Latest Odisha News

ସ୍ବର୍ଗଦ୍ବାର ନିକଟରେ ଖୋଲିଲା ଶୁଦ୍ଧ ନିରାମିଷ କାଫଟେରିଆ

ପୁରୀ : ବଦଳିଛି ସ୍ୱର୍ଗଦ୍ୱାରର ଚିତ୍ର । ଆଗଭଳି ଆଉ ସଙ୍କୁଚିତ ହୋଇ ରହିନାହିଁ ପୁରୀ ସ୍ୱର୍ଗଦ୍ୱାର । ନିଜର ପ୍ରିୟଜନ ମାନଙ୍କ ଅନ୍ତିମ ସଂସ୍କାର କରିବା ପାଇଁ ସ୍ୱର୍ଗଦ୍ୱାର ଆସୁଥିବା ଶବକୁ ସମ୍ମାନ, ସ୍ୱେଚ୍ଛାସେବୀ ମୁତୟନ, ପାନୀୟ ଜଳ, କାଠ ବୋହିବା ପାଇଁ ଗାଡି, ସିସିଟିଭି ସହ ବିଶ୍ରାମ ଗୃହର ବ୍ୟବସ୍ଥା କରାଯାଇଛି ।  ସେହିପରି ଶବ ସଂସ୍କାର କରିବାକୁ ଆସୁଥିବା ବ୍ୟକ୍ତି ଓ ପର୍ଯ୍ୟଟକଙ୍କ ପାଇଁ ଓଡିଶା ପର୍ଯ୍ୟଟନ ବିକାଶ ନିଗମ ପକ୍ଷରୁ ଆଜି ଉତ୍କଳ ଦିବସ ଅବସରରେ ସ୍ବର୍ଗଦ୍ବାର ଠାରେ ଏକ କାଫେଟେରିଆ ଲୋକାର୍ପଣ ହୋଇଛି । ସମ୍ପୁର୍ଣ୍ଣ ନିରାମିଷ  ଖାଦ୍ୟ ସହ ଏହି କାଫେଟେରିଆରେ ଚାହା, କଫି ଓ ଜଳପାନ ମିଳୁଛି । ପ୍ରଶାସନର ଏଭଳି କାର୍ଯ୍ୟକୁ ସମସ୍ତେ ସ୍ବାଗତ କରିଛନ୍ତି । ପୁରୀ ଭଳି ପବିତ୍ର ସ୍ଥାନକୁ ପରିଦର୍ଶନରେ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ନିମନ୍ତେ ମଧ୍ୟ ଏହା ସହାୟକ ହେବ  । ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ କରିବାକୁ ଆସୁଥିବା ଆତ୍ମୀୟ ପରିଜନ ଏହି ସ୍ଥାନରେ ଖାଇପାରିବେ  ।

ସେପଟେ  ରେଷ୍ଟୁରାଣ୍ଟ ଖୋଲାଯିବା ଦ୍ବାରା ଶ୍ମସାନର ଆଧ୍ୟାତ୍ମିକ ପରିବେଶ ନଷ୍ଟ ହେବ ବୋଲି ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ ସେଠାରେ ଥିବା ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ମନ୍ଦିରର ଆଧ୍ୟାତ୍ମିକ ପରିବେଶ ମଧ୍ୟ କଳୁଷିତ ହେବ । ଏହାକୁ ନେଇ ଏବେ ଶବଵାହକ ଓ ଗବେଷକ ମାନେ କଡା ସମାଲୋଚନା କରିଛନ୍ତି।  ରେଷ୍ଟୁରାଣ୍ଟକୁ ଖୁବଶୀଘ୍ର ବନ୍ଦ କରିବାକୁ ଦାବି ହୋଇଛି।

ସ୍ୱର୍ଗଦ୍ବାରର ନବକଳେବରକୁ ନେଇ ସାଧାରଣରେ ସ୍ୱାଗତ କରାଯାଇଥିବା ବେଳେ ସେଠାରେ ରେଷ୍ଟୁରାଣ୍ଟ ଖୋଲିବାକୁ ନେଇ ଏବେ ପ୍ରଶାସନ ସମାଲୋଚନାର ଶିକାର ହୋଇଛି।

 

Leave A Reply

Your email address will not be published.