Latest Odisha News

BREAKING NEWS

ପୁଣି ୨୦୦ କର୍ମଚାରୀଙ୍କୁ ଛଟେଇ କଲା ଟୁଇଟର

ୱାଶିଂଟନ: ପୁଣି ଟୁଇଟରରେ କର୍ମଚାରୀ ଛଟେଇ । ଶନିବାର ପ୍ରାୟ ୨୦୦ କର୍ମଚାରୀଙ୍କୁ ଛଟେଇ କରିଛି ଟୁଇଟର । ଟୁଇଟରରେ କାମ କରୁଥିବା ପ୍ରାୟ ୨୦୦୦ କର୍ମଚାରୀଙ୍କର ଏହା ୧୦ ପ୍ରତିଶତ ଅଟେ । ଏଲନ ମସ୍କ ଗତବର୍ଷ ଅକ୍ଟୋବରରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟରକୁ ଅଧିଗ୍ରହଣ କରିଥିଲେ । ବର୍ତ୍ତମାନ ସୁଦ୍ଧ ଟୁଇଟରର ପାଖାପାଖି ୭ ହଜାର ୫୦୦ କର୍ମଚାରୀ ମଧ୍ୟରୁ ଅଧାରୁ ଅଧିକ କର୍ମଚାରୀଙ୍କୁ ବାହାର କରି ସାରିଲାଣି ।
ଟୁଇଟରର ପୂର୍ବତନ ଏବଂ ବର୍ତ୍ତମାନର କର୍ମଚାରୀ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ, କମ୍ପାନୀର ଇଣ୍ଟରନାଲ ମେସେଜିଂ ସର୍ବିସ ସ୍ଲେକକୁ ଅଫ ଲାଇନ କରି ଦିଆଯାଇଛି । ଏହା ଦ୍ୱାରା କର୍ମଚାରୀ ପରସ୍ପର ସହ ଚାଟ କରି ପାରୁଥିଲେ । ଶନିବାର ରାତିରେ କିଛି କର୍ମଚାରୀ ଜାଣିବାକୁ ପାଇଲେ ଯେ, ସେମାନଙ୍କ କର୍ପୋରେଟ ଇମେଲ ଆକାଉଣ୍ଟ ଲାପଟପରୁ ଲଗ ଆଉଟ ହୋଇ ଯାଇଛି । ରବିବାର ସକାଳୁ ସକାଳୁ ସେମାନେ ଜାଣି ପାରିଥିଲେ ଯେ ତାଙ୍କୁ କମ୍ପାନୀରୁ ବାହାର କରି ଦିଆଯାଇଛି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏଲନ ମସ୍କ କର୍ମଚାରୀଙ୍କୁ ବିନା ବ୍ରେକରେ କାମ କରିବାକୁ ପରାମର୍ଶ ଦେଇଥିଲେ । ଏହା ପରେ କିଛି ଲୋକ କାମ କରୁଥିବାବେଳେ ଅଫିସରେ ଶୋଇଥିବା ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଯେଉଁ କର୍ମଚାରୀମାନେ ଦିନରାତି କାମ କରୁଥିଲେ ସେମାନେ ମଧ୍ୟ ଏହି ଛଟେଇରୁ ରକ୍ଷା ପାଇ ନାହାନ୍ତି । ଏପରିକି କିଛି ଦିନ ତଳେ ଯେଉଁ କର୍ମଚାରୀଙ୍କ ଶୋଇଥିବାର ଫଟୋ ଭାଇରାଲ ହୋଇଥିଲା ତାଙ୍କୁ ମଧ୍ୟ ଛଟେଇ କରାଯାଇଛି ।
ଏହି ଛଟନୀରେ ମେସିନ ଲର୍ଣ୍ଣିଂ ଏବଂ ସାଇଟ ରିଲାୟବିଲିଟି ଉପରେ କାମ କରୁଥିବା ପ୍ରଡକ୍ଟ ମ୍ୟାନେଜର, ଡାଟା ସାଇଣ୍ଟିଷ୍ଟ ଏବଂ ଇଞ୍ଜିନିୟର ସାମିଲ ଅଛନ୍ତି । କମ୍ପାନୀ ଏପରି କର୍ମଚାରୀଙ୍କୁ ବାହାର କରି ଦେଇଛି ଯେଉଁମାନେ କିଛି ନା କିଛି ଷ୍ଟାର୍ଟଅପର ଫାଉଣ୍ଡର ଅଟନ୍ତି ଏବଂ ଯାହାର ଅଧିଗ୍ରହଣ ଟୁଇଟର କରିଛି । ଏମାନଙ୍କର ପ୍ୟାକେଜ ମଧ୍ୟ ଅଧିକ ଥିଲା ।
ଏଠି କହିରଖିବୁ, ଏଲନ ମସ୍କ ଟୁଇଟର ଅଧିଗ୍ରହଣ ପରେ କମ୍ପାନୀର ୪ ଜଣ ଟପ ଅଧିକାରୀଙ୍କୁ ବାହାର କରି ସାରିଛି । ଏଥିରେ ସିଇଓ ପରାଗ ଅଗ୍ରୱାଲ , ଫାଇନାନ୍ସ ଚିଫ ନେଡ ସେଗଲ ଏବଂ ଲିଗାଲ ଏଗଜିକ୍ୟୁଟିଭ ବିଜୟା ଗଡ୍‌ଡେ ଏବଂ ସିନ ଏଡଗେଟ ଅଛନ୍ତି ।

Leave A Reply

Your email address will not be published.