ଇସଲାମାବାଦ: ଜାତିସଂଘର ଏକ ରିପୋର୍ଟ ଅନୁଯାୟୀ ୨୦୫୦ ସୁଦ୍ଧା ପାକିସ୍ତାନ ଜନସଂଖ୍ୟା ବୃଦ୍ଧିରେ ଆମେରିକାକୁ ପଛେଇ ବିଶ୍ୱର ତୃତୀୟ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ପାଲଟିବ। ଯଦିଓ ପାକିସ୍ତାନର ଆର୍ଥିକ ଅବସ୍ଥା ସମେତ ବିଭିନ୍ନ ଦୃଷ୍ଟିରୁ ପଛରେ ରହିଛି।
ରିପୋର୍ଟ ଅନୁଯାୟୀ ପାକିସ୍ତାନର ପ୍ରଜନନ ହାର ୨୦୨୪ରେ ୩.୬ ରହିଛି ଯାହା ଏସିଆର ଅନ୍ୟ ଦେଶ ମାନଙ୍କ ତୁଳନାରେ ବହୁତ ଅଧିକ। ତେବେ ୧୯୯୪ ମସିହା ତୁଳନାରେ ଏହି ପ୍ରଜନନ ହାର ଯଥେଷ୍ଟ କମ୍।
ସୂଚନାଯୋଗ୍ଯ ଯେ ୧୯୯୪ ମସିହାରେ, ପାକିସ୍ତାନରେ ପ୍ରଜନନ ହାର ୬ ଥିଲା। ଅର୍ଥାତ ପ୍ରତ୍ୟେକ ମହିଳା ହାରାହାରି ଛଅଟି ସନ୍ତାନକୁ ଜନ୍ମ ଦେଇଥିଲେ।
ତେବେ ପାକିସ୍ତାନ ୨୦୫୦ ସୁଦ୍ଧା ଆମେରିକା, ଇଣ୍ଡୋନେସିଆ, ବ୍ରାଜିଲ ଏବଂ ଋଷକୁ ପଛରେ ପକାଇ ବିଶ୍ୱର ତୃତୀୟ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ହେବ ବୋଲି ଆକଳନ କରାଯାଉଛି। ୧୯୪୭ ମସିହାରେ ଯେତେବେଳେ ପାକିସ୍ତାନ ସ୍ବାଧିନ ହୋଇଥିଲା ସେତେବେଳେ ସେଠାକାର ଜନସଂଖ୍ୟା ୩.୧ କୋଟି ଥିଲା, ଯାହାକି ୨୦୨୩ ମସିହାରେ ୨୪.୧ କୋଟିକୁ ବୃଦ୍ଧି ପାଇଛି।
ସେହିପରି ୨୦୫୦ ସୁଦ୍ଧା ପାକିସ୍ତାନର ଜନସଂଖ୍ୟା ୩୮ କୋଟି ଅତିକ୍ରମ କରାଯିବ ବୋଲି ଆକଳନ କରାଯାଉଛି। ତେବେ ୨୦୫୪ ସୁଦ୍ଧା ପ୍ରଜନନ ହାର ହ୍ରାସ ପାଇ ୨.୫ ରେ ପହଞ୍ଚିବାର ଆଶା ମଧ୍ଯ କରାଯାଉଛି।
Comments are closed.