ବେଲୁଚିସ୍ତାନ: ପାକିସ୍ତାନ ବେଲୁଚିସ୍ତାନର ରାଜଧାନୀ କ୍ୱେଟାରେ ଥିବା ପାକିସ୍ତାନୀ ଅର୍ଦ୍ଧସାମରିକ ବାହିନୀ ଫ୍ରଣ୍ଟିୟର୍ କର୍ପସର ମୁଖ୍ୟାଳୟ ନିକଟରେ ଦିନ ୧୨.୦୩ ସମୟରେ ଏକ ଭୟଙ୍କର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ତିନି ଜଣ ଅର୍ଦ୍ଧସାମରିକ ବାହିନୀ କର୍ମଚାରୀଙ୍କ ସମେତ ଦଶ ଜଣ ପ୍ରାଣ ହରାଇଛନ୍ତି ଓ ୩୩ ଜଣ ଆହତ ହୋଇଥିବା ନେଇ ସୂଚନା ମିଳିଛି।
ବିସ୍ଫୋରଣ ପରେ ପୋଲିସ ଏବଂ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସୁରକ୍ଷା ବାହିନୀ ଅଞ୍ଚଳକୁ ଘେରାବନ୍ଦୀ କରିଦେଇଥିଲେ। ତେବେ ଏହି ଆକ୍ରମଣକୁ ନେଇ ପାକିସ୍ତାନ ସରକାର ଏପର୍ଯ୍ୟନ୍ତ କୌଣସି ବିବୃତି ଜାରି କରିନାହାନ୍ତି। ଏପରିକି କୌଣସି ବେଲୁଚି ବିଦ୍ରୋହୀ ଗୋଷ୍ଠୀ ମଧ୍ୟ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହାଁନ୍ତି। ତେବେ ବର୍ତ୍ତମାନ୍ ସମୟରେ ସେଠାରେ ବେଲୁଚିସ୍ତାନ ବିଦ୍ରୋହୀ ଗୋଷ୍ଠୀଙ୍କ ବ୍ୟତୀତ ବେଲୁଚିସ୍ତାନରେ ଇସଲାମିକ୍ ଷ୍ଟେଟ୍ ଖୋରାସନର ପ୍ରଭାବ ମଧ୍ୟ ବୃଦ୍ଧି ପାଇଛି।
ଜରଘୁନ୍ ରୋଡ୍ ନିକଟରେ ଘଟିଥିବା ଏହି ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଆଖପାଖ କୋଠାଗୁଡ଼ିକର ଝରକା, କବାଟ ଏବଂ ମୁଖ୍ୟ ଦ୍ଵାର ଭାଙ୍ଗି ଯାଇଥିଲା।
ଏହି ଦୁର୍ଘଟଣା ପରେ ବେଲୁଚିସ୍ତାନ ସ୍ୱାସ୍ଥ୍ୟମନ୍ତ୍ରୀ ବଖ୍ତ ମହମ୍ମଦ କାକର ସହରର ସମସ୍ତ ହସ୍ପିଟାଲରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବା ସହ ବିଶେଷଜ୍ଞ, ଡାକ୍ତର, ଫାର୍ମାସିଷ୍ଟ, ନର୍ସ ଏବଂ ପାରାମେଡିକାଲ୍ କର୍ମଚାରୀଙ୍କୁ ତୁରନ୍ତ ଡ୍ୟୁଟିରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିସ୍ଫୋରଣର କାରଣ ଜାଣିବା ପାଇଁ ପ୍ରଶାସନ ତଦନ୍ତ ଆରମ୍ଭ କରିଛି। ତେବେ ଏହି ଘଟଣାର ସିସିଟିଭି ଫୁଟେଜ୍ ମଧ୍ୟ ସାମ୍ନାକୁ ଆସିଛି। ସମଗ୍ର ଅଞ୍ଚଳ ଧୂଆଁ ରେ ଭାରି ଯାଇଥିବା ଏକ ଫୁଟେଜ ରେ ଦେଖିବାକୁ ମିଳିଥିଲା।
କିଛି ଦିନ ପୂର୍ବରୁ ପାକିସ୍ତାନୀ ଫିଲ୍ଡ ମାର୍ଶାଲ୍ ଅସୀମ ମୁନିର ଏବଂ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଆମେରିକାର ରାଷ୍ଟ୍ରପତିଙ୍କୁ ବେଲୁଚିସ୍ତାନରେ ମିଳୁଥିବା ଖଣିଜ ପଦାର୍ଥର ନମୁନା ଦେଖାଇଥିଲେ ଓ ଆଶା କରାଯାଉଥିଲା ଯେ ଆମେରିକା ଏବଂ ପାକିସ୍ତାନ ମିଳିତ ଭାବରେ ବେଲୁଚିସ୍ତାନରୁ ଖଣିଜ ପଦାର୍ଥ ବାହାର କରିବେ। କିନ୍ତୁ ଆଜିର ଆକ୍ରମଣ ପରେ ବେଲୁଚିସ୍ତାନରେ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
Comments are closed.