Latest Odisha News

BREAKING NEWS

ହାତ ଟେକିଦେଲେ ପାକ ସରକାର: କହିଲେ, ଦେଶର ବିକାଶ ଏବେ ଆଲ୍ଲାଙ୍କ ହାତରେ

ଇସଲାମବାଦ: ସାଂଘାତିକ ଆର୍ଥିକ ସ୍ଥିତି ଦେଇ ଗତି କରୁଛି ପାକିସ୍ତାନ । ଦରଦାମ ବୃଦ୍ଧିରେ ଲୋକେ ଛଟପଟ ହୋଇ ଗଲେଣି । ଦେଶର ଏପରି ସ୍ଥିତିକୁ ଦେଖି ପାକିସ୍ତାନୀ ରାଜନେତାମାନେ ଏକ ପ୍ରକାର ହାତ ଟେକି ଦେଲେଣି । ସ୍ଥିତି ସଜାଡିବା ସେମାନଙ୍କ ହାତରେ ନାହିଁ ବୋଲି ବୁଝି ପାରିଲେଣି । ଏବେ ଦେଶକୁ ଏକମାତ୍ର ଆଲ୍ଲା ହିଁ ଚାହିଁଲେ ସଜାଡି ପାରିବେ ବୋଲି କହିଛନ୍ତି ପାକିସ୍ତାନ ଅର୍ଥମନ୍ତ୍ରୀ ଇସହାକ ଡାର  ।

ଦେଶର ଆର୍ଥିକ ସଙ୍କଟକୁ ଦେଖି ଅର୍ଥ ମନ୍ତ୍ରୀଙ୍କ ସ୍ୱରରେ ହତାଶର ଭାଷା । ଯେମିତି ସରକାରଙ୍କ ଉପରୁ ଭରସା ତୁଟି ଯାଇଛି । ଏବେ କେବଳ ଆଲ୍ଲା  ହିଁ ଭରସା ।  ଅର୍ଥମନ୍ତ୍ରୀ ଇସହାକ ଡାର ଶୁକ୍ରବାର କହିଛନ୍ତି, ଇସଲାମ ନାଁରେ ଗଢି ଉଠିଥିବା ଏକମାତ୍ର ଦେଶର ସମୃଦ୍ଧି ଏବଂ ବିକାଶ ପାଇଁ ଆଲ୍ଲା ହିଁ ଦାୟୀ । ଡାର ଏଠାରେ ଏକ ଗ୍ରୀନ ଲାଇନ ଟ୍ରେନ ସେବା ଉଦଘାଟନ ସମାରୋହରେ ଏପରି କହିଛନ୍ତି ।  ସେ କହିଛନ୍ତି, ମୋର ବିଶ୍ୱାସର କାରଣ ହେଉଛି, ପାକିସ୍ତାନ ଇସଲାମ ନାଁରେ ଗଠନ କରାଯାଇଛି । ଆଲ୍ଲା ଯଦି ଦେଶ ଗଢି ପାରିବେ ତେବେ ଏହାର ବିକାଶ ସହ ଦେଶକୁ ବିତ୍ତଶାଳୀ ବି କରିପାରିବେ ।

ସେ କହିଛନ୍ତି, ଶେହବାଜ ସରିଫଙ୍କ ନେତୃତ୍ୱାଧୀନ ସରକାର ଦେଶର ଆର୍ଥିକ ସ୍ଥିତି ସୁଧାରିବା ପାଇଁ ପୁରା ଚେଷ୍ଟା କରୁଛନ୍ତି । ନିର୍ବାଚନ ପୂର୍ବରୁ ଆମର ଟିମ ଦେଶର ଆର୍ଥିକ ସ୍ଥିତି ସୁଧାରିବାକୁ ପୂରା ଚେଷ୍ଟା କରୁଛି । ପାକିସ୍ତାନର ବର୍ତ୍ତମାନ ସ୍ଥିତି ପାଇଁ ପାଞ୍ଚ ବର୍ଷ ତଳେ ହୋଇଥିବା ନାଟକକୁ ଦାୟୀ କରି ମନ୍ତ୍ରୀ କହିଛନ୍ତି, ସେଦିନ ନାଟକର ଫଳ ଏବେ ଲୋକଙ୍କୁ ଭୋଗିବାକୁ ପଡୁଛି । ସେ କହଛନ୍ତି, ଏହି ନାଟକ ପୂର୍ବରୁ ଅର୍ଥାତ ୨୦୧୩-୧୭ରେ ନବାଜ ସରିଫଙ୍କ ସମୟରେ ପାକିସ୍ତାନର ଆର୍ଥିକ ସ୍ଥିତି ଭଲ ଥିଲା । ନବାଜଙ୍କ ସମୟରେ ଦେଶ ବିକାଶୋନ୍ମୁଖୀ ଥିଲା । ହେଲେ ତାହାକୁ ଟ୍ରାକରୁ ହଟାଇ ଦିଆଗଲା । ଏବେ ଦେଶ କେମିତି ବରବାଦିକୁ ସାମ୍ନା କରୁଛି ତାହା ଜନତା ଦେଖୁଛନ୍ତି ବୋଲି ଡାର କହିଛନ୍ତି ।

ଏଠି କହିରଖିବୁ, ପାକିସ୍ଥାନରେ ବିଦେଶୀ ମୁଦ୍ରାର ଅଭାବ ଯୋଗୁ ଅତ୍ୟାବଶ୍ୟକ ଜିନିଷ କିଣିବା ପାଇଁ ସମ୍ବଳର ଅଭାବ ଦେଖା ଦେଇଛି । ସ୍ଥିତି ସୁଧାରିବା ପାଇଁ ଅନ୍ତର୍ଜାତୀୟ ମୁଦ୍ରାଭଣ୍ଡାର ସମେତ ଅନ୍ୟ ସଂସ୍ଥାଠାରୁ ଆର୍ଥିକ ସହାୟତା ପାଇଁ ପାକିସ୍ତାନ ନିବେଦନ କରୁଛି । ଏପରି ସ୍ଥିତିକୁ ଦେଖି କିଛି ଦିନ ତଳେ   ଦୁବାଇର ଏକ ନ୍ୟୁଜ ଚାନେଲକୁ ସାକ୍ଷାତ ଦେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ କହିଥିଲେ, ଦେଶ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ପାକିସ୍ତାନ ଭାରତ ସହ ଶାନ୍ତି ଆଲୋଚନା ପାଇଁ ଆଗ୍ରହ ପ୍ରକାଶ କରିଛି । ସେ ଆହୁରି କହିଥିଲେ, ତିନିଟି ଯୁଦ୍ଧ ଲଢି ଆମେ କେବଳ ଦୁଃଖ, ଦାରିଦ୍ର‌୍ୟ ଏବଂ ବେକାରୀ ପାଇଛୁ । ଆମେ ଯୁଦ୍ଧରୁ ଉଚିତ ଶିକ୍ଷା ପାଇସାରିଛୁ । ତେଣୁ ଏବେ ଭାରତ ସହ ଶାନ୍ତିର ସହ ରହିବାକୁ ଚାହୁଛୁ । ଅବଶ୍ୟ ୨୪ ଘଣ୍ଟା ପରେ ନିଜ ସ୍ୱର ବଦଳାଇ ଥିଲେ ।

Leave A Reply

Your email address will not be published.