ସୋର: ବାହାଘର ଭୋଜି ଖାଇବା ପଡିଲା ମହଙ୍ଗା । ଭୋଜି ଖାଇ ୫୦ ରୁ ଅଧିକ ଲୋକ ଅସୁସ୍ଥ ହୋଇପଡ଼ିଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଅନ୍ତର୍ଗତ ଗୋପୀନାଥପୁର ପଞ୍ଚାୟତରେ । ସମସ୍ତ ଅସୁସ୍ଥଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଗୋପୀନାଥପୁର ଗ୍ରାମର କାହ୍ନୁଚରଣ ଓଝାଙ୍କ ଘରେ ଶୁକ୍ରବାର ଏକ ବିବାହ ଭୋଜିର ଆୟୋଜନ କରାଯାଇଥିଲା । ଏହି ଭୋଜିରେ ଶତାଧିକ ଲୋକ ଖାଦ୍ୟ ଖାଇଥିଲେ । ତେବେ ଖାଦ୍ୟ ଖାଇସାରି ଶୋଇବାକୁ ଯାଇଥିଲେ । ହେଲେ ଶନିବାର କିଛି ଲୋକ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ ।
ଝାଡ଼ା ଓ ବାନ୍ତି ହେବାରୁ ସେମାନଙ୍କୁ ତୁରନ୍ତ ଅନନ୍ତପୁର ଡାକ୍ତରଖାନା ଏବଂ ପରେ ଅବସ୍ଥା ଗୁରୁତର ହେବାରୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ରବିବାର ସକାଳୁ ପୁଣି ୨୦ରୁ ଅଧିକ ଲୋକ ଅସୁସ୍ଥ ହୋଇ ଅନନ୍ତପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।
ତେବେ ଉକ୍ତ ଅଞ୍ଚଳରେ ଏତେ ସଂଖ୍ୟକ ଲୋକ ଏକାଥରକେ ଏତେ ମାତ୍ରାରେ ଅସୁସ୍ଥ ହେବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟର ବାତ୍ତାବରଣ ଦେଖାଦେଇଛି । ବିଷାକ୍ତ ଖାଦ୍ୟ ଖାଇବା କାରଣରୁ ଏଭଳି ପରିସ୍ଥିତି ଉପୁଜିଥିବା ସନ୍ଦେହ କରାଯାଉଛି ।