ଦୁବାଇ: ୧୯ ବର୍ଷରୁ କମ ଏସିଆ କପ କ୍ରିକେଟ ଫାଇନାଲରେ ପାକିସ୍ତାନ ୧୯୧ ରନରେ ଶୋଚନୀୟ ଭାବେ ଭାରତକୁ ପରାସ୍ତ କରି ଚାମ୍ପିୟନ ହୋଇଛି । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୫୦ ଓଭରରେ ୮ ୱିକେଟ ବିନିମୟରେ ୩୪୭ ରନ କରିଥିଲା । ସମୀର ମିନହାସ ୧୧୩ ବଲରେ ୧୭୨ ରନର ଇନିଂସ ଖେଳିଥିଲେ । ଭାରତ ପକ୍ଷରୁ ଦୀପେଶ ଦେବେନ୍ଦ୍ରନ ୩ଟି ଏବଂ ଖିଲନ ପଟେଲ ଓ ହେନିଲ ପଟେଲ ୨ଟି ଲେଖାଏଁ ୱିକେଟ ନେଇଥିଲେ । ୩୪୮ ରନର ଲକ୍ଷ୍ୟକୁ ପିଛା କରି ଭାରତ ନାଟକୀୟ ଭାବେ ୨୬.୧ ଓଭରରେ ୧୫୯ ରନ କରି ଅଲଆଉଟ ହୋଇ ଯାଇଥିଲା । ଦୀପେଶ ସର୍ବାଧିକ ୩୬ ରନ କରିଥିଲେ ।
ପାକିସ୍ତାନ ତରଫରୁ ଅଲୀ ରାଜା ସର୍ବାଧିକ ୪ଟି ୱିକେଟ ନେଇଥିଲେ । ମହମ୍ମଦ ସୈୟାମ, ହୁଜୈଫ ଅହସାନ ଓ ଅବଦୁଲ ସୁଭାନା ୨ଟି ଲେଖାଏଁ ୱିକେଟ ନେଇଥିଲେ । ୧୯ ବର୍ଷରୁ କମ ଏସିଆ କପ ଫାଇନାଲରେ ରନ ବ୍ୟବଧାନରେ ଦ୍ୱିତୀୟ ବଡ ପରାଜୟ । ୨୦୨୩ ଫାଇନାଲରେ ବାଂଲାଦେଶ ୧୯୫ ରନରେ ୟୁଏଇକୁ ହରାଇଥିଲା । ପାକିସ୍ତାନର ସମୀର ଉଭୟ ପ୍ଲେୟାର ଅଫ ଦି ମ୍ୟାଚ ଓ ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଂଟ ବିବେଚିତ ହୋଇଥିଲେ ।