ନୂଆଦିଲ୍ଲୀ:ପଶ୍ଚିମ ଆଫଗାନିସ୍ତାନ(Afghanistan)ରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୫୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ଇରାନରୁ ଫେରୁଥିବା ପ୍ରବାସୀଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ ବସ୍ ଏକ ଟ୍ରକ୍ ଏବଂ ଏକ ବାଇକ୍ ସହିତ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। ସ୍ଥାନୀୟ ପୋଲିସ ଏହି ଦୁର୍ଘଟଣା ବିଷୟରେ ସୂଚନା ଦେଇଛନ୍ତି।
ହେରାତ ପ୍ରାନ୍ତର ପୋଲିସ କହିଛନ୍ତି ଯେ, ବସ୍ର ଦ୍ରୁତ ଗତି ଏବଂ ଅସାବଧାନତା ଯୋଗୁଁ ଏହି ଦୁର୍ଘଟଣା ଘଟିଛି। ସ୍ଥାନୀୟ ଅଧିକାରୀ ମହମ୍ମଦ ୟୁସୁଫ୍ ସଇଦି ଏଏଫ୍ପିକୁ କହିଛନ୍ତି ଯେ ବସ୍ଟି ଇରାନରୁ ଫେରିଥିବା ଆଫଗାନମାନଙ୍କୁ ନେଇ ରାଜଧାନୀ କାବୁଲକୁ ଯାଉଥିଲା।
ସଇଦି କହିଛନ୍ତି ଯେ ସମସ୍ତ ଯାତ୍ରୀ ପ୍ରବାସୀ ଇସଲାମ କାଲା ନାମକ ଏକ ସ୍ଥାନରୁ ବସ୍ ରେ ଚଢ଼ିଥିଲେ। ହେରାତ ସହର ବାହାରେ ଗୁଜାରା ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଥିଲା। ମୃତକଙ୍କ ମଧ୍ୟରୁ ଅଧିକାଂଶ ବସ୍ ରେ ଯାତ୍ରା କରୁଥିଲେ। ଟ୍ରକରେ ୨ ଜଣ ଏବଂ ବାଇକ୍ ରେ ଅନ୍ୟ ୨ ଜଣ ଥିଲେ।
ସୂଚନାଥାଉକି, ମେ ୨୦୧୬ରେ ଆଫଗାନିସ୍ତାନର ଦକ୍ଷିଣ ପ୍ରଦେଶ ଜାବୁଲର କାନ୍ଦାହାର-କାବୁଲ ରାଜପଥରେ ଦୁଇଟି ଯାତ୍ରୀବାହୀ ବସ୍ ଏବଂ ଏକ ଟ୍ରକ୍ ମଧ୍ୟରେ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଅତି କମରେ ୭୩ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନେକ ଗୁରୁତର ହୋଇଥିଲେ।
Comments are closed.