Latest Odisha News

BREAKING NEWS

୫ ହଜାରରୁ ଅଧିକ ପ୍ରାଥମିକ ସ୍କୁଲର ଭିତ୍ତିଭୂମି ଉନ୍ନତିକରଣ କାର୍ଯ୍ୟ ଆରମ୍ଭ ହେବ

ଭୁବନେଶ୍ୱର: ତୋଷାଳୀ ଭବନସ୍ଥିତ ‘ମୋ ସ୍କୁଲ ଅଭିଯାନ’ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ପରିଚାଳନା ପରିଷଦର ୧୧ତମ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ‘ମୋ ସ୍କୁଲ୍‌ ଅଭିଯାନ’ ପ୍ରକଳ୍ପଗୁଡି଼କର ସାମାଜିକ ସମୀକ୍ଷା, ରାଜ୍ୟର ୫୧୯୫ ପ୍ରାଥମିକ ବିଦ୍ୟାଳୟର ଉନ୍ନତିକରଣ, ରାଜ୍ୟର ସମସ୍ତ ବିଦ୍ୟାଳୟରେ ବ୍ୟାପକ ବୃକ୍ଷରୋପଣ ତଥା ଗୁଣାତ୍ମକ ଶିକ୍ଷା ନେଇ ବିଭିନ୍ନ ଆଲୋଚନା ହୋଇଥିଲା।

‘ମୋ ସ୍କୁଲ ଅଭିଯାନ’ର ଅଧ୍ୟକ୍ଷା ଶ୍ରୀମତୀ ସୁସ୍ମିତା ବାଗ୍‌ଚୀ ସଭାପତିତ୍ୱ କରି ସ୍କୁଲମାନଙ୍କରେ ହେଉଥିବା ବିଭିନ୍ନ ପ୍ରକଳ୍ପର ସାମାଜିକ ସମୀକ୍ଷାକୁ ବ୍ୟାପକ କରିବା ପାଇଁ ଗୁରୁତ୍ୱ ଦେଇଥିଲେ । ସେ କହିଥିଲେ ଯେ ସାମାଜିକ ସମୀକ୍ଷା ହିଁ ବିଦ୍ୟାଳୟର ପ୍ରକଳ୍ପମାନଙ୍କର ସ୍ୱଚ୍ଛତା ବଜାୟ ରଖିପାରିବ। ସରକାରଙ୍କ ସମୀକ୍ଷା ଅବିରତ ରହିବ ନିଶ୍ଚୟ, କିନ୍ତୁ ସ୍ଥାନୀୟ ବ୍ୟକ୍ତିମାନେ ବିଦ୍ୟାଳୟର ଉନ୍ନତି, ପ୍ରକଳ୍ପଗୁଡିକର କାର୍ଯ୍ୟକାରିତା ନେଇ ଅଧିକ ସଚେତନ ରହିପାରିବେ।

ଏହି ବୈଠକରେ ରାଜ୍ୟର ଗ୍ରାମାଞ୍ଚଳରେ ଥିବା ପ୍ରାଥମିକ ବିଦ୍ୟାଳୟମାନଙ୍କର ଭିତ୍ତିଭୂମିରେ କିଭଳି ଉନ୍ନତି କରାଯିବ, ତାହା ନେଇ ବ୍ୟାପକ ଆଲୋଚନା ହୋଇଥିଲା । ପ୍ରାଥମିକ ପର୍ଯ୍ୟାୟରେ ୫୧୯୫ ବିଦ୍ୟାଳୟର ଉନ୍ନତିକରଣ କରାଯିବ । ଏଥିପାଇଁ ପୁରାତନ ଛାତ୍ରଛାତ୍ରୀ ତଥା ବିଭିନ୍ନ ପ୍ରତିଷ୍ଠାନମାନଙ୍କର ଅନୁଦାନ ସହିତ ସରକାରଙ୍କ ଦୁଇ ଗୁଣ ଆର୍ଥିକ ସହାୟତା ଯୋଡିହୋଇଯିବ। ସମଗ୍ର ଆର୍ଥିକ ଅନୁଦାନରେ ବିଦ୍ୟାଳୟମାନଙ୍କର ଆବଶ୍ୟକତା ଅନୁଯାୟୀ ବିଭିନ୍ନ ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯିବ। କେବଳ ଭିତ୍ତିଭୁମି ନୁହଁ, ଗୁଣାତ୍ମକ ଶିକ୍ଷା ପ୍ରତି ମଧ୍ୟ ଧ୍ୟାନ ଦିଆଯିବ।

ପ୍ରତି ବିଦ୍ୟାଳୟରେ ପ୍ରଚଳନ ହୋଇଥିବା ‘ହାଉସ ସିଷ୍ଟମ’ର କାର୍ଯ୍ୟକାରିତା ସମ୍ପର୍କରେ ମଧ୍ୟ ଏହି ବୈଠକରେ ଆଲୋଚନା ହୋଇଥିଲା । ଏହି କ୍ଷେତ୍ରରେ ପ୍ରାଥମିକ କାର୍ଯ୍ୟ ଆରମ୍ଭ ହୋଇସାରିଛି ଏବଂ ଅବଶିଷ୍ଟ କାର୍ଯ୍ୟ ଖୁବ୍‌ ଶୀଘ୍ର ସମ୍ପୂର୍ଣ୍ଣ କରିବାର ଆଶା ରହିଛି ।

ଓଡିଶାର ସବୁ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟମାନଙ୍କରେ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ପରିଷଦ ଅନୁମୋଦନ କରିଛି । ଉଦ୍ୟାନ ବିଭାଗ ଓ ବନ ବିଭାଗର ମିଳିତ ସହଯୋଗରେ ଏବଂ ପୁରାତନ ଛାତ୍ରଛାତ୍ରୀଙ୍କ ସହାୟତାରେ ଏହି କାର୍ଯ୍ୟକ୍ରମକୁ ସଫଳ କରିବାକୁ ଆଲୋଚନା କରାଯାଇଛି । ଆସନ୍ତା ଅଗଷ୍ଟ ୧୫ତାରିଖରୁ ସେପ୍ଟେମ୍ବର ୧୫ତାରିଖ ମଧ୍ୟରେ ବିଦ୍ୟାଳୟର ସବୁଜିମା  ରକ୍ଷଣାବେକ୍ଷଣ ପାଇଁ ଛାତ୍ରଛାତ୍ରୀଙ୍କୁ ନେଇ ଗଢାଯାଇଥିବା ବିଭିନ୍ନ ହାଉସ୍‌(ଛାତ୍ର ଦଳ)କୁ ପ୍ରୋତ୍ସାହିତ କରାଯିବ  ବୋଲି ଜଣାପଡ଼ିଛି।

ପରିଷଦର ଉପସଭାପତି ତଥା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଶ୍ରୀମତୀ ଅଶ୍ୱଥୀ ଏସ୍ ବିଭିନ୍ନ ବିଦ୍ୟାଳୟରେ ଚାଲିଥିବା ପ୍ରକଳ୍ପଗୁଡି଼କର ସମୀକ୍ଷା ଓ ଆରମ୍ଭ ହୋଇ ନ ଥିବା ପ୍ରକଳ୍ପଗୁଡି଼କୁ ଶୀଘ୍ର ଆରମ୍ଭ କରିବା ପାଇଁ ଗୁରୁତ୍ୱ ଦେଇଥିଲେ । ସମ୍ପାଦକ ତଥା ଓଡି଼ଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ପ୍ରକଳ୍ପ ନିର୍ଦ୍ଦେଶକ , ‘ମୋ ସ୍କୁଲ୍‌ ଅଭିଯାନ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ , ଅନୁସୂଚିତ ଜାତି ଓ ଜନଜାତିର ନିର୍ଦ୍ଦେଶକ, ବିଭାଗୀୟ ବିତ୍ତ ପରମର୍ଶଦାତା, ଅତିରିକ୍ତ ସଚିବଙ୍କ ସମେତ ଖୋର୍ଦ୍ଧା, ଢେଙ୍କାନାଳ ଓ  ଗଞ୍ଜାମର ଜିଲ୍ଲାପାଳ ପ୍ରମୁଖ ପରିଚାଳନା ପରିଷଦର ବୈଠକରେ ଯୋଗ ଦେଇଥିଲେ।

Leave A Reply

Your email address will not be published.