Latest Odisha News

BREAKING NEWS

ପାକିସ୍ତାନରେ ଜଳୁଛି ନିଆଁ, ଗୃହଯୁଦ୍ଧ ଆଶଙ୍କା

ଇସଲାମବାଦ: ପାକିସ୍ତାନରେ ଏବେ ନିଆଁ ଜଳୁଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ହୋଇଥିବା ଆକ୍ରମଣ ବିରୋଧରେ ପିଟିଆଇ ପାକିସ୍ତାନର ପ୍ରମୁଖ ସହରରେ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରୁଛି, ନିଆଁ ଜାଳୁଛି। ସବୁଠୁ ବଡ଼ କଥା ହେଲା ପାକିସ୍ତାନର ସେନା ଏବଂ ଆଇଏସଆଇ ବିରୋଧରେ ହଜାର ହଜାର ଲୋକ ରାଜରାସ୍ତାରେ ନିଆଁ ଜାଳି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଇମ୍ରାନଙ୍କ ଦଳର କାର୍ଯ୍ୟକର୍ତ୍ତାଙ୍କ ଏପରି ବିରୋଧକୁ ପୋଲିସ ବଳ ପ୍ରୟୋଗ କରି ଅଟକାଇବାକୁ ଚାହୁଁଥିବାରୁ ଆଗକୁ ଏହା ଗୃହଯୁଦ୍ଧ ହେବାର ସଂଭାବନା ଥିବା ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି ।

ଏଥିମଧ୍ୟରେ କରାଚି, ଇସଲାମାବାଦ, ଲାହୋର, କ୍ୱେଟା, ପେଶୱାର, ମାଲାକାଣ୍ଡ, ରାଜନପୁର, ବାହାଲନଗର, ମୁଜାଫରଗଡ ଭଳି ଅନେକ ସହର ଗୁଡ଼ିକରେ ସେନା ଏବଂ ଆଇଏସଆଇ ବିରୋଧରେ ଲୋକେ ରାସ୍ତାକୁ ଓହ୍ଲାଇ ପଥର ମାଡ କରୁଛନ୍ତି । ସୁରକ୍ଷାକର୍ମୀଙ୍କୁ ମାଡ ମରାଯାଉଥିବା ବେଳେ ସେମାନେ ଛତ୍ରଭଙ୍ଗ ଦେଉଛନ୍ତି । ପୋଲିସ ଗାଡିକୁ ଭାଙ୍ଗିବା ସହ ନିଆଁ ଲଗାଇ ଦେଉଛନ୍ତି ଆନ୍ଦୋଳନକାରୀ । ଇମ୍ରାନଙ୍କ ସମର୍ଥନରେ ଏଭଳି ଲଙ୍କାକାଣ୍ଡ ଏବେ ପାକିସ୍ତାନରେ ଚାଲିଛି ।

ଇମ୍ରାନ ଉପରେ ହୋଇଥିବା ଗୁଳିମାଡ଼ ପାଇଁ ଲୋକେ ସେହବାଜ ସରିଫଙ୍କ ସରକାରଙ୍କୁ ଦୋଷ ଦେଉଛନ୍ତି । ଇମ୍ରାନଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ହୋଇଥିବା ସେମାନେ ଦାବି କରୁଛନ୍ତି ।  ଗୋଟିଏ ପଟେ ଇମ୍ରାନ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ କରିବାକୁ ସରକାରଙ୍କ ଉପରେ ଚାପ ପକାଉଥିବା ବେଳେ ଅନ୍ୟପଟେ ଦେଶବ୍ୟାପୀ ବିରୋଧ ସେହବାଜ ସରକାରଙ୍କୁ ଚିନ୍ତାରେ ପକାଇଛି ।

ଆଜି ଦିନ ତମାମ ଇମ୍ରାନଙ୍କ ସମର୍ଥକମାନେ ପୋଲିସ ଏବଂ ସୁରକ୍ଷାବାହିନୀ ଉପରକୁ ପଥର ଫିଙ୍ଗିଥିଲେ। ଏଥି ସହିତ ଲାହୋରରେ ମଧ୍ୟ ବିକ୍ଷୋଭକାରୀମାନେ ଶେହାବାଜ ସରକାରଙ୍କ ବିରୋଧରେ ପ୍ରଦର୍ଶନ କରିଥିଲେ। ଏହାପୂର୍ବରୁ ଲାହୋରର ମଲ୍ ରୋଡରେ ଥିବା ରାଜ୍ୟପାଳ ହାଉସର ଫାଟକ ବାହାରେ ପିଟିଆଇ କାର୍ଯ୍ୟକର୍ତ୍ତା ତଥା ସମର୍ଥକମାନେ ସର୍ବସାଧାରଣ ସମ୍ପତ୍ତିକୁ ନିଆଁ ଲଗାଇବା ସହ  ଭଙ୍ଗାରୁଜା କରିଥିଲେ।

 ଇମ୍ରାନଙ୍କୁ ଗୁଳିମାଡ଼ ସମୟରେ ଅନ୍ୟ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ପିଟିଆଇ ନେତା ଆହତ ହୋଇଛନ୍ତି।  ଇମ୍ରାନ ଖାନଙ୍କୁ ହତ୍ୟା କରିବାର ଏକ ପ୍ରୟାସ ବୋଲି ଦାବି କରିଛି ଇମ୍ରାନଙ୍କ ଦଳ । ଆକ୍ରମଣର କିଛି ଘଣ୍ଟା ପରେ ଇମ୍ରାନ ଖାନଙ୍କୁ ପିଟିଆଇ ପକ୍ଷରୁ କୁହାଯାଇଛି ଯେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ, ଆଭ୍ୟନ୍ତରୀଣ ମନ୍ତ୍ରୀ ରାଣା ସନାଉଲ୍ଲା ଏବଂ ଜଣେ ବରିଷ୍ଠ ସୈନ୍ୟ ଅଧିକାରୀ ଏହି ହତ୍ୟାକାଣ୍ଡର ଷଡଯନ୍ତ୍ର କରିଛନ୍ତି। ପିଟିଆଇ ନେତାମାନେ କହିଥିଲେ ଯେ ସେମାନେ ମଧ୍ୟ ଏହି ତିନିଜଣଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ କରିବେ। ଖାନଙ୍କୁ ଆକ୍ରମଣ କରିଥିବା ଆକ୍ରମଣକାରୀଙ୍କୁ ଗିରଫ କରାଯାଇଥିଲା ଯାହାର ସ୍ୱୀକାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି ।

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗୁରୁବାର ଆକ୍ରମଣ କରାଯାଇଥିଲା। ତାଙ୍କ ଦଳର ତେହେରିକ-ଇ-ଇନସାଫର କାର୍ଯ୍ୟକର୍ତ୍ତାମାନେ ଇମ୍ରାନ ଉପରେ ହୋଇଥିବା ଆକ୍ରମଣ ବିରୋଧରେ ସାରା ଦେଶରେ ବିରୋଧ କରୁଛନ୍ତି।  ଲାହୋର ଏବଂ କରାଚିରେ ବହୁ ସଂଖ୍ୟକ ପିଟିଆଇ କର୍ମଚାରୀ କ୍ରୋଧିତ ହୋଇ ରେଡ୍ ଜୋନ୍ ଆଡକୁ ଯିବା ଆରମ୍ଭ କରିଥିଲେ। ପୋଲିସ ଲାଠି ଚାର୍ଜ ଏବଂ ଲୁହବୁହା ଗ୍ୟାସ ବ୍ୟବହାର କରିଥିଲେ ମଧ୍ୟ ସେମାନେ ନିଆଁ ଲଗାଇବାରେ ବ୍ୟସ୍ଥ ଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.