Latest Odisha News

କାହିଁକି ବିଜୁଙ୍କୁ ନେଇ ରାଜନୀତି?

ଭୁବନେଶ୍ବର: ମାର୍ଚ୍ଚ ୫ ନୁହେଁ ଏପ୍ରିଲ ୨୪ରେ ପାଳନ ହେବ ପଞ୍ଚାୟତିରାଜ ଦିବସ । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ଜୋରଦାର ହୋଇଛି ରାଜନୀତି । ମାର୍ଚ୍ଚ ୫ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମଦିନ । ପଞ୍ଚାୟତିରାଜ ବ୍ୟବସ୍ଥା ପ୍ରତି ବିଜୁବାବୁଙ୍କ ଅବଦାନ ପାଇଁ ତାଙ୍କ ଜନ୍ମଦିନରେ ପଞ୍ଚାୟତିରାଜ ଦିବସ ପାଳନ କରାଯାଉଥିଲା । ତେବେ ରାଜ୍ୟରେ ସରକାର ବଦଳିବା ସହ ଦୀର୍ଘ ବର୍ଷ ଧରି ଚାଲିଆସିଥିବା ଏହି ପରମ୍ପରା ବି ବଦଳିଛି । ଏହାକୁ ନେଇ ବିଜେପି ସରକାରକୁ ଘେରିଛି ବିଜେଡି । ବିଜେପି ମହାପୁରୁଷଙ୍କୁ ଅସମ୍ମାନ କରିଥିବା କହିବା ସହ ଓଡିଆ ଅସ୍ମିତା ଯୋଡ଼ି ଆଟାକ୍ କରିଛି ଦଳ ।

ବିଜୁବାବୁଙ୍କୁ ଅସମ୍ମାନ !

ପଞ୍ଚାୟତିରାଜ ଦିବସ ତାରିଖ ପରିବର୍ତ୍ତନକୁ ନେଇ ଆଟାକିଂ ମୋଡରେ ରହିଛି ବିଜେଡି । ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ କରିବାକୁ ବିଜୁବାବୁ ଉଦ୍ୟମ କରିଥିଲେ । ୧୯୯୩ ମସିହାରେ ମହିଳାଙ୍କ ପାଇଁ ୩୩ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଥିଲେ । ସେବେଠାରୁ ବିଜୁବାବୁଙ୍କ ଜନ୍ମଦିନକୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରାଯାଉଥିଲା। ହେଲେ ଲୋକ ବିଜୁବାବୁଙ୍କୁ ଭଲ ପାଉଥିବାରୁ ବିଜେପି ସରକାର ତାଙ୍କୁ ଡରୁଥିବା ବିଜେଡି ଅଭିଯୋଗ କରିଛି । ମାର୍ଚ୍ଚ ୫ତାରିଖରେ କଂଗ୍ରେସ ପଞ୍ଚାୟତିରାଜ ଦିବସ ପାଳନ କରୁଥିଲା । ହେଲେ ବିଜେପି ଯେଉଁଭଳି ଅସମ୍ମାନ କଲା, ତାହା ଓଡିଆ ଅସ୍ମିତା କି ବୋଲି ପ୍ରଶ୍ନ କରିଛି ବିଜେଡି । କଂଗ୍ରେସ ମଧ୍ୟ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିଛି ।

ବିଜେପିକୁ ଘେରିଲା ବିଜେଡି

ପଞ୍ଚାୟତିରାଜ ଦିବସ ପାଳନ ତାରିଖ ବଦଳାଇ ବିଜେପି ସରକାର ଓଡ଼ିଶାର ଗୌରବକୁ କ୍ଷୁର୍ଣ୍ଣ କରିଛନ୍ତି ବୋଲି ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର କହିଛନ୍ତି । ଏହା ଦୁର୍ଭାଗ୍ୟଜନକ ଓ ରାଜ୍ୟ ସରକାରଙ୍କ ସଂକୀର୍ଣ୍ଣ ମନୋଭାବର ପରିଚୟ । ରାଜ୍ୟ ବିଜେପି ସରକାରଙ୍କ ଏହି ଅବିଚାରକୁ ରାଜ୍ୟବାସୀ ବିଚାର କରିବେ ବୋଲି ସେ କହିଛନ୍ତି । ସେପଟେ ବିଜେପି ସରକାର ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେଡି ନେତା ରଣେନ୍ଦ୍ର ପ୍ରତାପ ସ୍ବାଇଁ । ନୂଆ ସରକାର ଆସିବା ପରେ ମାର୍ଚ୍ଚ ୫କୁ ସରକାରୀ ଡାଏରୀ ଓ କ୍ୟାଲେଣ୍ଡରରେ ଛୁଟି ଘୋଷଣା କରିଥିଲେ । କାହିଁକି ଛୁଟି ବାତିଲ କଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ଏହାକୁ ନେଇ ରାଜ୍ୟବାସୀ କେବେବି ବିଜେପି ସରକାରକୁ କ୍ଷମା ଦେବେନି ବୋଲି ସେ କହିଛନ୍ତି ।

ଜୟନ୍ତୀ ପାଳିବେ, ପଞ୍ଚାୟତିରାଜ ଦିବସ ନୁହେଁ

ମାର୍ଚ୍ଚ ୫ତାରିଖ ଓଡିଶାର ମହାନ ବରପୁତ୍ର ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ । ଏହାକୁ ରାଜ୍ୟ ସରକାର ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଏହି ଦିନକୁ ସରକାରୀ ଛୁଟି ରହିବନି । ପଞ୍ଚାୟତିରାଜ ଦିବସ ପାଳନରେ ଜାତୀୟ ଓ ରାଜ୍ୟସ୍ତରରେ ରହିଥିବା ଅସଂହତି ଦୂର କରିବା ପାଇଁ ମାର୍ଚ୍ଚ ୫ତାରିଖ ବଦଳରେ ଏପ୍ରିଲ ୨୪ତାରିଖରେ ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।

ଯୋଜନାରୁ ହଟିଥିଲା ‘ବିଜୁ’ଙ୍କ ନାଁ

କ୍ଷମତାକୁ ଆସିବା ପରେ ପୂର୍ବ ବିଜେଡି ସରକାର ସମୟର ପ୍ରାୟ ୨୧ଟି ଯୋଜନାର ନାଁ ପରିବର୍ତ୍ତନ କରିଥିଲେ ବିଜେପି ସରକାର। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ହେଉ କି ବିଜୁ ପକ୍କା ଘର କିମ୍ବା ବିଜୁ ସେତୁ ବା ବିଜୁ ସହରାଞ୍ଚଳ ବିଦ୍ୟୁତିକରଣ ଯୋଜନା । ବିଜୁବାବୁଙ୍କ ନାଁରେ ଥିବା ଯୋଜନାର ନାମ ବଦଳାଇଥିଲେ ସରକାର । ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ବିଜୁ ଜନତା ଦଳ  ବିଜୁବାବୁଙ୍କ ନାଁରେ ହିଁ ରଖାଯାଇଥିଲା । ପୂର୍ବ ସରକାରଙ୍କ ବିଭିନ୍ନ ଯୋଜନାରେ ବି ବିଜୁବାବୁଙ୍କ ନାଁର ଛାପ ରହିଥିଲା । ତେବେ ବିଜେପି ସରକାର ଆସିବା ପରେ ଏସବୁ ଯୋଜନାର ନାଁ ବଦାଇଥିଲା । ଏବେ ପୁଣି ବିଜୁବାବୁଙ୍କ ଜନ୍ମ ଜୟନ୍ତୀରେ ପାଳନ ହେଉଥିବା ପଞ୍ଚାୟତିରାଜ ଦିବସର ତାରିଖ ବଦଳାଇଛନ୍ତି । ବିଜେଡି ଏହାକୁ ବିଜୁଙ୍କୁ ଅସମ୍ମାନ ଓ ଓଡିଆ ଅସ୍ମିତାର ଅପମାନ ସହ ଯୋଡି ବିଜେପିକୁ ଟାର୍ଗେଟ୍ କରିଛି ତ ଜାତୀୟ ଓ ରାଜ୍ୟସ୍ତରର ଅସଂହତି ଦୂରକୁ ନେଇ ଯୁକ୍ତି ବାଢୁଛି ବିଜେପି ।

Comments are closed.