ପିୟୁଷ ରଞ୍ଜନ ରାଉତଙ୍କ ଆଲେଖ୍ୟ
ବିଭିନ୍ନ ସମୟରେ ଦେଶ ବିଦେଶ ଭ୍ରମଣ କରିବାର ସୁଯୋଗ ମିଳିଛି। ଏହା ସହିତ ସେଠାକାର ବିଶ୍ୱବିଦ୍ୟାଳୟ, ଶିକ୍ଷାନୁଷ୍ଠାନ, ଗବେଷଣାଗାର ବୁଲିବାର ଏବଂ ଏଠାରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷ ଏବଂ ଗବେଷଣାରତ ଅଧ୍ୟାପକମାନଙ୍କ ସହିତ କଥା ବାର୍ତ୍ତା ହେବାର ସୁଯୋଗ ମଧ୍ୟ ପାଇଛି। ଏହା ସହିତ ନିଜର ଗବେଷଣା ଭିତ୍ତିକ ଲେଖା ଉପସ୍ଥାପନ କରିବା ପାଇଁ ଏବଂ ନିଜର କୌଶଳ ବୃଦ୍ଧି କରିବାର ସୁଯୋଗ ମଧ୍ୟ ପାଇଛି। ହେଲେ ସବୁବେଳେ ମୋ ମନରେ ଗୋଟିଏ ପ୍ରଶ୍ନ ଆସେ ଆମ ଶିକ୍ଷା ବ୍ୟବସ୍ଥା କଣ କେବଳ ଅଟ୍ଟାଳିକା ତିଆରିରେ ସୀମିତ। ନହେଲେ ଆମର ସରକାର ଭଲ ଭଲ ଅଟ୍ଟାଳିକା ତିଆରି କରିଛନ୍ତି ଶିକ୍ଷା କ୍ଷେତ୍ରରେ, ହେଲେ ଏହାକୁ ବ୍ୟବହାର କରିବା ବ୍ୟବସ୍ଥାରେ ସମ୍ଭବତଃ କେଉଁଠି ନା କେଉଁଠି ଅଣଦେଖା ପରି ଲାଗୁଛି। ଫଳସ୍ୱରୂପ ଆମ ଶିକ୍ଷା ବ୍ୟବସ୍ଥା ହେଉ ଅବା ଶିକ୍ଷକମାନଙ୍କ ପାରଦର୍ଶିତା ଉଚ୍ଚକୋଟୀର ହୋଇପାରିନି।
ନିକଟରେ ଜାତୀୟ ସ୍ତରରେ ଭାରତର ଶିକ୍ଷାଳୟମାନଙ୍କର ଗୁଣବତ୍ତା ଆକଳନ ପ୍ରକାଶ ପାଇଛି। ଏହାକୁ ତର୍ଜମା କଲେ ଦେଖିବାକୁ ମିଳୁଛି ଆପାତତଃ ଶିକ୍ଷାଳୟ ଯେପରି ଦୁଇ ଭାଗରେ ବିଭାଜନ ହୋଇଯାଇଥିବା ଭଳି। ଯେପରି ଭଲ ପ୍ରଦର୍ଶନ କରୁଥିବା ଶିକ୍ଷାଳୟ ସମ୍ଭବତଃ ବିଶ୍ଵର ଖ୍ୟାତନାମା ଶିକ୍ଷାନୁଷ୍ଠାନ ସହିତ ନିଜଳୁ ସମକକ୍ଷ କରିବା ପାଇଁ ପ୍ରୟାସ କରୁଥିବା ବେଳେ ଅନ୍ୟପଟେ କିଛି ଶିକ୍ଷାନୁଷ୍ଠାନ ସରକାରଙ୍କ ଜିଲ୍ଲା କାର୍ଯ୍ୟାଳୟ ଭଳି ନିଜକୁ ପରିଗଣିତ କରୁଥିବାର ପରିଲକ୍ଷିତ ହେଉଛି। କହିବାକୁ ଗଲେ ଯେଉଁଠାରେ ଷୋମବାର ରୁ ଶୁକ୍ରବାର ପର୍ଯ୍ୟନ୍ତ ପ୍ରାତଃ କାଳରୁ ଶିକ୍ଷା ପ୍ରଦାନ କରାଯାଉଛି , ଶିକ୍ଷା ବ୍ୟବସ୍ଥା ସ୍ୱଚ୍ଛ ଶୌଚାଳୟ, ଆବର୍ଜନା ମୁକ୍ତ ଶିକ୍ଷାଳୟ, ସୁନ୍ଦର ପରିବେଶ, ଇତ୍ୟାଦି ଇତ୍ୟାଦି ଥିବା ଅନୁଷ୍ଠାନ ଜାତୀୟ ସ୍ତରରେ ଭଲ ପ୍ରଦର୍ଶନ କରୁଛନ୍ତି। ହେଲେ ଯେଉଁଠାରେ ସରକାରୀ କାର୍ଯ୍ୟାଳୟ ଭଳି ଦିନ ଦଶରୁ ସନ୍ଧ୍ୟା ପାଞ୍ଚ ପର୍ଯ୍ୟନ୍ତ ବ୍ୟବସ୍ଥା ରହିଛି, ସେଠାକାର ଶିକ୍ଷାଳୟ ପ୍ରାୟତଃ ଭଲ ପ୍ରଦର୍ଶନ କରୁନାହାନ୍ତି। ଉଦାହରଣ ଭାବରେ ଉତ୍କଳ ବିଶ୍ଵବିଦ୍ୟାଳୟ ତଥା ଓଡ଼ିଶାର ପ୍ରାୟ ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଏବଂ ଗବେଷଣାଗାରକୁ ନିଆଯାଇପାରେ । ଆଶ୍ଚର୍ଯ୍ୟ ଲାଗେ ଯେଉଁଠାରେ ସକାଳ ୬ରୁ କୁନି ପିଲାଟେ ସ୍କୁଲ ଯାଇପାରୁଛି, ସେହି ରାଜ୍ୟରେ ବିଶ୍ଵବିଦ୍ୟାଳୟ ଅବସ୍ଥା ଏମିତି କିପରି ?
ଆଶ୍ଚର୍ଯ୍ୟ ଲାଗିପାରେ ଏହିସବୁ ମାନଦଣ୍ଡ କିପରି ଶିକ୍ଷା ବ୍ୟବସ୍ତାରେ ସୁଧାର ଆଣିପାରିବ! କାରଣ ବହୁ ବୁଦ୍ଧିଜୀବୀ ଭାବି ପାରିବେ ନାହିଁ , ଏହି ଶିକ୍ଷା ପ୍ରଦାନକାରୀ ଅଟ୍ଟାଳିକାମାନଙ୍କରେ ଶିକ୍ଷା ପ୍ରଦାନ କରିବା ଏତେ ସହଜ ସାଧ୍ୟ ନୁହେଁ ବରଂ ଏକ ଯୁଦ୍ଧ କ୍ଷେତ୍ର। କ’ଣ ଆମ ଶିକ୍ଷା ଅନୁଷ୍ଠାନମାନଙ୍କରେ ଏମିତି ବ୍ୟବସ୍ଥା ନାହିଁ ଯାହା ବିଶ୍ଵ ସ୍ତରୀୟ ବିଶ୍ଵ ବିଦ୍ୟାଳୟରେ ଦେଖିବାକୁ ମିଳେ !
ଏମିତି ଥରେ ଜଣେ ନୋବେଲ ବିଜେତା ଅଧ୍ୟାପକଙ୍କ ଆମନ୍ତ୍ରଣରେ ତାଙ୍କ ବିଶ୍ୱ ବିଦ୍ୟାଳୟକୁ ଯାଇଥିଲି। କିଛି ସମୟ ବାର୍ତ୍ତାଳପ ପରେ ଅଧ୍ୟାପକ ଜଣକ କିଛି ସମୟ ପାଇଁ ନିଜ ବିଶ୍ୱ ବିଦ୍ୟାଳୟରେ ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ଶୌଚାଳୟ ବ୍ୟବହାର କରିବାକୁ ଗଲେ, ହେଲେ ହାତରେ ଉପନ୍ୟାସ ଧରି ବାହାରିଗଲେ। କିଛି ମୁହୂର୍ତ୍ତ ମୁଁ ବୁଝିପାରିଲିନି ବହି କାହିଁ ଧରି ଗଲେ, ହେଲେ ଫେରିଲା ପରେ ବିନା ସଙ୍କୋଚରେ ପଚାରିଲି।
ଅଧ୍ୟାପକ ଉତ୍ତର ଦେଲେ ଆଉ ଉପନ୍ୟାସ ପଢିବା ପାଇଁ ଏକାନ୍ତ ସ୍ଥାନ କୋଉଠି ମିଳିବ ଏବଂ ନୂତନ ଚିନ୍ତା ଧାରା କେଉଁଠୁ ଆସିବ। କିଛି ସମୟ ପରେ କଥାବାର୍ତ୍ତା କଂକ୍ରିଟ କୋଠରୀରୁ ବାହାରି ନିଜର ପରିବେଶ ବୁଲାଇ ଦେଖେଇବା ସହିତ କିଛି ପରିବା ଚାଷ ଦେଖାଇଲେ, ଯାହା ଶୌଚାଳୟର ମଳ ମୂତ୍ରରୁ ପ୍ରସ୍ତୁତ ଜଳ ଏବଂ ଖତରେ ପ୍ରସ୍ତୁତ, ହେଲେ ଶୌଚାଳୟରେ ହାତରେ ପାଣି ଲାଗେନି। ମୁଁ ବୁଝିପାରିଲି ଗବେଷଣା କେବଳ କୋଠରୀ ଭିତରେ ଆବଦ୍ଧ ହୋଇ ରହିନାହିଁ ବରଂ କାର୍ଯ୍ୟରେ ଲାଗୁଛି; ଯାହା ଆମ ବିଶ୍ଵ ବିଦ୍ୟାଳୟରେ ଦେଖିବାକୁ ମିଳେନାହିଁ ବରଂ ଆମର ଶିକ୍ଷକମାନେ ସର୍ବସାଧାରଣ ଶୌଚାଳୟର ଶୋଚନୀୟ ଅବସ୍ଥା ଦେଖି ବହୁ ଶିକ୍ଷକ ନିଜ ଘରକୁ ଯିବା ଆସିବା କରନ୍ତି ଶୌଚ ହେବା ପାଇଁ ଏବଂ ବହୁତ ଶିକ୍ଷକ ଶୌଚାଳୟ ଜନିତ ସଂକ୍ରମଣରେ ପୀଡିତ ହୋଇଛନ୍ତି।
ଆଜିକୁ ପ୍ରାୟତଃ ତିରିଶି ବର୍ଷର ତଳର ଚିନ୍ତାଧାରା ଆଜି ଜ୍ବଳ ଜ୍ବଳ ଦିଶୁଛି ; ଯେତେବେଳେ ମୁଁ ଓଡିଶାର ଶିକ୍ଷା ବ୍ୟବସ୍ଥାକୁ ଜାତୀୟ ସ୍ତରରେ ଦେଖୁଛି। ମୋର କିଛି ଅଭିଜ୍ଞତା ଓଡ଼ିଶାର, ଭାରତରେ ଏବଂ ବିଦେଶର ସମ୍ଭବତଃ ଏକ ନୂତନ ଦିଗ ଦେଖାଇ ପାରେ ଆମ ଶିକ୍ଷା ବ୍ୟବସ୍ଥାକୁ। ଯଥା ମୁଁ ଯେତେବେଳେ ଉତ୍କଳ ବିଶ୍ଵ ବିଦ୍ୟାଳୟରେ ପଢ଼ୁଥିଲି, ମତେ ସେତେବେଳେ ଆଶ୍ଚର୍ଯ୍ୟ କରିଥିଲା ଏଠାରେ ପାଠ ପଢା କଣ ପାଇଁ ଦିନ ଏଗାର ବେଳେ ଆରମ୍ଭ ହୋଇ ସନ୍ଧ୍ୟା ପାଞ୍ଚ ପର୍ଯ୍ୟନ୍ତ ଚାଲୁଛି। ଜଦି ଏହି ଭଳି ଶିକ୍ଷାଳୟ ଚାଲେ ତାହେଲେ ଏଠି ଶିକ୍ଷକ ଗବେଷଣା କେତେବେଳେ କରୁଛନ୍ତି ଅଥବା ଆମକୁ କଣ ନୂଆ ପଢ଼ାଉଛନ୍ତି? ତେଣୁ ମତେ ସବୁବେଳେ ଲାଗୁଥିଲା ଯେପରି ବିଶ୍ୱବିଦ୍ୟାଳୟ କିରାଣୀ ନିଷ୍ପତ୍ତି ନେଉଛନ୍ତି ବିଶ୍ୱବିଦ୍ୟାଳୟର ଭବିଷ୍ୟତ। ଯଥା ଆମ ବିଶ୍ୱବିଦ୍ୟାଳୟରେ ପ୍ରାୟ ସମସ୍ତେ କେବଳ ସରକାରୀ କାର୍ଯ୍ୟାଳୟରେ କନିଷ୍ଟ କର୍ମଚାରୀ ଯେମିତି ଘଣ୍ଟା ଜଗି ବସିଥାନ୍ତି ଘଣ୍ଟାରେ ଚାରିଟା ବାଜିଲେ ନିଜକୁ ଭିଡ଼ି ମୋଡି କରି କାର୍ଯ୍ୟାଳୟରୁ ପ୍ରସ୍ଥାନ ନେବାପାଇଁ ଏବଂ କେବଳ ଦରମା ଗଣିବାରେ ଵ୍ୟସ୍ତ ରୁହନ୍ତି। ଠିକ ସେହିପରି ଆଜି ଆମର ଶିକ୍ଷା ବ୍ୟବସ୍ଥାକୁ ଗ୍ରାସ କରିଛି ଏହି ବ୍ୟବସ୍ଥା। ତେଣୁ ବର୍ତ୍ତମାନରଏହି ଶିକ୍ଷା ପଦ୍ଧତି ଯେତେ ଜଲଦି ବଦଳିବ ସେତେ ଜଲଦି ଓଡ଼ିଶାର ଶିକ୍ଷାଳୟ ଭାରତ ବର୍ଷରେ ଭଲ ପ୍ରଦର୍ଶନ କରିବାର ସୁଯୋଗ ପାଇ ପାରିବେ।
ଅନ୍ୟପଟେ ମୁଁ ପଚିଶ ବର୍ଷ ତଳେ ଜାତୀୟ ସ୍ତରର ଅନୁଷ୍ଠାନରରେ ପଢ଼ିବାର ଅଭିଜ୍ଞତାକୁ ଆଜି ତର୍ଜମା କରୁଛି, ତେବେ ଗୋଟେ କଥା ପ୍ରାୟ ସ୍ପଷ୍ଟ, ଉକ୍ତ ଅନୁଷ୍ଠାନ ସେଦିନ ମଧ୍ୟ ଜାତୀୟ ସ୍ତରରେ ନିଜର ପ୍ରାଦୁର୍ଭାବ ବଜାୟ ରଖିଥିଲେ ଏବଂ ଆଜି ମଧ୍ୟ ରଖିଛନ୍ତି। ଆଜି ମଧ୍ୟ ମନେ ପଡେ ଆମର ପ୍ରଥମ ପାଠ ପଢା ସକାଳ ସାତଟା ତିରିଶ ମିନିଟରେ ଆରମ୍ଭ ହୋଇ ମଧ୍ୟାହ୍ନ ସୁଧା ସରିଯାଏ। ହେଲେ ଆମ ପାଠ ପଢା ମଧ୍ୟରାତ୍ର ପର୍ଯ୍ୟନ୍ତ ମଧ୍ୟ ସରିନଥାଏ। ସେଠାରେ ଶିକ୍ଷକଠାରୁ ଆରମ୍ଭ କରି ଛାତ୍ର ପର୍ଯ୍ୟନ୍ତ ସମସ୍ତେ ଵ୍ୟସ୍ତ ଥାଆନ୍ତି ନିଜ ନିଜ ଗବେଷଣାରେ,କିଛି ନୂତନ ଚିନ୍ତାଧାରାକୁ ଆପଣେଇବା ପାଇଁ । ତେଣୁ ସେହି ଅନୁଷ୍ଠାନମାନେ ଯେତେବେଳେ ଜାତୀୟ ସ୍ତରରେ ଭଲ ପ୍ରଦର୍ଶନ କରୁଛନ୍ତି ତାହା ମତେ ଆଶ୍ଚର୍ଯ୍ୟ ନୁହେଁ ବରଂ ଉତ୍ସାହିତ କରେ।
ଏଠି ଆମକୁ ଜାଣିରଖିବା ଦରକାର ଆଦିମ କାଳରୁ ଋଷି ମୁଁନିଙ୍କ ସମୟରେ ମଧ୍ୟ ଶିକ୍ଷା ସବୁବେଳେ ପ୍ରାତଃ କାଳରୁ ଆରମ୍ଭ ହୁଏ ଏକ ସ୍ୱଚ୍ଛ ପରିବେଶରେ ଏବଂ ମଧ୍ୟାହ୍ନ ପରେ ଶିକ୍ଷା ଶ୍ରେଣୀ ଗୃହରୁ ବାହାରି ଖେଳ, କୁଦ, ପ୍ରକୃତି ସହିତ ଜଡିତ ଶିକ୍ଷାରେ ଛାତ୍ର ଛାତ୍ରୀଙ୍କୁ ନିୟୋଜିତ କରାଯାଏ। ହେଲେ ଆଜିର ଆମ ଶିକ୍ଷା ବ୍ୟବସ୍ଥା ସମୟ ସହିତ ଖାପ ଖାଉନି, ଫଳସ୍ୱରୂପ ଆମ ଶିକ୍ଷା ବ୍ୟବସ୍ଥା କେବଳ ଅଟ୍ଟାଳିକାରେ ସିମୀତ।
ଠିକ ସେହିପରି ଆଜିକୁ ପ୍ରାୟ କୋଡିଏ ବର୍ଷ ତଳେ ଯେତେବେଳେ ମୁଁ ମୋ ସାଙ୍ଗମାନଙ୍କ ମଧରେ ପ୍ରଥମେ ଆର୍ଥିକ ଅନୁଦାନ ପାଇ ବିଦେଶରେ ପଢ଼ିବାର ସୁଯୋଗ ପାଇଲି। ମୋତେ ଆଶ୍ଚର୍ଯ୍ୟ କରିଥିଲା ଯେତେବେଳେ ମୁଁ ବିଦେଶ ମାଟିରେ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ାରେ ଯୋଗଦାନ କଲି। ମୋର ପ୍ରଥମ ଦିନରେ, ଏକ ଅଚିହ୍ନା ସହରରେ ସମୟ ଦିନ ସାତ ଘଣ୍ଟା ବାଜିଥାଏ, ବାହାର ସୂର୍ଯ୍ୟ ଉଦୟ ହୋଇନଥାଏ,ତାପମାତ୍ରା -୨୦ ଡିଗ୍ରୀ ସେଲସିୟସ ସହିତ ବରଫ ବର୍ଷା ହଉଥାଏ, ହେଲେ ସହର ପୁରା ଚଳ ଚଞ୍ଚଳ ଥାଏ। ପ୍ରଥମେ କିଛି ବାଟ ଚାଲିବା ପରେ ଟ୍ରାମରେ ବସି ବିଶ୍ୱବିଦ୍ୟାଳୟରେ ପହଞ୍ଚିବା ପରେ ସାଇକେଲ ଚଳେଇ ନିଜ ବିଭାଗରେ ପହଞ୍ଚିଲୁ । ସାଇକେଲ କେବଳ ମୁଁ ଚଳାଉନଥିଲି ବରଂ ପ୍ରାୟ ସମସ୍ତ ଛାତ୍ର ଏବଂ ଅଧ୍ୟାପକ ମଧ୍ୟ। ଜଣେ ଅଧ୍ୟାପକ ମୋତେ ପଚାରିଲେ ଆଉ ଆମ ସହର କେମିତି ଲାଗୁଚି? ମୋର ଉତ୍ତର ଥିଲା ଆପଣଙ୍କ ସହର ସୁନ୍ଦର ଏବଂ ତାଠାରୁ ମଧ୍ୟ ଅଧିକ ସୁନ୍ଦର ଆପଣଙ୍କ ଶିକ୍ଷା ଅନୁଷ୍ଠାନ। ହେଲେ ଏମିତି ଦୃଶ୍ୟ ମୁଁ କେବେ ମୋ ଦେଶରେ ଦେଖିନି। ମୋତେ ଜଣେ ଉଚ୍ଚ ପଦସ୍ଥ ଶିକ୍ଷକ ମୋର ଏକ ପ୍ରଶ୍ନର ଉତ୍ତରରେ ସେଦିନ କହିଥିଲେ ଯେତେ ସୁନ୍ଦର, ସ୍ୱଚ୍ଛ, ସରଳ ଏବଂ ସପ୍ତାହରେ ପାଞ୍ଚ ଦିନ ଶିକ୍ଷା ପ୍ରଦାନ କରାଯାଏ ଓ ସକାଲେ ପାଠ ପଢା ହୁଏ । ଏହା ଛାତ୍ର ଛାତ୍ରୀମାଙ୍କୁ ସୁହାଇଥାଏ, ଅଧିକା ସମୟ ମିଳେ ବିଷୟ ବସ୍ତୁରେ ଲିପ୍ତ ରହିବା ପାଇଁ ଏବଂ ଆମକୁ ଗବେଷଣା କରିବାକୁ ପୁରା ଦିନ ମିଳିଥାଏ।
ଆଉ ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର କଥା ଥିଲା ଏଠାକାର ଶିକ୍ଷକ ନିଜର ଗୁଣ ଏବଂ କୌଶଳ ବଢ଼େଇବା ପାଇଁ, କେବଳ ଗୋଟିଏ ବିଶ୍ଵ ବିଦ୍ୟାଳୟ ନୁହେଁ ବରଂ ସପ୍ତାହର ପାଞ୍ଚଦିନକୁ ଦୁଇ ଅବା ତିନୋଟି ଅନୁଷ୍ଠାନ ସହିତ ବିଭାଜିତ କରି ନିର୍ଭୟରେ ପାଠ ପଢ଼ାନ୍ତି ଏବଂ ଗବେଷଣା ମଧ୍ୟ କରନ୍ତି, ଯାହା ଆଇନ ସମ୍ମତ ହୋଇଥାଏ । ଅଥଚ ଆମ ରାଜ୍ୟରେ ସରକାରଙ୍କ ତରଫରୁ ସରକାରୀ ଶିକ୍ଷାନୁଷ୍ଠାନମାନଙ୍କରେ ଶିକ୍ଷକମାନଙ୍କୁ ନିର୍ଦ୍ଦେଶନାମା ଜାରି ହୋଇଛି ଅନ୍ୟ କୌଣସି ଅନୁଷ୍ଠାନ ସହିତ ସମ୍ପର୍କ ମଧ୍ୟ ରଖି ପାରିବେ ନାହିଁ । ଫଳସ୍ୱରୂପ ଆମ ଶିକ୍ଷକ କେବଳ ନିଜର ଉପସ୍ଥାପନ, ଘଣ୍ଟା କଣ୍ଟା, ଦରମା ଉପରକୁ ଭାବି ପାରିଲେନି। ଏମିତି ମଧ୍ୟ ଶିକ୍ଷକ ଅଛନ୍ତି କାର୍ଯ୍ୟ ଆରମ୍ଭରୁ ଅବସର ପ୍ରାପ୍ତ ମଧ୍ୟରେ କିଛି ଗବେଷଣା ନକରିବା, କିଛି ସନ୍ଦର୍ଭ ପ୍ରକାଶ ନକରିବା ଏବଂ ଡକ୍ଟରେଟ ଉପାଧି ଅର୍ଜନ ନକରିବାର ମଧ୍ୟ ନଜର ଅଛି।
କହିବାକୁ ଗଲେ ଆମ ଶିକ୍ଷା ବ୍ୟବସ୍ଥା ଏପରି ଘଡି ସନ୍ଧି ସ୍ତରରେ ପହଞ୍ଚି ସାରିଲାଣି ଯେଉଁଠି ଜଣେ ବିଶ୍ଵ ବିଦ୍ୟାଳୟର ଶିକ୍ଷକ ଏବଂ ପ୍ରଶାସନ କଳ କିରାଣୀ ମଧ୍ୟରେ କିଛି ଫରକ ନାହିଁ। ଉଭୟ ଉପସ୍ଥାପନ, ଘଣ୍ଟା ଏବଂ ଦରମା ଅପେକ୍ଷାରେ ନିଜର କାର୍ଯ୍ୟକାଳ ଅତିବାହିତ କରୁଛନ୍ତି। ଅପରପକ୍ଷରେ ଯୋଗ୍ୟ ବ୍ୟକ୍ତି ନିଜ ଜୀବନ କାଳରେ ଏହି ଚକ୍ରବ୍ୟୁହକୁ ଭେଦ କପାରୁନହାନ୍ତି ନା ଶିକ୍ଷକ ହୋଇ ପାରୁଛନ୍ତି ନା ନିଜ କୌଶଳରେ ଶିକ୍ଷା ପ୍ରଦାନ କରି ପାରୁଛନ୍ତି। ସମ୍ଭବତଃ ଆମ ଶିକ୍ଷା ବ୍ୟବସ୍ତାରେ ଆମୂଳଚୂଳ ପରିବର୍ତ୍ତନର ଆବଶ୍ୟକତା ରହିଛି, ଯାହାର ସୂର୍ଯ୍ୟ ଉଦୟ ଯେତେ ଜଲ୍ଦି ହବ ସେତେ ଜଲ୍ଦି ଆମ ଉଚ୍ଚ ଶିକ୍ଷା ଏବଂ ଗବେଷଣାରେ ସୁଧାର ଆସିବ।
Comments are closed.