Latest Odisha News

ଆରପାରିରେ ପଦ୍ମଶ୍ରୀ କମଳା ପୂଜାରୀ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ

କଟକ: ଆରପାରିରେ ପଦ୍ମଶ୍ରୀ କମଳା ପୂଜାରୀ । କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି କମଳା ପୂଜାରୀ । ତେବେ ବାର୍ଦ୍ଧକ୍ୟତା କାରଣରୁ ଅନେକ ଦିନ ଧରି ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ରହୁନଥିଲା । ଏହାସହିତ ତାଙ୍କର କିଡନି ଜନିତ ସମସ୍ୟା ମଧ୍ୟ ରହିଥିଲା । ତେବେ ଗତ ମଙ୍ଗଳବାର ସେ ଅସୁସ୍ଥ ହେବା ପରେ ତାଙ୍କୁ ଜୟପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହାପରେ ତାଙ୍କର ସ୍ଥିତି ଅଧିକ ବିଗିଡିବାରୁ ତାଙ୍କୁ ଗତ ୨ ଦିନ ପୂର୍ବରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠି ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।

ତେବେ ବାର୍ଦ୍ଧକ୍ୟ ଯୋଗୁଁ ସେ ବାରମ୍ବାର ଅସୁସ୍ଥ ହୋଇପଡୁଥିଲେ । ଏହିବର୍ଷ ଆରମ୍ଭରେ ଜାନୁୟାରୀ ଏବଂ ମାର୍ଚ୍ଚ ମାସରେ ମଧ୍ୟ କମଳା ଗୁରୁତର ଅସୁସ୍ଥ ହୋଇ କଟକ ଏସ୍‌ସିବି ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ । ଏହାପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ତେବେ କୋରାପୁଟ ଜିଲ୍ଲାର ନିବାସୀ ପଦ୍ମଶ୍ରୀ କମଳା ପୂଜାରୀ ଜୈବିକ ପଦ୍ଧତିରେ ପ୍ରାୟ ୧୦୦ରୁ ଅଧିକ କିସମର ଧାନ ଉତ୍ପାଦନ କରି ବେଶ୍ ଚର୍ଚ୍ଚାକୁ ଆସିଥିଲେ । ଏଥିପାଇଁ ତାଙ୍କୁ ୨୦୧୯ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି । ଆଜି ୭୦ ବର୍ଷ ବୟସରେ ତାଙ୍କର ନିଧନ ହୋଇଛି ।

ସେପଟେ ପଦ୍ମଶ୍ରୀ କମଳା ପୂଜାରୀଙ୍କ ବିୟୋଗରେ ଶୋକପ୍ରକାଶ କରିବା ସହ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଶେଷ କୃତ୍ୟ ସମ୍ପନ୍ନ କରିବା ପାଇଁ  ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହା ସହିତ ସ୍ବର୍ଗତ ପୂଜାରୀଙ୍କ ପୁଅ ଟଙ୍କଧର ପୂଜାରୀଙ୍କ ସହିତ ଟେଲିଫୋନ ଯୋଗେ କଥା ହୋଇ ଶାନ୍ତ୍ବନା ମଧ୍ୟ ଦେଇଛନ୍ତି । ଅନ୍ୟପକ୍ଷରେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପଦ୍ମଶ୍ରୀ କମଳା ପୂଜାରୀଙ୍କ ବିୟୋଗରେ ଶୋକପ୍ରକାଶ କରିବା ସହିତ ତାଙ୍କର ନିଧନ ସମାଜ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ପ୍ରକାଶ କରିଛନ୍ତି ।

Comments are closed.