ନୂଆଦିଲ୍ଲୀ: ମଧ୍ୟ ଆଫ୍ରିକାରେ ସ୍ଥିତ କଙ୍ଗୋ ସ୍ଥିତ ଫିମି ନଦୀରେ ଡଙ୍ଗା ବୁଡ଼ି ୨୫ ମୃତ, ୧୨ ନିଖୋଜ । ଶହେରୁ ଅଧିକ ଲୋକଙ୍କୁ ନେଇ ଯାଉଥିବା ଡଙ୍ଗା ଦୁର୍ଘଟଣାଗ୍ରସ୍ତ ହୋଇଛି । ରାଜଧାନୀ କିନ୍ସାସାର ଉତ୍ତର-ପୂର୍ବ ଇନୋଙ୍ଗୋ ସହର ନିକଟରେ ଏହି ଦୁର୍ଘଟଣା ହୋଇଛି । ଅତ୍ୟଧିକ ଲୋକ ଡଙ୍ଗାରେ ଯାଉଥିବାରୁ ଏହି ଦୁର୍ଘଟଣା ହୋଇଥିବା ନେଇ ଅନୁମାନ କରାଯାଉଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ରହିଥିବା ସୂଚନା ମିଳିଛି ।
ଜାରି ହୋଇଥିବା ଏକ ବିବୃତ୍ତିରେ କୁହାଯାଇଛି ଯେ, ଫିମି ନଦୀରେ ଏକ ଡଙ୍ଗା ବୁଡ଼ିଯିବା ପରେ ପ୍ରାୟ ୨୫ଜଣ ଲୋକ ମୃତ୍ୟୁ ବରଣ କରିଛନ୍ତି । ଡଙ୍ଗାରେ ୧୦୦ ରୁ ଅଧିକ ଲୋକ ଥିଲେ । ଏଥିସହ ଏଭଳି ଘଟଣା ଘଟିଛି । ଏହାର ତଦନ୍ତ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ଇନଗୋ ନଦୀ କମିଶନର ଡେଭିଡ କାଲେମ୍ବା କହିଛନ୍ତି ଯେ, କ୍ଷମତାଠାରୁ ଅଧିକ ଲୋକ ଡଙ୍ଗାରେ ଯାତ୍ରା କରିବା ଯୋଗୁ ଏଭଳି ଘଟଣା ଘଟିଛି । ବର୍ତ୍ତମାନ ସୁଦ୍ଧା ୨୫ ଟି ମୃତଦେହ ଉଦ୍ଧାର କରାଯାଇଛି। ତେବେ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି କହିଛନ୍ତି ନଦୀ କମିଶନର । ଯେତେ ବାରଣ କରାଗଲେ ବି ଦେଶରେ ଏହା ବାରମ୍ବାର ଘଟୁଛି । କଙ୍ଗୋ ଗଣରାଜ୍ୟରେ ଅଧିକାଂଶ ଜଙ୍ଗଲ ଥିବା ବେଳେ ସଡ଼କ ସଂଯୋଗ ବ୍ୟବସ୍ଥା ଅତ୍ୟନ୍ତ ଖରାପ । ତେଣୁ ଲୋକମାନେ ଡଙ୍ଗାରେ ଯାତ୍ରା କରିଥାନ୍ତି ।
ସୂଚନାଯୋଗ୍ୟ, ଦେଶର ଉତ୍ତର-ପଶ୍ଚିମର ଅଧିକାଂଶ ଜନସଂଖ୍ୟା ଭଲ ରାସ୍ତା ଅଭାବରୁ ଏବଂ କମ୍ ମୂଲ୍ୟରେ ଯାତ୍ରା କରିବାକୁ ଡଙ୍ଗାକୁ ବ୍ୟବହାର କରନ୍ତି । ଦୁର୍ଘଟଣାକୁ ଏଡାଇବା ପାଇଁ କଙ୍ଗୋ ସରକାର ସାରା ଦେଶରେ ରାତ୍ରି ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଥିଲେ ହେଁ ଅନେକ ଲୋକ ଏହି ନିର୍ଦ୍ଦେଶକୁ ଅବମାନନା କରୁଛନ୍ତି। ଏହାପୂର୍ବରୁ ଗତ ଅକ୍ଟୋବର ମାସରେ ପୂର୍ବ କଙ୍ଗୋରେ ଏକ ଡଙ୍ଗା ବୁଡ଼ିଯିବାରୁ ପ୍ରାୟ ୭୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗତ ଜୁନ୍ ମାସରେ କିନ୍ନାସା ନିକଟରେ ଡଙ୍ଗା ଦୁର୍ଘଟଣା ଘଟି ପ୍ରାୟ ୮୦ ଜଣ ପ୍ରାଣ ହରାଇଥିଲେ।