ନୂଆଦିଲ୍ଲୀ: ତିସ୍ତା ନଦୀ ବିବାଦ, ସିଲିଗୁଡି କରିଡର ହେଉ କି ଚୀନ୍, ପାକିସ୍ତାନ ସହ ବନ୍ଧୁତା । ଭାରତ ପାଇଁ ଚିନ୍ତାର କାରଣ ହେଲାଣି ପଡୋଶୀ ବାଂଲାଦେଶ । ଗତ ବର୍ଷେ ଭିତରେ ବାଂଲାଦେଶ ଭାରତ ପାଇଁ ଏତେ ଅଡୁଆ ସୃଷ୍ଟି କରିଛି ଯାହା ୧୦ବର୍ଷ ଭିତରେ କେବେ ହୋଇନଥିଲା । ଭାରତର ଶତ୍ରୁଙ୍କ ସହ ମିତ୍ରତା କରୁଛନ୍ତି ବାଂଲାଦେଶ ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସ । ଭାରତର ସ୍ବାର୍ଥକୁ କ୍ଷତି କରିବା ଭଳି ପଦକ୍ଷେପ ନେଉଛନ୍ତି । ୟୁନୁସଙ୍କ ନେତୃତ୍ବରେ ଭାରତ ଓ ବାଂଲାଦେଶ ସଂପର୍କ ଖରାପ ହେବାରେ ଲାଗିଛି । ପ୍ରଶ୍ନ ଉଠୁଛି, ଏଭଳି ସ୍ଥିତିରେ ଭାରତ ପାଖରେ କ’ଣ ରହିଛି ବିକଳ୍ପ?
ଚୀନ୍-ପାକିସ୍ତାନ ସହ ବନ୍ଧୁତା
କିଛି ଦିନ ତଳେ ଭାରତକୁ କାଉଣ୍ଟର କରିବାକୁ ଚୀନ୍, ପାକିସ୍ତାନ ଓ ବାଂଲାଦେଶ ଏକାଠି ହୋଇଥିଲେ । ଦକ୍ଷିଣ ଏସିଆ ସଂଗଠନ ସାର୍କର ଗୁରୁତ୍ବ ହ୍ରାସ କରିବା ସହ ଆଞ୍ଚଳିକ ସଂଗଠନ ଗଠନ କରିବା ଦିଗରେ ଭାରତର ଏହି ତିନି ପଡୋଶୀ ଦେଶ କାମ କରୁଛନ୍ତି। ଚୀନର ୟୁନ୍ନାନ ପ୍ରାନ୍ତର କୁନମିଙ୍ଗରେ ତିନି ଦେଶର ବୈଠକ ବସିଥିଲା । ବୈଠକର ଉଦ୍ଦେଶ୍ୟ ଥିଲା ମିଳିତ କାର୍ଯ୍ୟ ସମୂହ ବା ଜେଡବ୍ଲୁଜି ଗଠନ କରିବା । ଯାହା ଭାରତକୁ ବାଏପାସ କରି ତିନି ଦେଶ ମଧ୍ୟରେ ଆଞ୍ଚଳିକ ସହଯୋଗକୁ ବୃଦ୍ଧି କରିବ । ଯଦିଓ ବାଂଲାଦେଶ ଏଥିରେ ବିଚାର ବିମର୍ଶ ପରେ ସାମିଲ ହେବା ନେଇ ନିଷ୍ପତ୍ତି ନେବ ବୋଲି କହିଛି, ତେବେ ଭାରତକୁ ଚେକ୍ ଦେବାକୁ ହେଉଥିବା ଏହି ମେଳିରେ ଯୋଗ ଦେବା ଚିନ୍ତା ବଢାଇଛି ।
ବାଂଲାଦେଶରେ ବଢୁଛି ଚୀନ୍ ନିବେଶ
ବାଂଲାଦେଶରେ ଗତ ଏକ ଦଶକ ଧରି ଚୀନର ନିବେଶ ବଢିଛି । ପ୍ରଥମେ ଶେଖ ହସିନାଙ୍କ କାର୍ଯ୍ୟକାଳ ବେଳେ ନିବେଶ କରିଥିଲା ଚୀନ୍ । ମହମ୍ମଦ ୟୁନୁସଙ୍କ ସମୟରେ ନିବେଶ ବଢିଛି । ଗତ କିଛି ବର୍ଷ ହେଲା ଯେଉଁଭଳି ଭାବେ ଦକ୍ଷିଣ ଏସୀୟ ଦେଶଗୁଡିକରେ ଦବଦବା କାଏମ୍ କରିଛି ଚୀନ୍, ବାଂଲାଦେଶକୁ ନେଇ ଭାରତର ଚିନ୍ତା ବଢିପାରେ । ବାଂଲାଦେଶରେ ଉଭୟ ସାମରିକ ଓ ବେସାମରିକ ଭିତ୍ତିଭୂମିରେ ନିବେଶ କରିଛି ଚୀନ୍ । ଏହା ମଧ୍ୟରେ ସାମରିକ ବନ୍ଦର ବି ସାମିଲ ଅଛି । ତେଣୁ ବାଂଲାଦେଶରେ ଚୀନର ଉପସ୍ଥିତିକୁ ନେଇ ଭାରତକୁ ସତର୍କ ରହିବାକୁ ପଡିବ ।
ତିସ୍ତା ନଦୀ ଜଳ ବିବାଦ
ସିକ୍କିମରୁ ବାହାରିଥିବା ତିସ୍ତା ନଦୀ ବାଂଲାଦେଶର ରଙ୍ଗପୁର ଡିଭିଜନରେ ପ୍ରବେଶ କରେ । କୃଷି ତଥା ଜଳସେଚନ ପାଇଁ ତିସ୍ତା ନଦୀ ପାଣି ଆବଶ୍ୟକ କରେ ବାଂଲାଦେଶ । ଦେଶର ୧କୋଟି ଲୋକ ନଦୀ ପାଣି ଉପରେ ନିର୍ଭରଶୀଳ । ଭାରତ ତିସ୍ତା ନଦୀ ଉପରେ ନଦୀବନ୍ଧ ନିର୍ମାଣ କରିଥିବାରୁ ଦେଶକୁ ଆବଶ୍ୟକ ପାଣି ମିଳୁନଥିବା ଅଭିଯୋଗ କରୁଛି ବାଂଲାଦେଶ । ବିଶେଷ କରି ଖରାଦିନେ ଜଳପ୍ରବାହ କମିଯାଏ । ତେଣୁ ତିସ୍ତା ନଦୀ ପରିଚାଳନା ଓ ସଂରକ୍ଷଣ ପ୍ରକଳ୍ପ ଆରମ୍ଭ କରିବାକୁ ଯାଉଛି ବାଂଲାଦେଶ । ଏଥିରେ ସାମିଲ ହେବାକୁ ଚୀନ୍ କମ୍ପାନୀଙ୍କୁ ଆମନ୍ତ୍ରଣ କରିଛନ୍ତି ମହମ୍ମଦ ୟୁନୁସ ।
ଚିକେନ ନେକକୁ ନେଇ ଘେରୁଛି ବାଂଲାଦେଶ
ମହମ୍ମଦ ୟୁନୁସ ସରକାରର ବହୁ ବରିଷ୍ଠ ନେତା ଓ ଅଧିକାରୀ ସିଲିଗୁଡି କରିଡର ବା ଚିକେନ ନେକକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି । ଗତବର୍ଷ ମହମ୍ମଦ ୟୁନୁସଙ୍କ ମଞ୍ଜୁରୀ ପରେ ପାକିସ୍ତାନୀ ସେନା ଓ ଆଇଏସଆଇର ଶୀର୍ଷ ଅଧିକାରୀ ଚିକେନ ନେକ ନିକଟରେ ଥିବା ବାଂଲାଦେଶୀ ସେନା ଅଡ୍ଡା ବି ବୁଲି ଦେଖିଥିଲେ । ଏହାସହ ସିଲିଗୁଡି କରିଡର ନିକଟରେ ଥିବା ନିଷ୍କ୍ରିୟ ଏୟାରବେସକୁ ପୁଣି ସକ୍ରିୟ କରିବାକୁ ଚୀନ୍ ସହ ଆଲୋଚନା କରୁଛି ବାଂଲାଦେଶ । ପୂର୍ବୋତ୍ତର ରାଜ୍ୟ ସହ ଦେଶର ବାକି ଅଂଶକୁ ଯୋଡୁଥିବା ୨୨କିଲୋଟିର ଅଞ୍ଚଳରେ ଥିବା ସିଲିଗୁଡି କରିଡର ଭୌଗଳିକ ଓ ରଣନୈତିକ ଦୃଷ୍ଟିରୁ ଭାରତର ସବୁଠୁ ସମ୍ବେଦନଶୀଳ ଅଞ୍ଚଳ ।
ବାଂଲାଦେଶକୁ ତିନିଆଡୁ ଘେରିରହିଛି ଭାରତ । ବାକି ଭୂଭାଗର ସୀମାରେ ଗୃହଯୁଦ୍ଧ ସହ ଯୁଝୁଥିବା ମିଆଁମାର ରହିଥିବା ବେଳେ ଦକ୍ଷିଣ ପଟେ ବିଶାଳ ସମୁଦ୍ର ରହିଛି । ତେଣୁ ନଚାହିଁଲେ ବି ବାଂଲାଦେଶ ଭାରତ ଉପରେ ନିର୍ଭରଶୀଳ ରହିବ । ତେଣୁ ବାଂଲାଦେଶର ଅନ୍ତରୀଣ ସରକାର ଉପରେ ଆର୍ଥିକ ଓ କୁଟନୈତିକ ଚାପ ବଢାଇବା ସହ ବର୍ତ୍ତମାନ ସ୍ଥିତିରେ ଓ୍ବେଟ୍ ଆଣ୍ଡ ଓ୍ବାଚ୍ ମୋଡରେ ରହିପାରେ ଭାରତ ।
Comments are closed.