Latest Odisha News

ଓସ୍‌ଜା ବାର୍ଷିକ କ୍ରୀଡ଼ା ପୁରସ୍କାର ସମାରୋହ; “ଶୃଙ୍ଖଳା ହିଁ ସଫଳତାର ମାପକାଠି: କିଶୋର ଜେନା” 

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍‌ ଟେନିସ ସେଣ୍ଟରରେ ଆୟୋଜିତ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍‌ଜା) ଦ୍ବାରା ଚଳିତ ବର୍ଷର ଶ୍ରେଷ୍ଠ କ୍ରୀଡ଼ାବିତ ପୁରସ୍କାର ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ଏସିଆଡ଼ କ୍ରୀଡ଼ା ପଦକ ବିଜେତା ଜାଭେଲିନ୍‌ ଫିଙ୍ଗାଳି କିଶୋର ଜେନା ଯୋଗଦେଇଥିଲେ। ଶୃଙ୍ଖଳା ଓ କଠିନ ପରିଶ୍ରମ ହିଁ ସଫଳତାର ମାପକାଠି। ଏହି ଦୁଇ ନିୟମ ସହ ପ୍ରଶିକ୍ଷକଙ୍କ ନିର୍ଦ୍ଦେଶାବଳୀକୁ ମାନି ଖେଳିଲେ ଦିନେ ସଫଳତା ନିଶ୍ଚିତ ଆସିବ ବୋଲି ସେ କହିଛନ୍ତି।

ଅର୍ଜୁନ ପୁରସ୍କାର ବିଜେତା ଭାରୋତ୍ତୋଳକ ତଥା ଓଡ଼ିଶା ଭାରୋତ୍ତୋଳନର ପିତାମହ ବିଜୟ ଶତପଥୀଙ୍କୁ ଜୀବନବ୍ୟାପି ସାଧନା ନିମନ୍ତେ ପୁରସ୍କୃତ କରାଯାଇଛି। ସେ ଅସୁସ୍ଥ ଥିବାରୁ ରବି କୁମାର ତାଙ୍କ ଲାଗି ପୁରସ୍କାର ଗ୍ରହଣ କରିଛନ୍ତି। ପୁରସ୍କାର ବାବଦରେ ଟ୍ରଫି, ଉତ୍ତରୀୟ, ମାନପତ୍ର ଓ ୨୫,୦୦୦ ଟଙ୍କା ପ୍ରଦାନ କରାଯାଇଥିଲା । ଏହି ଅବସରରେ କିଶୋରଙ୍କ ପ୍ରଶିକ୍ଷକ ସମରଜିତ ମଲ୍ଲୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।

ଓସ୍‌ଜା ସଭାପତି ସନ୍ଦୀପ ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ପୁରସ୍କାର ଉତ୍ସବରେ ଅଲିମ୍ପିଆନ ଆଥଲେଟ ଅନୁରାଧା ବିଶ୍ବାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ।ଅର୍ଜୁନ ପୁରସ୍କାର ଭାରୋତ୍ତୋଳକ କାଟୁଲୁ ରବି କୁମାର ସମ୍ମାନିତ ଅତିଥିଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ।

ଓସ୍‌ଜା କାର୍ଯ୍ୟକାରୀ ସଭାପତି କେ. ରବି ସ୍ବାଗତ ଭାଷଣ ପ୍ରଦାନ କରିଥିବାବେଳେ ଯୁଗ୍ମ ସମ୍ପାଦକ ସୁରେଶ ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ଓସ୍‌ଜାର ଏଭଳି କାର୍ଯ୍ୟକ୍ରମକୁ ପୁରସ୍କାର ବିଜେତା କିଶୋର ଜେନା ଓ ରବି କୁମାର ଭୂୟସୀ ପ୍ରଶଂସା କରିଥିଲେ।

ପୂର୍ବରୁ ଏହି ପୁରସ୍କାର ପୂର୍ଣ୍ଣିମା ହେମ୍ବ୍ରମ ଓ ଦେବପ୍ରସାଦ ସିଂ, ସ୍ବସ୍ତି ସିଂ ଓ ପିଟର ତିର୍କୀ, ଅମିତ ରୋହିଦାସ ଓ ବ୍ରଜଭୂଷଣ ମହାନ୍ତି, ପ୍ରମୋଦ ଭଗତ ଓ ପଞ୍ଚାନନ ଗନ୍ତାୟତ, ସ୍ବୟମ୍ସ ମିଶ୍ର ଓ ଅରୁଣ ଦାସ , ବୀରେନ୍ଦ୍ର ଲାକ୍ରା ଓ ଅରୂପାନନ୍ଦ ରାଉତରାୟଙ୍କୁ ଦିଆଯାଇଛି।

Comments are closed.