୋଇ ଚାଲିଛି। ୧୯୯୯ ର ଓଡ଼ିଶା ମହାବାତ୍ୟା ରେ ଅନେକ ଜୀବନ ଓ ସମ୍ପତ୍ତି ନଷ୍ଟ ହୋଇଥିଲେ ସୁଦ୍ଧା ଗତ କିଛି ବର୍ଷ ହେଲା ବାତ୍ୟାଗୁଡିକରେ ଜଳବାୟୁ ବିଭାଗର ପୂର୍ବାନୁମାନ ଫଳରେ କ୍ଷୟକ୍ଷତି କୁ ସୀମିତ କରାଯାଇ ପାରିଛି। ଏହି କାରଣରୁ ସରକାରୀ ପ୍ରଵକ୍ତାଙ୍କ “ମୌସୁମୀର ଅପଡେଟ୍” ପ୍ରତି କଟାକ୍ଷ ଜମା ଯୁକ୍ତି ଯୁକ୍ତ ନୁହେଁ।

(ମୋବାଇଲ: ୯୪୩୭୦୮୯୬୫୫)

Leave A Reply

Your email address will not be published.