Latest Odisha News

BREAKING NEWS

୩ ଦିନରେ ସମୁଦ୍ର ମୁହାଁ କୋଟିଏରୁ ଊର୍ଦ୍ଧ୍ବ ଛୁଆ କଇଁଛ

କେନ୍ଦ୍ରାପଡ଼ା: ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଦେଢ଼ ମାସର ବ୍ୟବଧାନ ପରେ ଅଲିଭରିଡ଼ଲେ କଇଁଛ ଛୁଆ ବସାରୁ ବାହାରି ସମୁଦ୍ର ମୁହାଁ ହେବାରେ ଲାଗିଛନ୍ତି। ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଅନ୍ତୁଡ଼ିଶାଳ ଗହୀରମଥା ପୁଣି ଚଳଚଞ୍ଚଳ ହୋଇଛି। ୩ଦିନ ଭିତରେ କୋଟିଏରୁ ଅଧିକ କଇଁଛ ଛୁଆ ଗଭୀର ସମୁଦ୍ରକୁ ଯାଇଛନ୍ତି।

ଗୁରୁବାର ସକାଳ ସୁଦ୍ଧା ୮୨ ଲକ୍ଷରୁ ଊର୍ଦ୍ଧ୍ବ ଛୁଆ ସମୁଦ୍ରର ନୀଳ ଜଳରାଶିକୁ ଚାଲିଯାଇଥିବା ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି। ଚଳିତ ବର୍ଷ ମାର୍ଚ୍ଚ ୫ରୁ ଆରମ୍ଭ ହୋଇଥିବା ସମୂହ ଅଣ୍ଡାଦାନ ପ୍ରକ୍ରିୟାରେ ଗହୀରମଥାର ନାସୀ-୨ରେ ୨ ଲକ୍ଷ ୫୩,୪୨୬ ଅଲିଭ୍‌ ରିଡ୍‌ଲେ ଅଣ୍ଡାଦାନ କରିଥିବା ବେଳେ ଏକକୂଳା ନାସୀରେ ୨ଲକ୍ଷ ୯୬,୪୩୬ କଇଁଛ ଅଣ୍ଡାଦାନ କରିଥିଲେ। ମଙ୍ଗଳବାର ଓ ବୁଧବାର ଦୁଇ ଦିନରେ ନାସୀ-୨ ରୁ ୮୨ଲକ୍ଷ କଇଁଛ ଶାବକ ସମୁଦ୍ରକୁ ଯାଇଥିଲେ। ଆଜି ସନ୍ଧ୍ୟାରୁ ନାସୀ-୨ରୁ କଇଁଛ ଶାବକ ବାଲିରୁ ବାହାରି ସମୁଦ୍ରକୁ ଯିବା ଆରମ୍ଭ କରିଛନ୍ତି।

ଅଣ୍ଡାଗୁଡ଼ିକର ଛୁଆ ଫୁଟିବା ସମୟରେ ସୁରକ୍ଷା ଦେବା ପାଇଁ ଗହୀରମଥା ଡେପୁଟି ରେଞ୍ଜ ଅଫିସର୍‌ କପିଳେନ୍ଦ୍ର ପ୍ରଧାନଙ୍କ ସମେତ ବନ ବିଭାଗର କର୍ମଚାରୀ ସଜାଗ ରହିଛନ୍ତି। ସେମାନଙ୍କ ସୁରକ୍ଷା ପାଇଁ ରାଜନଗର ବନଖଣ୍ଡ ପକ୍ଷରୁ ୧୬ଟି ଦଳ ଗଠନ କରାଯାଇ ୨୪ଘଣ୍ଟା ପ୍ରହରା ଦିଆଯାଉଛି। ଏହି ପ୍ରକ୍ରିୟା ଆଉ ଚାରିଦିନ ପର୍ଯ୍ୟନ୍ତ ଚାଲୁ ରହିବ। ୩୧ ବର୍ଷ ପରେ ଏକକୂଳାନାସୀ କଇଁଛମାନେ ଚଳିତ ବର୍ଷ ଗଣ ଅଣ୍ଡାଦାନ କରିଥିଲେ। ତେବେ ଏକକୂଳା ନାସୀରୁ କଇଁଛ ଶାବକ ବାହାରି ନଥିବା ରାଜନଗର ଡିଏଫ୍‌ଓ ସୁଦର୍ଶନ ଗୋପିନାଥ ଯାଦବ ସୂଚନା ଦେଇଛନ୍ତି।

ନଭେମ୍ବର ପ୍ରଥମ ସପ୍ତାହରୁ ସୁଦୂର ଶ୍ରୀଲଙ୍କା ଓ ଜାଫନା ଉପକୂଳରୁ ହଜାର ହଜାର ନଟିକାଲ ମାଇଲ ସାମୁଦ୍ରିକ ପଥ ଅତିକ୍ରମ କରି ଗହୀରମଥାକୁ ଅଲିଭରିଡ଼ଲେ କଇଁଛ ବଂଶବିସ୍ତାର ପାଇଁ ଆସିଥାନ୍ତି। ସେମାନଙ୍କ ମିଳନ ପର୍ବ ପରେ ଜାନୁଆରୀ ପ୍ରଥମ ସପ୍ତାହରୁ ଦ୍ୱିତୀୟ ସପ୍ତାହ ମଧ୍ୟରେ ଧୀରେ ଧୀରେ ଅଣ୍ଡାଦାନ କରିବା ଆରମ୍ଭ କରିଥାନ୍ତି। ମା କଇଁଛ ଉପରକୁ ଆସି ବାଲି ପଠାରେ ଦେଢ଼ ଫୁଟର ଗାତ ଖୋଳି ୬୦ ରୁ ୧୦୦ ପ୍ରର୍ଯ୍ୟନ୍ତ ଅଣ୍ଡା ଦେଇ ବାଲି ଘୋଡାଇ ସମୁଦ୍ର ମଧ୍ୟକୁ ଚାଲିଯାଇଥାଏ।

ପ୍ରକୃତିର ନିୟମ ଅନୁସାରେ ଏହି ଅଲିଭରିଡ଼ଲେ ଶାବକ ସୂର୍ଯ୍ୟାସ୍ତରୁ ସୂର୍ଯ୍ୟେଦୟ ମଧ୍ୟରେ ସମୁଦ୍ର ଗର୍ଭକୁ ଚାଲି ଯାଇଥାନ୍ତି। ଫେବୃଆରୀ ଦ୍ୱିତୀୟ ସପ୍ତାହରୁ ମାର୍ଚ୍ଚ ଶେଷ ସପ୍ତାହ, ଏପରିକି ଏପ୍ରିଲ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଗଣ ଅଣ୍ଡାଦାନ କରିଥାନ୍ତି। ମୁଖ୍ୟତଃ ସମୁଦ୍ର ଜଳର ଉତ୍ତାପ ଓ ସମୁଦ୍ର କୂଳ ବାଲିର ଉତ୍ତାପ ଓ ବିଶେଷକରି ପାଣିପାଗ ଉପରେ ସେମାନଙ୍କ ଅଣ୍ଡାଦାନ ନିର୍ଭର କରିଥାଏ।

Comments are closed.