Latest Odisha News

BREAKING NEWS

ସାଙ୍ଘାତିକ ଖୁଲାସା ! ୮୦%ରୁ ଅଧିକ ଆଇଟି କର୍ମଚାରୀଙ୍କ ଠାରେ ଫ୍ୟାଟି ଲିଭର ଡିଜିଜ

ନୂଆଦିଲ୍ଲୀ: ଏକ ଚିନ୍ତାଜନକ ରିପୋର୍ଟ ସାମ୍ନାକୁ ଆସିଛି । ଭାରତର ୮୦%ରୁ ଅଧିକ ଆଇଟି କର୍ମଚାରୀ ଫ୍ୟାଟି ଲିଭର ରୋଗରେ ପୀଡିତ । ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର ଗବେଷକଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣା ପଡିଛି, ୮୪% ଆଇଟି କର୍ମଚାରୀ ମେଟାବୋଲିକ୍ ଡିସଫଙ୍କସନ୍-ସମ୍ବନ୍ଧିତ ଫ୍ୟାଟି ଲିଭର ରୋଗ (MAFLD) ଦ୍ୱାରା ପ୍ରଭାବିତ ହୋଇଛନ୍ତି । ଦୀର୍ଘ ସମୟ ଧରି ବସିବା, ଅତ୍ୟଧିକ କାର୍ଯ୍ୟ ଚାପ, ଅସ୍ଵାସ୍ଥ୍ୟକର ଖାଦ୍ୟ ଏବଂ କମ ଶାରୀରିକ କାର୍ଯ୍ୟକଳାପ ଯୋଗୁଁ ଏହି ସମସ୍ୟା ଦେଖାଯାଇଥାଏ ।

ଅଧ୍ୟୟନରୁ ଏହା ମଧ୍ୟ ଜଣାପଡିଛି ଯେ, ପ୍ରାୟ ୭୧ ପ୍ରତିଶତ ଆଇଟି କର୍ମଚାରୀ ମୋଟାପଣ ଏବଂ ପ୍ରାୟ ୩୪ ପ୍ରତିଶତ ମେଟାବୋଲିକ୍ ସିଣ୍ଡ୍ରୋମ ରୋଗରେ ପିଡୀତ । ଏହି ରୋଗ ଯାହା ଫ୍ୟାଟି ଲିଭର, ମେଦବହୁଳତା, ମଧୁମେହ ଏବଂ ରକ୍ତଚାପର ଆଶଙ୍କା ବଢାଇଦେଇଥାଏ।

ରିପୋର୍ଟରେ କୁହାଯାଇଛି ଯେ ଜୁଲାଇ ୨୦୨୩ ରୁ ଜୁଲାଇ ୨୦୨୪ ମଧ୍ୟରେ ହାଇଦ୍ରାବାଦରେ କାର୍ଯ୍ୟରତ ୩୪୫ ଜଣ ଆଇଟି କର୍ମଚାରୀଙ୍କ ମଧ୍ୟରେ ଏହି ଅଧ୍ୟୟନ କରାଯାଇଥିଲା। ଦୀର୍ଘ ସମୟ ଧରି ବସି କାମ କାମ କଲେ କଣ ପ୍ରଭାବ ପଡେ ତାହା ବୁଝିବାକୁ ଚେଷ୍ଟା କରାଯାଇଥିଲା ଏହି ଅଧ୍ୟୟନରେ । ଏଥିରେ ଜଣାପଡିଛି ଯେ, କାମ ଚାପ ଏବଂ ଅନିୟମିତ ନିଦ୍ରା ସହିତ ଦୀର୍ଘ ସମୟ ଧରି  ଡେସ୍କରେ ବସିଲେ MAFLD  ସମସ୍ୟା ବଢାଇପାରେ ।

ଗବେଷକଙ୍କ ଅନୁଯାୟୀ, ଯକୃତରେ ପାଞ୍ଚ ପ୍ରତିଶତରୁ ଅଧିକ ଚର୍ବି ଜମା ହେବା ପରେ ଫ୍ୟାଟି ଲିଭର ହୁଏ । ଯଦି ଏହାକୁ ଧ୍ୟାନ ନ ଦିଆଯାଏ, ତେବେ ଏହା ସିରୋସିସ୍ ଏବଂ କର୍କଟ ଭଳି ଗୁରୁତର ଯକୃତ ରୋଗର କାରଣ ହୋଇପାରେ । ଯାହା ଯକୃତ ପ୍ରତିରୋପଣ ଆବଶ୍ୟକ କରେ ।

ଏସିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି (ଏଆଇଜି) ହସ୍ପିଟାଲର ଜଣେ ବରିଷ୍ଠ ହେପାଟୋଲୋଜିଷ୍ଟଙ୍କ ସହଯୋଗରେ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟ (UoH)ର ବୈଜ୍ଞାନିକ ଏବଂ ଅନୁସନ୍ଧାନକାରୀଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରେ ଏହା ସାମ୍ନାକୁ ଆସିଛି।

 

 

 

Comments are closed.