Latest Odisha News

BREAKING NEWS

ଗ୍ରାମାଞ୍ଚଳରେ ୧,୦୦୦ରୁ ଅଧିକ ପାନୀୟ ଜଳ ପୁନରୁଦ୍ଧାର ଟିମ୍ ମୁତୟନ; ଗଞ୍ଜାମରେ ପହଞ୍ଚିଲେ ୧୧୮ଟି ଟିମ୍,ପୁରୀରେ ୫୫

ଭୁବନେଶ୍ୱର: ବାତ୍ୟା ‘ଅକ୍‌ଭାନ୍’କୁ ଦୃଷ୍ଟିରେ ରଖି ଓଡ଼ିଶାର ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣକୁ ସୁରକ୍ଷିତ ରଖିବା ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ପ୍ରସ୍ତୁତିକୁ ଅଧିକ ଜୋରଦାର କରାଯାଇଛି। ଜିଲ୍ଲାୱାରୀ ସ୍ୱତନ୍ତ୍ର ମାଇକ୍ରୋ ପ୍ଲାନ୍ କାର୍ଯ୍ୟକାରୀ କରାଯିବା ସହ ଅଧିକ ପ୍ରଭାବିତ ହେବାର ଆଶଙ୍କା ଥିବା ଅଞ୍ଚଳରେ ପାନୀୟ ଜଳ ପୁନରୁଦ୍ଧାର ପାଇଁ ସ୍ୱତନ୍ତ୍ର ଟିମ୍ ମୁତୟନ କରାଯାଇଛି। ପାଣିପାଗ ଓ ସ୍ଥାନୀୟ ସ୍ଥିତିରେ ପରିବର୍ତ୍ତନ ଅନୁଯାୟୀ ଏହି ଟିମ୍ ଓ ଜରୁରୀକାଳୀନ ସମ୍ବଳର ପୁନଃ ମୁତୟନ କରାଯାଉଛି।

ଏହି ଯୋଜନାରେ ବାତ୍ୟା ଦ୍ୱାରା ପ୍ରଭାବିତ ହେବାର ଆଶଙ୍କା ଥିବା ବ୍ଲକ୍ ଓ ଗ୍ରାମ ପଞ୍ଚାୟତଗୁଡ଼ିକୁ ଚିହ୍ନଟ କରାଯାଇଛି। ସେଠାରେ ଥିବା ସମ୍ଭାବ୍ୟ ପ୍ରଭାବିତ ପାନୀୟ ଜଳ ଉତ୍ସ, ସ୍ଥାନୀୟ ଆବଶ୍ୟକତା ଓ ଜରୁରୀକାଳୀନ ସମ୍ବଳର ଆବଶ୍ୟକତା ଆକଳନ କରାଯାଇ ଆଗୁଆ ମୁତୟନ ପାଇଁ ବ୍ୟବସ୍ଥା ହୋଇଛି। ନିୟମିତ ଜଳଯୋଗାଣ ବ୍ୟବସ୍ଥା ପୁନଃ ସ୍ୱାଭାବିକ ହେବା ପର୍ଯ୍ୟନ୍ତ ଜଳ ଟ୍ୟାଙ୍କର, ଅସ୍ଥାୟୀ ଜଳ ସଂରକ୍ଷଣ ଟାଙ୍କି ଓ ବୋତଲ ପାଣି ମାଧ୍ୟମରେ ଜଳଯୋଗାଣ ପାଇଁ ମଧ୍ୟ ବିକଳ୍ପ ବ୍ୟବସ୍ଥା କରାଯାଇଛି ।

ସମସ୍ତ ୩୦ଟି ଜିଲ୍ଲାରେ ଆବଶ୍ୟକୀୟ ପ୍ରସ୍ତୁତି କରାଯାଇଛି। ଜରୁରୀକାଳୀନ ବ୍ୟବସ୍ଥା ପାଇଁ ପ୍ରାୟ ୭,୬୦୦ ବ୍ୟାଗ୍ ବ୍ଲିଚିଂ ପାଉଡର, ୭.୫୭ ଲକ୍ଷ ପାଣି ବୋତଲ, ୮୧୩ଟି ଜଳ ଟ୍ୟାଙ୍କର, ୯୦୩ଟି ସିନଟେକ୍ସ ଟାଙ୍କି, ୪୧୭ଟି ଜେନେରେଟର ସେଟ୍, ୭୮୯ଟି ଜଳ ଲୋଡିଂ ପଏଣ୍ଟ ଏବଂ ୧୩ଟି ମୋବାଇଲ୍ ଜଳ ବିଶୋଧନ ୟୁନିଟ୍ ଉପଲବ୍ଧ ରଖାଯାଇଛି। ଏଥିସହ ୧,୦୧୨ଟି ରେସପନ୍ସ ଟିମ୍‌କୁ ମୁତୟନ ପାଇଁ ଚିହ୍ନଟ କରାଯାଇଛି।

ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ତ୍ୱରିତ ପୁନରୁଦ୍ଧାର ପାଇଁ ବିଭାଗ ପକ୍ଷରୁ ଜିଲ୍ଲାୱାରୀ ସ୍ୱତନ୍ତ୍ର ପାନୀୟ ଜଳ ପୁନରୁଦ୍ଧାର ଟିମ୍ ମୁତୟନ କରାଯାଇଛି। ଗଞ୍ଜାମରେ ୧୧୮ଟି ଟିମ୍ ପହଞ୍ଚିଥିବାବେଳେ ଗଜପତିରେ ୧୧୪ଟି ଗ୍ରାମ ପଞ୍ଚାୟତକୁ ନେଇ ୫୪ଟି ଟିମ୍, ମାଲକାନଗିରିରେ ୬୩ଟି, ପୁରୀରେ ୫୫ଟି, ଜଗତସିଂହପୁରରେ ୪୦ଟି, କେନ୍ଦ୍ରାପଡ଼ାରେ ୧୮ଟି, ବାଲେଶ୍ୱରରେ ୧୨ଟି, ନବରଙ୍ଗପୁରରେ ୧୨ଟି ଏବଂ ରାୟଗଡ଼ାରେ ୧୦ଟି ଟିମ୍ ମୁତୟନ କରାଯାଇଛି।

ଜରୁରୀକାଳୀନ ପାନୀୟ ଜଳ ଯୋଗାଣ ପାଇଁ ଗଜପତିରେ ୨୦,୦୦୦ଟି ପାଣି ବୋତଲ ଓ ଗୋଟିଏ ମୋବାଇଲ୍ ଜଳ ବିଶୋଧନ ୟୁନିଟ୍, ମାଲକାନଗିରିରେ ୮୨,୦୦୦ଟି ବୋତଲ, କୋରାପୁଟରେ ୮୦,୦୦୦ଟି ବୋତଲ ଓ ଗୋଟିଏ ମୋବାଇଲ୍ ଜଳ ବିଶୋଧନ ୟୁନିଟ୍, କେନ୍ଦ୍ରାପଡ଼ାରେ ୭୦,୦୦୦ଟି ବୋତଲ ଓ ଗୋଟିଏ ମୋବାଇଲ୍ ଜଳ ବିଶୋଧନ ୟୁନିଟ୍, ବାଲେଶ୍ୱରରେ ୧,୦୧,୫୦୦ଟି ବୋତଲ ଏବଂ ଜଗତସିଂହପୁରରେ ୫୦,୦୦୦ଟି ବୋତଲ ଓ ଗୋଟିଏ ମୋବାଇଲ୍ ଜଳ ବିଶୋଧନ ୟୁନିଟ୍ ଉପଲବ୍ଧ ରଖାଯାଇଛି। ଏହି ଜିଲ୍ଲାଗୁଡ଼ିକରେ ସମ୍ଭାବ୍ୟ ପ୍ରଭାବିତ ପାଇପ୍ ଜଳଯୋଗାଣ ପ୍ରକଳ୍ପ ଓ ନଳକୂପଗୁଡ଼ିକୁ ମଧ୍ୟ ଚିହ୍ନଟ କରାଯାଇଛି ଫଳରେ ଆବଶ୍ୟକ ସ୍ଥଳେ ତ୍ୱରିତ ପଦକ୍ଷେପ ନିଆଯାଇପାରିବ।

ବାତ୍ୟା ପରେ କ୍ଷୟକ୍ଷତିର ତୁରନ୍ତ ଆକଳନ କରାଯାଇ ପ୍ରଭାବିତ ଜଳଯୋଗାଣ ବ୍ୟବସ୍ଥାର ପୁନରୁଦ୍ଧାର କରାଯିବ। ନିୟମିତ ଜଳଯୋଗାଣ ସ୍ବାଭାବିକ ହେବା ପର୍ଯ୍ୟନ୍ତ ପ୍ରଭାବିତ ଅଞ୍ଚଳରେ ଟ୍ୟାଙ୍କର, ଅସ୍ଥାୟୀ ଜଳ ସଂରକ୍ଷଣ ଟାଙ୍କି ଓ ବୋତଲ ପାଣି ମାଧ୍ୟମରେ ପାନୀୟ ଜଳ ଯୋଗାଇ ଦିଆଯିବ। ଆବଶ୍ୟକତା ଅନୁଯାୟୀ ମୋବାଇଲ୍ ଜଳ ବିଶୋଧନ ୟୁନିଟ୍ ଓ ଜେନେରେଟର ସେଟ୍ ମଧ୍ୟ ବ୍ୟବହାର କରାଯିବ।

ବିଭାଗ ପକ୍ଷରୁ ଜିଲ୍ଲା ପ୍ରଶାସନ ଓ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କ ସହ ନିରନ୍ତର ସମନ୍ୱୟ ରଖାଯାଇଛି। ପାଣିପାଗର ପରିବର୍ତ୍ତନ, ସ୍ଥାନୀୟ ଦୁର୍ବଳତା ଓ ଉପୁଜୁଥିବା ଆବଶ୍ୟକତାକୁ ଆଧାର କରି ପୁନରୁଦ୍ଧାର ଟିମ୍ ଓ ଜରୁରୀକାଳୀନ ସମ୍ବଳର ଦିଗ ପରିବର୍ତ୍ତନ କରାଯାଉଛି, ଯାହାଦ୍ୱାରା ପ୍ରଭାବିତ ଅଞ୍ଚଳରେ ତ୍ୱରିତ ସହାୟତା ପହଞ୍ଚାଇବା ସହ ପାନୀୟ ଜଳ ଯୋଗାଣରେ ବାଧାକୁ ସର୍ବନିମ୍ନ ରଖାଯାଇପାରିବ।

Leave A Reply

Your email address will not be published.