ନୂଆଦିଲ୍ଲୀ: ବାହାର ବନାମ ବଙ୍ଗାଳୀ । ପଶ୍ଚିମବଙ୍ଗରେ କାହିଁକି ଭୋଟର ଯୁଦ୍ଧ ? ଦିଦି ପୁଣି ଖେଳିଲେ ଅସ୍ମିତା କାର୍ଡ । ଆସନ୍ତାବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାପୂର୍ବରୁ ନିର୍ବାଚନ କମିଶନଙ୍କ ଉପରେ ଅଭିଯୋଗ ବର୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ । କହିଛନ୍ତି, ବିଜେପି ଏକ ଏଜେନ୍ସିକୁ ପଶ୍ଚିମବଙ୍ଗ ପଠାଇଛି । ଏଜେନ୍ସି ରାଜ୍ୟର ଭୋଟରଙ୍କୁ ହରିୟାଣା, ଗୁଜରାଟ, ରାଜସ୍ଥାନ, ୟୁପି ଓ ବିହାର ଭୋଟରରେ ପରିବର୍ତ୍ତନ କରୁଛନ୍ତି । ଭୋଟର ତାଲିକାରେ ବଡଧରଣର ଅଦଳବଦଳ ହେଉଥିବା ମମତା ଅଭିଯୋଗ କରିଛନ୍ତି । ଏହାକୁ ନେଇ ସେ ନିର୍ବାଚନ କମିଶନ ଆଗରେ ଧାରଣାରେ ବସିବାକୁ ବି ଚେତାବନୀ ଦେଇଛନ୍ତି । ପ୍ରଶ୍ନ ଉଠୁଛି, ଉତ୍ତର ଭାରତୀୟଙ୍କୁ ଭୋଟର ତାଲିକାରେ ସାମିଲ କରିବା ଅଭିଯୋଗ କରି କେଉଁ ନାରେଟିଭ୍ ସେଟ୍ କରିବାକୁ ଚାହୁଁଛନ୍ତି ମମତା?
ଦିଦି ଖେଳୁଛନ୍ତି ଅସ୍ମିତା କାର୍ଡ !
ପଶ୍ଚିମବଙ୍ଗ ଭୋଟର ତାଲିକାରେ ହରିୟାଣା, ରାଜସ୍ଥାନ ଭଳି ଉତ୍ତର ଭାରତୀୟ ରାଜ୍ୟର ଲୋକଙ୍କୁ ଅନଲାଇନରେ ସାମିଲ କରାଯାଉଥିବା ମମତା ଅଭିଯୋଗ କରିଛନ୍ତି । ଏହାସହ ପଶ୍ଚିମବଙ୍ଗ ତାର ସଂସ୍କୃତି ବଜାୟ ରଖୁ, ସେକଥା ବିଜେପି ଚାହୁଁନଥିବା ସେ କହିଛନ୍ତି । ନିର୍ବାଚନର ବର୍ଷେ ପୂର୍ବରୁ ଭୋଟର ତାଲିକାରେ ଅଦଳବଦଳ ଅଭିଯୋଗ ଆଣି ବେଙ୍ଗଲ ଅସ୍ମିତା କାର୍ଡ ଖେଳିଛନ୍ତି ମମତା । ୨୦୨୧ ନିର୍ବାଚନରେ ବି ମମତା ସମାନ କାର୍ଡ ଖେଳିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହାଙ୍କ ପରି ନେତାଙ୍କୁ ବାହାର ନେତା କହିଥିଲେ । ଏଥର ବି ପୁଣି ଅସ୍ମିତାକୁ ପ୍ରସଙ୍ଗ କରିଛନ୍ତି ମମତା । ପଶ୍ଚିମବଙ୍ଗରେ ବିଜେପି ପାଖରେ ସେଭଳି ବଡ ଚେହେରା ନାହାନ୍ତି । ବାଂଲାଦେଶୀ ପ୍ରବାସୀ ତଥା ଉତ୍ତର ଭାରତୀୟ ଭୋଟରଙ୍କୁ ସାଧାରଣ ଭାବେ ଫୋକସ୍ କରେ ବିଜେପି । ଆଉ ସେଥିପାଇଁ ବଙ୍ଗାଳୀ ଅସ୍ମିତାକୁ ଅସ୍ତ୍ର କରିଛନ୍ତି ଦିଦି ।
ନକଲି ଭୋଟର ଅସଲି ରାଜନୀତି
ମହାରାଷ୍ଟ୍ର ଓ ଦିଲ୍ଲୀ ନିର୍ବାଚନ ବେଳେ ନକଲି ଭୋଟର ପ୍ରସଙ୍ଗ ଉଠିଥିଲା । ଦିଲ୍ଲୀରେ ଆପ୍ ବିରୋଧୀ ଲହର ଥିବା ବେଳେ ନକଲି ଭୋଟର ପ୍ରସଙ୍ଗ ଉଠାଇଥିଲେ ଅରବିନ୍ଦ କେଜ୍ରିଓ୍ବାଲ । ଯେବେକି ମହାରାଷ୍ଟ୍ରରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ନକଲି ଭୋଟର ପ୍ରସଙ୍ଗ ଉଠାଇଥିଲେ ବିରୋଧୀ । ହେଲେ ନିର୍ବାଚନର ବର୍ଷେ ପୂର୍ବରୁ ହିଁ ଜାଲ ଭୋଟର ପ୍ରସଙ୍ଗ ଉଠାଇ ନିର୍ବାଚନ କମିଶନ ଓ ବିଜେପିକୁ ଘେରିଛନ୍ତି ମମତା । ସ୍ପଷ୍ଟ ସନ୍ଦେଶ ଦେଇଛନ୍ତି, ଯାହା ଦିଲ୍ଲୀ, ମହାରାଷ୍ଟ୍ରରେ ହେଲା, ତାହା ବେଙ୍ଗଲରେ ଚାଲିବନି । ପ୍ରସଙ୍ଗକୁ ନେଇ ମମତା ଆକ୍ରାମକ ହେବା ସହ ଧାରଣା ଦେବାକୁ ବି ଚେତାବନୀ ଦେଇଛନ୍ତି ।
ବିଜେପିକୁ ଆଗୁଆ କାଉଣ୍ଟର
ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପ୍ରସଙ୍ଗକୁ ଜୋରଦାର ଉଠାଇଥିଲା ବିଜେପି । ପଶ୍ଚିମବଙ୍ଗରେ ବି ସମାନ ପ୍ରସଙ୍ଗ ଉଠାଇପାରେ ବିଜେପି । ଗତ ନିର୍ବାଚନରେ ବିଜେପିକୁ ପଶ୍ଚିମବଙ୍ଗର ଆଦିବାସୀ ପ୍ରଭାବ ରହିଥିବା ସିଟରେ ଲାଭ ମିଳିଥିଲା । ତେଣୁ ବିଜେପି ଅନୁପ୍ରବେଶକାରୀ ପ୍ରସଙ୍ଗ ଉଠାଇବା ପୂର୍ବରୁ ହିଁ ଉତ୍ତର ଭାରତୀୟ ପ୍ରସଙ୍ଗ ଉଠାଇ ନାରେଟିଭ୍ ପ୍ରସ୍ତୁତ କରୁଛନ୍ତି ମମତା । ବଙ୍ଗାଳୀ ସଂସ୍କୃତି ସହ ପ୍ରସଙ୍ଗକୁ ଯୋଡି ସିଧାସଳଖ ଜନତାଙ୍କ ସହ ଯୋଡି ହେବାକୁ ଉଦ୍ୟମ କରିଛନ୍ତି ।
ଏଥର ହେବ ବଡ଼ ଖେଳ
ଗତ ବିଧାନସଭା ନିର୍ବାଚନ ବେଳେ ଖେଳ ହେବ ନେଇ ନାରା ଲଗାଇଥିଲେ ମମତା ବାନାର୍ଜୀ । ବିଜେପିର ଘେରାବନ୍ଦୀ ସତ୍ବେ ଆକ୍ରାମକ ପ୍ରଚାର କରିଥିଲେ ଦିଦି । ଆଉ ଏଥର ପୂର୍ବ ଥର ଅପେକ୍ଷା ବଡ ଖେଳ ହେବ ବୋଲି କହିସାରିଛନ୍ତି ମମତା । ୨୦୨୧ ନିର୍ବାଚନରେ ଭଲ କମବ୍ୟାକ କରିଥିବା ଦିଦି ଗତ ଲୋକସଭା ନିର୍ବାଚନରେ ବି ବିଜେପିକୁ ମାତ୍ ଦେଇଥିଲେ । ଟିଏମସି ବିପକ୍ଷରେ ଶାସନ ବିରୋଧୀ ଲହର ରହିଥିବା ବେଳେ ଏହାର ମୁକାବିଲା କରି ପୁଣି କ୍ଷମତା ଦଖଲ କରିବାକୁ ଏବେଠୁ ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖାଉଛନ୍ତି ଦିଦି ।
Comments are closed.