Latest Odisha News

BREAKING NEWS

ଓଡ଼ିଶାର ସର୍ବୋତ୍ତମ କର୍ପୋରେଟ୍ ନାଗରିକ ହେବା ଆମର ପ୍ରୟାସ: ନବୀନ ଜିନ୍ଦଲ

ଭୁବନେଶ୍ୱର: ଓଡ଼ିଶା ମୋର ଦ୍ୱିତୀୟ ଘର ଏବଂ ପ୍ରଥମ କର୍ମଭୂମି । ଆମର ପ୍ରୟାସ ହେଉଛି ଓଡ଼ିଶାର ସର୍ବୋତ୍ତମ କର୍ପୋରେଟ୍ ନାଗରିକ ହେବା ଏବଂ ଓଡ଼ିଶାର ଲୋକଙ୍କୁ ଆମର ସର୍ବୋତ୍ତମ ଅବଦାନ ପ୍ରଦାନ କରିବା, ‘ବୋଲି ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ଅଧ୍ୟକ୍ଷ ନବୀନ ଜିନ୍ଦଲ ମେକ୍ ଇନ୍ ଓଡିଶା କନକ୍ଲେଭ ୨୦୨୨ରେ ନିଜ ସମ୍ବୋଧନରେ ପ୍ରକାଶ କରିଛନ୍ତି । ଅନୁଗୁଳରେ ବିଶ୍ଵର ସର୍ବବୃହତ୍ତ ଇସ୍ପାତ କାରଖାନା ନିର୍ମାଣ କରୁଥିବା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର, ସେଠାରେ ଏକ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲ ପାଇଁ କାମ ଆରମ୍ଭ କରିଛି ବୋଲି ସେ ସୂଚନା ଦେଇଛନ୍ତି ।

ଓଡ଼ିଶାକୁ ଏକ ପ୍ରଗତିଶୀଳ ରାଜ୍ୟ ବିକଶିତ କରିଥିବାରୁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ । କୋଭିଡ-୧୯ ପରିସ୍ଥିତିକୁ ରାଜ୍ୟ ସରକାରଙ୍କ ଦକ୍ଷତାର ସହ ପରିଚାଳନା ଏବଂ ଦେଶକୁ ଡାକ୍ତରୀ ଅମ୍ଳଜାନ ଯୋଗାଇବାରେ ଓଡ଼ିଶାର ଭୂମିକାକୁ ସେ ପ୍ରଶଂସା କରିଥିଲେ ।

ଜେଏସପି ଅନୁଗୁଳରେ ବାର୍ଷିକ ୬ ନିୟୁତ ଟନ କ୍ଷମତା ବିଶିଷ୍ଠ ଓଡିଶାର ସର୍ବବୃହତ ଇସ୍ପାତ କାରଖାନା ସ୍ଥାପନ କରିଛି | କମ୍ପାନୀ ଏହାର କ୍ଷମତାକୁ ବାର୍ଷିକ ୨୫.୨ ନିୟୁତ ଟନକୁ ବୃଦ୍ଧି କରିବା ପାଇଁ କାର୍ଯ୍ୟ ଆରମ୍ଭ କରିଛି, ଯାହା ଏହାକୁ ବିଶ୍ୱର ସର୍ବବୃହତ ଇସ୍ପାତ କାରଖାନାରେ ପରିଣତ କରିବ । ଏହା ମଧ୍ୟ ବିଶ୍ଵର ସବୁଠୁ ଅଧିକ ସବୁଜ ଇସ୍ପାତ କାରଖାନା ହେବ ।

ଦକ୍ଷତା ବିକାଶ ତଥା କମ୍ପାନୀଗୁଡିକ ଦ୍ୱାରା କର୍ପୋରେଟ୍ ସାମାଜିକ ଦାୟିତ୍ଵ କାର୍ଯ୍ୟକଳାପ ଉପରେ ଧ୍ୟାନ ଦେଉଥିବାରୁ ଶ୍ରୀ ଜିନ୍ଦଲ ଓଡ଼ିଶା ସରକାରଙ୍କୁ ପ୍ରଶଂସା କରିଥିଲେ। କମ୍ପାନୀ ଅଧିକ ଏମଏସଏମଇ ଏବଂ ଆନୁଷଙ୍ଗିକ ଶିଳ୍ପକୁ ଉତ୍ସାହିତ କରୁଛି ଯାହା ଦ୍ଵାରା ଅଧିକରୁ ଅଧିକ ଲୋକ ନିଯୁକ୍ତି ପାଇପାରିବେ।

“୨୦ ବର୍ଷରୁ ଅଧିକ ସମୟ ପୂର୍ବରୁ ଆମେ ଓଡିଶାରେ ନିବେଶ ଆରମ୍ଭ କରିଥିବାରୁ ଆମେ ସୌଭାଗ୍ୟଶାଳୀ । ଆମ ସ୍ୱପ୍ନର ଓଡ଼ିଶା ଏବଂ ଭାରତକୁ ନିର୍ମାଣ କରିବା ପାଇଁ ଆମେ ଜେଏସପି ରେ ଦିନରାତି କଠିନ ପରିଶ୍ରମ କରୁଛୁ” ବୋଲି ଶ୍ରୀ ଜିନ୍ଦଲ କହିଛନ୍ତି।

ସରକାରଙ୍କ ଦ୍ୱାରା ପରିଚାଳିତ ନିଲାମରେ ଜେଏସପି ବିଭିନ୍ନ କୋଇଲା ବ୍ଲକ ପାଇ ପାରିଛି ଏବଂ ବର୍ତ୍ତମାନ କୋଇଲା ଗ୍ୟାସିଫିକେସନ୍ ପରି ସ୍ୱଚ୍ଛ କୋଇଲା ପ୍ରଯୁକ୍ତିବିଦ୍ୟାରେ ଅଧିକ ବିନିଯୋଗ କରିବୁ ବୋଲି ଶ୍ରୀ ଜିନ୍ଦଲ ଏହି ସମ୍ମିଳନୀରେ ସୂଚନା ଦେଇଥିଲେ । ଇସ୍ପାତ ତିଆରି ପାଇଁ ଜେଏସପି ବିଶ୍ଵର ପ୍ରଥମ କୋଇଲା ଗ୍ୟାସ୍ ପ୍ଲାଣ୍ଟ ସ୍ଥାପନ କରିସାରିଛି |

ଓଡ଼ିଶାରେ ତାଙ୍କର ଅଭିଜ୍ଞତା ସମ୍ପର୍କରେ ସେ କହିଥିଲେ ଯେ, ଯଦିଓ ଓଡିଶାର ସର୍ବବୃହତ୍ତ ଇସ୍ପାତ କାରଖାନା ନିର୍ମାଣ କରିବାର ଯାତ୍ରା ସହଜ ନଥିଲା, ରାଜ୍ୟ ସରକାର, ଓଡିଶାବାସୀ ଏବଂ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରେ ଜେଏସପି ସମସ୍ତ ଆହ୍ଵାନକୁ ସଫଳତାର ସହ ମୁକାବିଲା କରିପାରିଛି ।

Leave A Reply

Your email address will not be published.