Latest Odisha News

BREAKING NEWS

ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ରେ ଯୋଗ ଦେବେ ୨୦୦୦ରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀ

ଭୁବନେଶ୍ୱର : ଶିଶୁ ଦିବସ ଉପଲକ୍ଷେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଆରମ୍ଭ ହେଉଛି। ନଭେମ୍ବର ୧୨ ରୁ ୧୪ ତାରିଖ ପର୍ଯ୍ୟନ୍ତ  ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହାଇସ୍କୁଲ, ୟୁନିଟ୍-୩ ପରିସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ। ବ୍ଲକ ଓ ଜିଲ୍ଲାସ୍ତରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ଵ ଅର୍ଜନ କରିଥିବା ପ୍ରାୟ ୨୦୦୦ ରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀମାନେ ଏହି ମହୋତ୍ସବରେ ଅଂଶଗ୍ରହଣ କରିବେ। ସ୍କୁଲ ଛାତ୍ରଛାତ୍ରୀମାନଙ୍କର ଦକ୍ଷତା ବୃଦ୍ଧିର ପାଇଁ ରାଜ୍ୟ ସରକାର ଶିଶୁ ମହୋତ୍ସବ ‘ସୁରଭି’ର ଆୟୋଜନ କରୁଛନ୍ତି। ଏହା ସ୍କୁଲ, ବ୍ଲକ, ଜିଲ୍ଲା ଓ ରାଜ୍ୟସ୍ତରରେ ଆୟୋଜନ ହେଉଛି। ବ୍ଲକସ୍ତରରୁ ପର୍ଯ୍ୟାୟକ୍ରମେ କୃତୀ ପ୍ରତିଭାବାନ୍‌ ଛାତ୍ରଛାତ୍ରୀ ରାଜ୍ୟସ୍ତରରେ ପହଞ୍ଚୁଛନ୍ତି।

ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ପାଇଁ ବିଭିନ୍ନ ପ୍ରତିଯୋଗିତା, ସ୍ଥାନୀୟ ପରିଭ୍ରମଣ, ବିଶିଷ୍ଟ ବ୍ୟକ୍ତିଙ୍କ ସହ ସାକ୍ଷାତକାର, ଶ୍ରେଷ୍ଠ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀ, କର୍ମଶାଳା ଓ ବିଭିନ୍ନ ପ୍ରଦର୍ଶନୀ ଏବଂ ଦଳଗତ ସାଂସ୍କୃତିକ କାର୍ଯ୍ୟମାନ ଆୟୋଜନ କରାଯାଇଛି।

ମଙ୍ଗଳବାର ସନ୍ଧ୍ୟାରେ ‘ସୁରଭି’ କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ବିଧାୟକ ଅନନ୍ତ ନାରାୟଣ ଜେନା,  ବିଧାୟକ ସୁଶାନ୍ତ କୁମାର ରାଉତ, ବିଧାୟକ ବାବୁ ସିଂ, ଉନ୍ନୟନ ଆୟୁକ୍ତ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଅତିଥି ଭାବରେ ଯୋଗ ଦେବେ। ଉତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ସୂଚନାଯୋଗ୍ୟ, ନଭେମ୍ବର ୧୪ ଶିଶୁ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସମ୍ମାନନୀୟ ଅତିଥି ଭାବେ  ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ବାବୁ ସିଂ ଓ ମୁଖ୍ୟ ଶାସନ ସଚିବ  ମନୋଜ ଆହୁଜା ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

Comments are closed.