ନୂଆଦିଲ୍ଲୀ: ଆସନ୍ତାବର୍ଷ ଚୀନ ସହାୟତାରେ ଦେଶର ପ୍ରଥମ ମହାକାଶଚାରୀ ପଠାଇବାକୁ ପ୍ରସ୍ତୁତି କରୁଛି ପାକିସ୍ତାନ । ଚୀନର ସ୍ପେସ ସେଣ୍ଟରକୁ ଯିବେ ପାକିସ୍ତାନୀ ମହାକାଶଚାରୀ । ଏନେଇ ଚୀନ ଗସ୍ତ ବେଳେ ପାକିସ୍ତାନ ମନ୍ତ୍ରୀ ଏହସାନ ଇକବାଲ ଘୋଷଣା କରିଛନ୍ତି । ଏହାପରେ ଚର୍ଚ୍ଚାକୁ ଆସିଛି ପାକିସ୍ତାନ ସ୍ପେସ ଏଜେନ୍ସି ଷ୍ଟେଟ୍ ଆଣ୍ଡ ଅପର ଏଟମୋସ୍ପିୟର ରିସର୍ଚ୍ଚ କମିଶନ ବା ଏସୟୁପିଏଆରସିଓ । ୧୯୬୧ରେ ଏହାର ଶୁଭାରମ୍ଭ କରାଯାଇଥିଲା । ଭାରତ ଓ ଚୀନଠାରୁ ବି ଆଗୁଆ ସ୍ପେସ ଏଜେନ୍ସି କରିଥିଲା ପାକିସ୍ତାନ । ହେଲେ ଏବେ ଭାରତର ସ୍ପେସ ଏଜେନ୍ସି ଇସ୍ରୋ ତୁଳନାରେ କେମିତି ରହିଛି ଏହାର ସ୍ଥିତି?
ମହାକାଶ ଗବେଷଣାରେ ପାକିସ୍ତାନ କେଉଁଠି?
୧୯୬୧ ମସିହାରେ ପାକିସ୍ତାନ ସୁପାର୍କୋର ସ୍ଥାପନା କରିଥିଲା । ଏହାକୁ ଅଧିକ ମଜବୁତ କରିବାକୁ ନୋବେଲ ପୁରସ୍କାର ବିଜେତା ବୈଜ୍ଞାନିକ ଅବଦୁଲ ସଲାମ ଉଦ୍ୟମ କରିଥିଲେ । ୧୯୬୨ରେ ପ୍ରଥମ ରକେଟ୍ ରହବର-୧ ଲଞ୍ଚ କରାଯାଇଥିଲା । ସେ ସମୟରେ ଏହା ବଡ଼ ଉପଲବ୍ଧି ଥିଲା । ସେହିପରି ୧୯୯୦ରେ ଚୀନ ସହାୟତାରେ ପ୍ରଥମ ସାଟେଲାଇଟ୍ ବଦର-୧ ଲଞ୍ଚ କରାଯାଇଥିଲା । ହେଲେ ତାପରଠୁ ଏକପ୍ରକାର ବନ୍ଦ ହୋଇଯାଇଥିଲା ଗତି । ସରକାର ମହାକାଶ କାର୍ଯ୍ୟକ୍ରମ ପାଉଁ ଆବଶ୍ୟକ ଫଣ୍ଡିଂ କଲେନି । ସୁପାର୍କୋର ବାର୍ଷିକ ବଜେଟ୍ ମାତ୍ର ୩୬ମିଲିୟନ ଡଲାର । ଗତ ୧୧ବର୍ଷ ହେଲା ସେନାର ଅବସରପ୍ରାପ୍ତ ଜେନେରାଲ ଏହି ଏଜେନ୍ସି ଚଳାଉଛନ୍ତି । ଶିକ୍ଷାରେ ମହାକାଶ ସଂପର୍କିତ ପାଠ୍ୟକ୍ରମ କମ୍ ଥିବାରୁ ଦକ୍ଷ ମାନବସମ୍ବଳ ପ୍ରସ୍ତୁତ ହୋଇପାରୁନି । ପାକିସ୍ତାନରେ ପରମାଣୁ କାର୍ଯ୍ୟକ୍ରମକୁ ଫୋକସ୍ କରିବା ବେଳେ ମହାକାଶ ଗବେଷଣା ପଛରେ ପଡ଼ିଯାଇଛି ।
ଚୀନ୍ ଉପରେ ନିର୍ଭରଶୀଳ
ପାକିସ୍ତାନ ମହାକାଶ ଗବେଷଣା କ୍ଷେତ୍ରରେ ମଧ୍ୟ ଚୀନ୍ ଉପରେ ନିର୍ଭରଶୀଳ ରହିଛି । ଗତ କିଛି ବର୍ଷ ମଧ୍ୟରେ ଚୀନ୍ ସହାୟତାରେ ପାକିସ୍ତାନ ୩ଟି ସାଟେଲାଇଟ୍ ଲଞ୍ଚ କରିଛି । ଆସନ୍ତାବର୍ଷ ପ୍ରଥମ ମହାକାଶଚାରୀ ପଠାଇବା ଯୋଜନା ବି ଚୀନ୍ ଉପରେ ନିର୍ଭରଶୀଳ । ଏଥିପାଇଁ ଦୁଇଜଣ ପାକିସ୍ତାନୀ ମହାକାଶଚାରୀ ଚୀନରେ ପ୍ରଶିକ୍ଷଣ ନେବେ । ଏବେ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ମହାକାଶ ବିଜ୍ଞାନକୁ ପ୍ରୋତ୍ସାହନ ଦେବାକୁ ଫୋକସ୍ କରୁଛନ୍ତି । ହେଲେ ଏବେବି ପାକିସ୍ତାନ ଏହି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇପାରିନି । ଚୀନ ସହାୟତାରେ ୨୦୩୫ ସୁଦ୍ଧା ଚନ୍ଦ୍ରକୁ ମହାକାଶ ଯାନ ପଠାଇବାକୁ ଯୋଜନା କରୁଛି ପାକିସ୍ତାନ ।
କମାଲ୍ କରୁଛି ଭାରତର ଇସ୍ରୋ
ପାକିସ୍ତାନରେ ସ୍ପେସ ଏଜେନ୍ସି ସ୍ଥାପନାର ୮ବର୍ଷ ପରେ ୧୯୬୯ରେ ଇସ୍ରୋର ଶୁଭାରମ୍ଭ ହୋଇଥିଲା । ହେଲେ ଇସ୍ରୋ ଏବେ ବିଶ୍ବର ଅନ୍ୟତମ ମହାକାଶ ଗବେଷଣା ସଂସ୍ଥାନ । ୨୦୨୩ରେ ଚନ୍ଦ୍ରଯାନ-୩ ସଫଳତା ସହ ଲ୍ୟାଣ୍ଡିଂ କରିଥିବା ବେଳେ ୨୦୧୩ରେ ପ୍ରଥମ ମହକାଶ ଯାନ ଭାବେ ମଙ୍ଗଳରେ ପହଞ୍ଚିଥିଲା ମଙ୍ଗଳଯାନ । ୨୦୨୭ରେ ଲଞ୍ଚ ହେବ ଭାରତର ପ୍ରଥମ ମାନବ ମିଶନ । ସ୍ବଦେଶୀ ଟେକ୍ନୋଲୋଜି ଉପରେ କାମ କରୁଥିବା ଇସ୍ରୋର ବାର୍ଷିକ ବଜେଟ୍ ୧.୫ବିଲିୟନ ଡଲାରରୁ ଅଧିକ ରହିଛି । ନିକଟରେ ଅକ୍ସିଓମ୍-୪ ମିଶନରେ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ସାମିଲ ହୋଇଥିଲେ ।
ପାକିସ୍ତାନର ପ୍ରଥମ ମହାକାଶଚାରୀ ଚୀନର ସ୍ପେସ ଷ୍ଟେସନକୁ ଯିବେ । ଏହି ଅଭିଯାନ ପାକିସ୍ତାନ ଓ ଚୀନର ବନ୍ଧୁତାକୁ ମଜବୁତ କରୁଥିବା ବେଳେ ପାକିସ୍ତାନର ଦୁର୍ବଳତା ବି ପଦାରେ ପକାଉଛି । ଭାରତର ଗଗନାୟନ ମିଶନ ସ୍ବଦେଶୀ ହୋଇଥିବା ବେଳେ ପାକିସ୍ତାନ ଚୀନ୍ ଉପରେ ନିର୍ଭରଶୀଳ। ମହାକାଶ ଗବେଷଣା କ୍ଷେତ୍ରରେ ଅନୁଦାନ ଅଭାବ, ଚୀନ ଉପରେ ନିର୍ଭରଶୀଳତା ଓ ବୈଜ୍ଞାନିକଙ୍କ ଅଭାବ ଯୋଗୁଁ ପଛରେ ପଡିଛି ପାକିସ୍ତାନ । ଏହାସହ ଆତଙ୍କବାଦ, ଆର୍ଥିକ ସମସ୍ୟା ମଧ୍ୟ ମହାକାଶ କାର୍ଯ୍ୟକ୍ରମ ବାଟରେ ବାଧା ହେଉଛି । ସେପଟେ ଇସ୍ରୋର ଫୋକସ୍ ଶିକ୍ଷା, ନୂଆ ଟେକ୍ନୋଲୋଜି ଓ ଅନ୍ତର୍ଜାତୀୟ ସହଯୋଗ ଉପରେ ରହିଛି । ଭାରତ ଭଳି ମହାକାଶ ଗବେଷଣା କ୍ଷେତ୍ରରେ ଆଗେଇବାକୁ ହେଲେ ପାକିସ୍ତାନକୁ ଗବେଷଣା ବଢାଇବାକୁ ପଡିବ ।
Comments are closed.