Latest Odisha News

BREAKING NEWS

ତୃତୀୟ ଦିନରେ ଜମୁଛି ଧନୁଯାତ୍ରା: ଗୋପପୁରରେ କୃଷ୍ଣ ଙ୍କୁ ପାଇ ଆତ୍ମବିଭୋର ନନ୍ଦରାଜା ଓ ରାଣୀ

ବରଗଡ: ତୃତୀୟ ଦିନରେ ଜମୁଛି ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ଗୋପପୁରରେ ଶ୍ରୀକୃଷ୍ଣ ଙ୍କୁ ପାଇ ଆତ୍ମବିଭୋର ହୋଇପଡିଛନ୍ତି ନନ୍ଦରାଜା ଓ ନନ୍ଦରାଣୀ । ସେଥିପାଇଁ ଆୟୋଜନ କରିଛନ୍ତି ନନ୍ଦୋତ୍ସବ । କୃଷ୍ଣ ଜନ୍ମ ପରେ ସାରା ଗୋପପୁର ହୋଇପଡ଼ିଛି ଉତ୍ସବ ମୁଖର । ଏହାସହ କୃଷ୍ଣଙ୍କ ଆଗମନରେ ସମସ୍ତ ଗୋପୀ ଓ ଗୋପାଳ ବେଶ୍ ଉତ୍ସାହିତ ହୋଇ ପଡ଼ିଥିବା ବେଳେ ନନ୍ଦ ଭବନରେ ବଡ଼ ଧୁମଧାମରେ ଆୟୋଜନ କରାଯାଇଛି ନନ୍ଦୋତ୍ସବ ।

ନନ୍ଦରାଜାଙ୍କ ନିମନ୍ତ୍ରଣ ପାଇ ସମସ୍ତ ଗୋପ, ଗୋପାଳ ନନ୍ଦୋତ୍ସବରେ କୃଷ୍ଣଙ୍କୁ ଦୋଳିଝୁଲା ସହ ରାସନୃତ୍ୟରେ ମାତିଯାଇଛନ୍ତି । କୃଷ୍ଣଙ୍କୁ ଦର୍ଶନ କରି ଗୋପପୁରବାସୀ ଆତ୍ମବିଭୋର ହୋଇପଡ଼ିଥିବା ବେଳେ ଧୂପ, ଦୀପ ନୈବେଦ୍ୟ ଦେଇ କୃଷ୍ଣଙ୍କୁ ପୂଜାର୍ଚ୍ଚନା କରିବା ସହ ଘଣ୍ଟବାଦ୍ୟ, ସଙ୍କୀର୍ତ୍ତନ ରେ ଉଛୁଳି ପଡ଼ୁଛି ଗୋପପୁର ଏବଂ ନନ୍ଦରାଜାଙ୍କ କୋଳରେ ଶୋଭା ପାଉଛନ୍ତି ଶ୍ରୀକୃଷ୍ଣ ।

ଗୋପପୁରରେ ଆଧ୍ୟାତ୍ମିକ ବାତ୍ତାବରଣ ଛାଇଯାଇଥିବାବେଳେ, ଦୂରଦୁରାନ୍ତରୁ କୃଷ୍ଣଙ୍କ ବହୁ ଭକ୍ତ ଆସି ପହଞ୍ଚିଛନ୍ତି ଭଗବାନ କୃଷ୍ଣଙ୍କର ବାଲ୍ୟ ଦର୍ଶନ ପାଇଁ । ଧନୁଯାତ୍ରାରେ ଗୋପପୁର ପାଲଟିଥିବା ଅମ୍ବାପାଲି ସତେ ଯେପରି ଦ୍ଵାପର ଯୁଗର ଗୋପପୁର ପରି ମନେ ହେଉଛି । ଘରେ ଘରେ ଭଗବାନ ଶ୍ରୀକୃଷ୍ଣଙ୍କର ବାଲ୍ୟଲୀଳା ର ଛବି ସହିତ ସମସ୍ତ ଘର ଅଗଣାରେ ରଙ୍ଗୋଲି ଲାଗିରହିଛି । ଗୋପୀ ଗୋପାଙ୍ଗ ମାନଙ୍କର ଅବସ୍ଥିତି ସେହି ଦ୍ଵାପର ଯୁଗର ଗୋପପୁର ପରି ହୃଦୟଙ୍ଗମ କରାଉଛି ଦର୍ଶକମାନଙ୍କୁ ।

Leave A Reply

Your email address will not be published.