ପୁରୀ: ପୁରୀର ନବକଳେବର ରୋଡରେ ଶୁକ୍ରବାର ଆମ ବସ୍ ଧକ୍କାରେ ଜଣେ ମହିଳା ଆହତ ହୋଇଛନ୍ତି।
ଲକ୍ଷ୍ମୀ ମହାରଣା (୬୦) ନାମକ ଉକ୍ତ ମହିଳାଙ୍କର ଗୋଡ଼ରେ ଗୁରୁତର ଆଘାତ ଲାଗିଛି।
ସୂଚନା ଅନୁଯାୟୀ, ଶ୍ରୀଜଗନ୍ନାଥ ମନ୍ଦିର ଦର୍ଶନ କରି ଘରକୁ ଫେରିବା ସମୟରେ ମହିଳା ଜଣକ ଏହି ଦୁର୍ଘଟଣାର ଶିକାର ହୋଇଥିଲେ। ଅଠରନଳାରୁ ଯାଉଥିବା ବସଟି ତାଙ୍କୁ ପଛରୁ ଧକ୍କା ଦେଇଥିଲା, ଯାହା ଫଳରେ ତାଙ୍କ ଗୋଡ଼ରେ ଗୁରୁତର ଆଘାତ ଲାଗିଥିଲା। ତାଙ୍କୁ ପୁରୀ ସଦର ହସ୍ପିଟାଲକୁ ପଠାଯାଇଥିଲା। ଯେଉଁଠାରେ ଡାକ୍ତରମାନେ ତାଙ୍କ ସ୍ଥିତିକୁ ଦୃଷ୍ଟିରେ ରଖି ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଏମ୍ସ-ଭୁବନେଶ୍ୱରକୁ ରେଫର କରିଥିଲେ।
ତେବେ ଏହି ଘଟଣା ପରେ ଉତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଥିସହ ଆହତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବାକୁ ଦାବି କରିଥିଲେ। ସୂଚନା ପାଇ କୁମ୍ଭାରପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ଶାନ୍ତ କରିବାକୁ ଏବଂ ସାଧାରଣ ଟ୍ରାଫିକ୍ ବ୍ୟବସ୍ଥାକୁ ପୁନଃସ୍ଥାପିତ କରିବା ପାଇଁ ଅବରୋଧ ହଟାଇବା ପାଇଁ ଚେଷ୍ଟା କରିଥିଲା। ଅପରପକ୍ଷରେ ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ଚାଲିଛି।