Latest Odisha News

ବିଶ୍ବର ୧୨ କୁଖ୍ୟାତ ଆତଙ୍କବାଦୀ ସଙ୍ଗଠନର ଭୂସ୍ବର୍ଗ ପାଲଟିଛି ପାକିସ୍ତାନ

ନୂଆଦିଲ୍ଲୀ : ବିଶ୍ବର ୧୨ଟି କୁଖ୍ୟାତ ଆତଙ୍କବାଦୀ ସଙ୍ଗଠନର ଭୂସ୍ବର୍ଗ ପାଲଟିଛି ପାକିସ୍ତାନ । ଏହାମଧ୍ୟରୁ ୫ଟି ତୀବ୍ର ଭାରତ ବିରୋଧୀ ସଙ୍ଗଠନ ଅନ୍ତର୍ଭୁକ୍ତ । ଆତଙ୍କବାଦ ସଂକ୍ରାନ୍ତ ଆମେରିକା କଂଗ୍ରେସ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହା ଦର୍ଶାଯାଇଛି । ଭାରତ ବିରୋଧୀ ସଙ୍ଗଠନ ମଧ୍ୟରେ ରହିଛନ୍ତି ଲସ୍କର-ଏ- ତଏବା ଓ ଜୈସ-ଏ-ମହମ୍ମଦ । ପ୍ରାୟ ତିନି ଦଶନ୍ଧି ଧରି ଏହି ପ୍ରକ୍ରିୟା ଜାରି ରହିଛି । ଏହି ସମସ୍ତ ଆତଙ୍କବାଦୀ ସଙ୍ଗଠନ ଗୁଡିକୁ ୫ ଭାଗରେ ବିଭକ୍ତ କରାଯାଇଛି ।

୧୯୮୦ରେ ଗଠିତ ଲସ୍କର ସଙ୍ଗଠନକୁ ଏକ ବିଶ୍ବସ୍ତରୀୟ ଆତଙ୍କବାଦୀ ସଙ୍ଗଠନ ବୋଲି ୨୦୦୧ରେ ଘୋଷଣା କରାଯାଇଥିଲା । ୨୦୦୮ ମୁମ୍ବାଇ ଆକ୍ରମଣ ଘଟଣାରେ ନିଜକୁ ଦାୟୀ କରିଥିଲା ଲସ୍କର । ୨୦୦୦ ମସିହାରେ ପ୍ରତିଷ୍ଠା ହୋଇଥିଲା ଜୈସ-ଏ-ମହମ୍ମଦ ସଙ୍ଗଠନ । ୨୦୦୧ ସଂସଦ ଭବନ ଆକ୍ରମଣ ଘଟଣାରେ ଏହି ସଙ୍ଗଠନ ଜଡିତ ଥିଲା । ୧୯୮୦ରେ ଆଫଗାନିସ୍ତାନରେ ଗଠିତ ହୋଇଥିଲା ହରକତ-ଉଲ-ଜିହାଦ । ଏହି ସଙ୍ଗଠନ ସୋଭିଏତ ବାହିନୀକୁ ଦେଇଥିଲା କଡା ଟକ୍କର । ବର୍ତ୍ତମାନ ଏହି ସଙ୍ଗଠନ ଭାରତ, ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ସକ୍ରିୟ ରହିଛି ।

ସେହିପରି ହରକତ-ଉଲ-ମୁଜାହିଦ୍ଦିନ ସଙ୍ଗଠନ ୧୯୯୭ରେ ଗଠିତ ହୋଇଥିଲା । ଏବଂ ଏହା ପାକ୍ ଅଧିକୃତ ଅଞ୍ଚଳରେ କାର୍ଯ୍ୟ କରୁଛି । ୧୯୮୯ରେ ହିଜବ-ଉଲ-ମୁଜାହିଦ୍ଦିନ ଆତଙ୍କବାଦୀ ସଙ୍ଗଠନ ମୁଣ୍ଡ ଟେକିଥିଲା । ଏହି ସଙ୍ଗଠନ ଜାମ୍ମୁ ଓ କାଶ୍ମୀରରେ ବେଶ ସକ୍ରିୟ ରହିଛି । ଏସବୁକୁ ବାଦଦେଲେ ଅଲକାଏଦା, ଇସଲାମିକ ଷ୍ଟେଟ ଖୋରାସାନ ପ୍ରୋଭିନ୍ସ, ଆଫଗାନ ତାଲିବାନ, ହକାନି ନେଟଓ୍ବର୍କ, ତେହରିକ-ଇ- ତାଲିବାନ ପାକିସ୍ତାନ, ଆଇଏସଆଇଏସ ଭଳି ଅନେକ ଆତଙ୍କବାଦୀ ସଙ୍ଗଠନ ନିଜର ଆଧିପତ୍ୟ ବିସ୍ତାର କଲେଣି ।

Comments are closed.