ନୂଆଦିଲ୍ଲୀ: ଗତକାଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସିନ୍ଧକୁ ନେଇ ଏକ ବଡ଼ ମନ୍ତବ୍ୟ ଦେଇଥିଲେ। ଯାହା ପାକିସ୍ତାନକୁ ବଡ଼ ଝଟକା ଦେଇଛି। ଗତକାଲି ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରାଜନାଥ ସିଂହ କହିଥିଲେ,ସିନ୍ଧ ଅଞ୍ଚଳ ଆଜି ଭାରତର ଅଂଶ ନଥିଲେ ମଧ୍ୟ ଏହା ଭାରତର ହୋଇପାରିବ। ଆଗାମୀ ଦିନରେ ସୀମା ବଦଳିପାରେ ଏବଂ ଏହି ଅଞ୍ଚଳ ପୁନର୍ବାର ଭାରତର ଏକ ଅଂଶ ହୋଇଯିବ। ଭୂମି ଦୃଷ୍ଟିରୁ ସୀମା ପରିବର୍ତ୍ତନ ହୋଇପାରେ। କିଏ ଜାଣେ, ଆସନ୍ତାକାଲି ସିନ୍ଧ ପୁଣି ଥରେ ଭାରତରେ ସାମିଲ ହୋଇପାରେ। ଏହି ରାଜନାଥ ସିଂହଙ୍କ ଏହି ବୟାନ ଏବେ ପାକିସ୍ତାନକୁ କ୍ରୋଧିତ କରିଛି। ଆଉ ଏନେଇ ଏବେ ପାକିସ୍ତାନ ପ୍ରତିକ୍ରିୟା ଦେଇଛି।
ରାଜନାଥ ସିଂହଙ୍କ ଏପରି ମନ୍ତବ୍ୟକୁ ନେଇ ନେଇ ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତି ଦେଇଛି। ବିବୃତ୍ତିରେ କୁହାଯାଇଛି ଯେ ପାକିସ୍ତାନ ଭାରତର ପ୍ରତିରକ୍ଷା ମନ୍ତ୍ରୀଙ୍କ ପାକିସ୍ତାନର ସିନ୍ଧ ପ୍ରଦେଶ ସମ୍ପର୍କରେ ବିଭ୍ରାନ୍ତିକର ଏବଂ ବିପଜ୍ଜନକ ମନ୍ତବ୍ୟକୁ ଦୃଢ଼ ନିନ୍ଦା କରୁଛି। ତୁରନ୍ତ ଏହି ବୟାନକୁ ପରିବର୍ତ୍ତନ କରାଯାଉ।
ପାକିସ୍ତାନ ବିବୃତ୍ତି ଜାରି
ପାକିସ୍ତାନର ସିନ୍ଧ ପ୍ରଦେଶ ସମ୍ପର୍କରେ ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀଙ୍କ ବିବୃତ୍ତିକୁ ପାକିସ୍ତାନ କଡ଼ା ସମାଲୋଚନା କରିଛି। ପାକିସ୍ତାନ କହିଛି ଯେ ଏହି ବୟାନ ଏକ ତ୍ରୁଟିପୂର୍ଣ୍ଣ ମାନସିକତା ଉପରେ ଆଧାରିତ। ଏପରି ବୟାନ ଏକ ବିସ୍ତାରବାଦୀ ହିନ୍ଦୁତ୍ୱ ମାନସିକତାକୁ ପ୍ରତିଫଳିତ କରେ ଯାହା ପ୍ରତିଷ୍ଠିତ ବାସ୍ତବତାକୁ ଚ୍ୟାଲେଞ୍ଜ କରିବାକୁ ଚେଷ୍ଟା କରେ। ଏହା ଅନ୍ତର୍ଜାତୀୟ ଆଇନ, ପରିଭାଷିତ ସୀମା ଏବଂ ରାଷ୍ଟ୍ରଗୁଡ଼ିକର ସାର୍ବଭୌମତ୍ୱ ବିରୁଦ୍ଧରେ। ପାକିସ୍ତାନ ରାଜନାଥ ସିଂହ ଏବଂ ଅନ୍ୟ ଭାରତୀୟ ନେତାମାନଙ୍କୁ ଏପରି ବୟାନବାଜିରୁ ନିବୃତ୍ତ ରହିବାକୁ ଅନୁରୋଧ କରିଛି, କାରଣ ଏହା ଅଞ୍ଚଳରେ ଉତ୍ତେଜନା ବୃଦ୍ଧି କରିପାରେ। ପାକିସ୍ତାନ କହିଛି ଯେ ଭାରତ ନିଜ ନାଗରିକଙ୍କ ସୁରକ୍ଷା ଉପରେ ଧ୍ୟାନ ଦେବା ଉଚିତ, ବିଶେଷକରି ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କ ସୁରକ୍ଷା ଉପରେ ଧ୍ୟାନ ଦେବା ଉଚିତ।
ପାକିସ୍ତାନ ଆହୁରି କହିଛି ଯେ ଭାରତ ଏହି ସମ୍ପ୍ରଦାୟ ବିରୁଦ୍ଧରେ ହିଂସା କରୁଥିବା କିମ୍ବା ହିଂସାକୁ ଉସୁକାଉଥିବା ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ଉଚିତ। ଭାରତ ଏହାର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ରହୁଥିବା ଲୋକଙ୍କ ସମସ୍ୟାର ସମାଧାନ କରିବା ଉଚିତ, କାରଣ ସେମାନେ ପ୍ରାୟତଃ ଅବହେଳା ଏବଂ ହିଂସାର ସମ୍ମୁଖୀନ ହୁଅନ୍ତି।
ଏହି ସମୟରେ, ପାକିସ୍ତାନ ପୁଣି ଥରେ ଜମ୍ମୁ ଏବଂ କାଶ୍ମୀର ପ୍ରସଙ୍ଗ ଉଠାଇଛି। ପାକିସ୍ତାନ ଭାରତକୁ ଜାତିସଂଘ ସୁରକ୍ଷା ପରିଷଦ ପ୍ରସ୍ତାବ ଏବଂ ସେଠାକାର ଲୋକଙ୍କ ଇଚ୍ଛା ଅନୁଯାୟୀ ଜମ୍ମୁ ଏବଂ କାଶ୍ମୀର ବିବାଦର ସମାଧାନ କରିବାକୁ ଅନୁରୋଧ କରିଛି। ପାକିସ୍ତାନ କହିଛି ଯେ ସେ ଭାରତ ସହିତ ସମସ୍ତ ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ କରିବାକୁ ଚାହୁଁଛି, କିନ୍ତୁ ଆବଶ୍ୟକ ହେଲେ ଏହାର ସୁରକ୍ଷା ଏବଂ ସାର୍ବଭୌମତ୍ୱକୁ ରକ୍ଷା କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ।
ରାଜନାଥ ସିଂହ ସିନ୍ଧ ବିଷୟରେ କ’ଣ କହିଥିଲେ?
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗତକାଲି ଏକ କାର୍ଯ୍ୟକ୍ରମରେ କହିଥିଲେ, ସିନ୍ଧୁ ନଦୀ ନିକଟରେ ଅବସ୍ଥିତ ସିନ୍ଧ ପ୍ରଦେଶ ୧୯୪୭ ମସିହାରେ ବିଭାଜନ ପରେ ପାକିସ୍ତାନ ନିକଟକୁ ଯାଇଥିଲା। ସିନ୍ଧି ହିନ୍ଦୁମାନେ, ବିଶେଷକରି ଲାଲକୃଷ୍ଣ ଆଡଭାନୀଙ୍କ ପିଢିର ହିନ୍ଦୁମାନେ ଆଜି ପର୍ଯ୍ୟନ୍ତ ସିନ୍ଧକୁ ଭାରତରୁ ଅଲଗା କରିବାକୁ ଗ୍ରହଣ କରିନାହାନ୍ତି। ଆଡଭାନୀଜୀ ମଧ୍ୟ ତାଙ୍କ ପୁସ୍ତକରେ ଏହା ଉଲ୍ଲେଖ କରିଛନ୍ତି। କେବଳ ସିନ୍ଧ ନୁହେଁ ସମଗ୍ର ଭାରତରେ ହିନ୍ଦୁମାନେ ସିନ୍ଧୁ ନଦୀକୁ ପବିତ୍ର ବୋଲି ବିବେଚନା କରନ୍ତି। ସିନ୍ଧର ଅନେକ ମୁସଲମାନ ମଧ୍ୟ ଏହି ବିଶ୍ବାସକୁ ସମ୍ମାନ ଦିଅନ୍ତି। ସଭ୍ୟତା ଦୃଷ୍ଟିରୁ ସିନ୍ଧ ସର୍ବଦା ଭାରତର ଏକ ଅଂଶ ହୋଇ ରହିବ।
କିଏ ଜାଣେ, ଆସନ୍ତାକାଲି ସିନ୍ଧ ପୁଣି ଥରେ ଭାରତରେ ସାମିଲ ହୋଇପାରେ। ସିନ୍ଧୁ ନଦୀକୁ ପବିତ୍ର ବୋଲି ବିବେଚନା କରୁଥିବା ଆମ ସିନ୍ଧର ଲୋକମାନେ ସର୍ବଦା ଆମର ନିଜର ରହିବେ ବୋଲି ରାଜନାଥ କହିଛନ୍ତି। ପୂର୍ବରୁ ସେପ୍ଟେମ୍ବର ୨୨ ତାରିଖରେ ମରକ୍କୋରେ ଭାରତୀୟ ସମ୍ପ୍ରଦାୟ ସହ ଆଲୋଚନା ସମୟରେ ସିଂହ କହିଥିଲେ, ସେ ନିଶ୍ଚିତ ଯେ କୌଣସି ଆକ୍ରମଣାତ୍ମକ ପଦକ୍ଷେପ ନନେଇ ଭାରତ ପିଓକେକୁ ଫେରାଇ ଆଣିପାରିବ କାରଣ ପିଓକେର ଲୋକମାନେ ଦଖଲକାରୀଙ୍କଠାରୁ ମୁକ୍ତି ଦାବି କରିଆସୁଛନ୍ତି। ରାଜନାଥ କହିଥିଲେ ଯେ ପିଓକେ ସ୍ବାଭାବିକ ପ୍ରକ୍ରିୟାରେ ପୁଣି ଭାରତ ନିୟନ୍ତ୍ରଣକୁ ଆସିବ।
Comments are closed.