Latest Odisha News

ଚିତ୍ରଶିଳ୍ପୀ ଲଲାଟ ମୋହନ ଧର୍ମପଦ ପୁରସ୍କାରରେ ସମ୍ମାନିତ

ଭୁବନେଶ୍ୱର: ଲଳିତ କଳା ଏକାଡେମୀ ପକ୍ଷରୁ ଚିତ୍ରଶିଳ୍ପୀ ଲଲାଟ ମୋହନ ପଟ୍ଟନାୟକଙ୍କୁ ବର୍ଷ ୨୦୨୧ ପାଇଁ ଧର୍ମପଦ ପୁରସ୍କାର ପ୍ରଦାନ କରାଯାଇଛି। ଚିତ୍ରକଳା ଭାସ୍କର୍ଯ୍ୟ କ୍ଷେତ୍ରରେ ଶୀର୍ଷ ସ୍ଥାନ ଅଧିକାର କରିଥିବା ଶିଳ୍ପୀ ଲଲାଟ ମୋହନଙ୍କୁ ଲକ୍ଷ ଟଙ୍କା ଅର୍ଥ ରାଶି ସହ ପୁରସ୍କାର ଦିଆଯାଇଛି। ଏହା ସହ ଚାରି ଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କରାଯାଇ ଏକ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ଦିଆଯାଇଛି ।

ସଂସ୍କୃତି ଭବନ ଠାରେ ଆୟୋଜିତ ପୁରସ୍କାର ସମାରୋହରେ ମୁଖ୍ୟ ଅତିଥି ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢୀ ଏବଂ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଯୋଗ ଦେଇଥିଲେ।

ମୁଖ୍ୟ ଅତିଥି ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଶିଳ୍ପୀ ମାନଙ୍କୁ ସମ୍ବଦ୍ଧିତ କରିବା ସହିତ ଉତ୍କଳର କଳା ଓ ସ୍ଥାପତ୍ୟର ଗାରିମା ବିଷୟରେ ବକ୍ତବ୍ୟ ରଖିଥିଲେ । ସମ୍ମାନୀତ ଅତିଥି ରୂପେ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢୀ, ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ରଞ୍ଜନ କୁମାର ଦାସ ଯୋଗଦେଇଥିଲେ ।

୧୯୪୮ ମସିହାରେ ଖୋର୍ଦ୍ଧା ଜିଲ୍ଲାର ହରିପୁର ଶାସନରେ ଜନ୍ମ ଗ୍ରହଣ କରି ଚିତ୍ରକଳା ତଥା ଡିଜାଇନରେ ଶୀର୍ଷ ସ୍ଥାପନରେ ପହଞ୍ଚି ପାରିଛନ୍ତି ଲଲାଟ ମୋହନ ପଟ୍ଟନାୟକ । ସେ ଓଡ଼ିଶାର ବୁଣାକାରମାନଙ୍କୁ ନୂତନ ପଦ୍ଧତି, ନୂଆରଙ୍ଗ ନୂଆ ନକ୍ସାର ପ୍ରୟୋଗ ମାଧ୍ୟମରେ ଆଧୁନିକ କୌଶଳ ପ୍ରଯୋଗରେ ମାର୍ଗଦର୍ଶକ ଭାବେ ଅନେକ ଖ୍ୟାତି ଅର୍ଜନ କରିଛନ୍ତି ।

ଏହି ଅବସରରେ ବରିଷ୍ଠ ଚିତ୍ରଶିଳ୍ପୀ ଜ୍ୟୋତିର୍ମୟୀ ମହାନ୍ତି, ବଳଦେବ ମହାରଥା, ଦୁର୍ଗା ଚରଣ ପଣ୍ଡା, ପଞ୍ଚାନନ ସୁର ଓ ଭାସ୍କର୍ଯ୍ୟ ଶିଳ୍ପୀ ଦେବେନ୍ଦ୍ର ମିଶ୍ରଙ୍କୁ ଶିଳ୍ପୀ ସମ୍ବର୍ଦ୍ଧନାରେ ସମ୍ବର୍ଦ୍ଧିତ କରାଯାଇଛି । ସମ୍ବର୍ଦ୍ଧିତ ଶିଳ୍ପୀ ଜ୍ୟୋତିର୍ମୟୀ ମହାନ୍ତି କଳା ଶିକ୍ଷକ ଥାଇ ଚିତ୍ରକଳାରେ ସେ ନିଜ ସାଧନା ଜାରି ରଖିବା ନାରୀ ଶିଳ୍ପୀମାନଙ୍କ ମଧ୍ୟରେ ଉଦାହରଣ ।

ବଳଦେବ ମହାରଥା ବି.କେ. ଚାରୁ ଓ କାରୁ ମହାବିଦ୍ୟାଳୟରେ ଦୀର୍ଘ ଦିନ ଶିକ୍ଷାଦାନ ଦେଇ ଅନେକ ଶିଳ୍ପୀ ସୃଷ୍ଟି କରିଥିବା ବେଳେ ସମସାମୟିକ କଳା ଧାରାର ଜଣେ ଅଗ୍ରଣୀ ଚିତ୍ରଶିଳ୍ପୀ ଭାବେ ବେଶ ନାଁ କରିଛନ୍ତି । ଶିଳ୍ପୀ ଦୁର୍ଗା ଚରଣ ପଣ୍ଡା ଚିତ୍ର କଳା ବ୍ୟତିତ ଓଡ଼ିଶାର ସ୍ଥାପତ୍ୟ, ମନ୍ଦିର ଭାସ୍କର୍ଯ୍ୟ କଳା ଉପରେ ଅନେକ ପୁସ୍ତକ ରଚନା କରିଛନ୍ତି । ତାଙ୍କ ଚିତ୍ରରେ ଲୋକକଳା, ଲୋକ ସଂସ୍କୃତିର ଝଲକ ଦେଖିବାକୁ ମିଳେ ।

ପଞ୍ଚାନନ ସୁର ଖଲିକୋଟ ସ୍ଥିତ ସରକାରୀ କଳା ମହାବିଦ୍ୟାଳୟରେ କଳା ଅଧ୍ୟାପକ ରହି ଏକ ସ୍ଵତନ୍ତ୍ର ଚିତ୍ରଶୈଳୀ ସୃଷ୍ଟି କରି ସୁଖ୍ୟାତି ଅର୍ଜନ କରିଛନ୍ତି । ସେହିପରି ପୁରୀର ଶିଳ୍ପୀଗୁରୁ ଦେବେନ୍ଦ୍ର ମିଶ୍ର ପାରମ୍ପରିକ ପ୍ରସ୍ତର ଭାସ୍କର୍ଯ୍ୟରେ ନିଜର ଦକ୍ଷତାର ପରିଚୟ ସୃଷ୍ଟି କରିବା ସହ ଜଣେ ଦକ୍ଷ ପାରମ୍ପରିକ କଳାର ଗୁରୁ ଭାବେ ବେଶ ପରିଚିତ । ନିଜ ନିଜ କ୍ଷେତ୍ରରେ ଦକ୍ଷତାର ଶୀର୍ଷରେ ପହଞ୍ଚିବା ସହ ଓଡ଼ିଶାର କଳା କ୍ଷେତ୍ରକୁ ଏହି ଶିଳ୍ପୀମାନେ ଋଦ୍ଧିମନ୍ତ କରିଛନ୍ତି ।

Leave A Reply

Your email address will not be published.