କଟକ: ଆସନ୍ତାକାଲିଠୁ ଆରମ୍ଭ ହେଉଛି ପଞ୍ଚୁକ।ଏହାସହ ଆରାଧ୍ୟ ଦେବ ଶ୍ରୀଶ୍ରୀଧବଳେଶ୍ବରଙ୍କ ପୀଠରେ ଆରମ୍ଭ ହେବ ପଞ୍ଚୁକ ବ୍ରତ। ନଭେମ୍ବର ୨୮ ତାରିଖ ଦିନ ଏଠାରେ ପାଳନ ହେବ ବଡ଼ଓଷା।
କୋଭିଡ ଗାଇଡ଼ଲାଇନକୁ ଦୃଷ୍ଟିରେ ରଖି ଚଳିତ ଥର ବିନା ଭକ୍ତରେ ଏଠାରେ ପଞ୍ଚୁକ ଯାତ୍ରା ଅନୁଷ୍ଠିତ ହେବ। ଏନେଇ ଆଜି ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ଧବଳେଶ୍ବର ପୁଲିସ ବିଟ୍ ହାଉସ୍ ପରିସରରେ ଅନୁଷ୍ଠିତ ବୈଠକରେ ଆଠଗଡ଼ ଉପଜିଲ୍ଲାପାଳ ତଥା ଉପଖଣ୍ଡ ଦେବୋତ୍ତର ବିଭାଗ ମୁଖ୍ୟ ଅଜାମ୍ବର ମହାନ୍ତି ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ଉପଜିଲ୍ଲାପାଳ ଶ୍ରୀ ମହାନ୍ତି କହିଥିଲେ ଯେ ଧବଳେଶ୍ବରଙ୍କ ପୀଠରେ ଚଳିତବର୍ଷ ବାବାଙ୍କର ପ୍ରସିଦ୍ଧ ପଞ୍ଚୁକ ଓ ବଡ଼ଓଷା ପର୍ବର ସମସ୍ତ ନୀତିକାନ୍ତି, ଠାକୁରଙ୍କ ବେଶ ଆଦି ପୂଜକ ସମିତି ସଦସ୍ୟ ଓ ଦେବୋତ୍ତର ବିଭାଗ ସହଯୋଗରେ କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ପାଳନ କରାଯିବ।
ଶ୍ରଦ୍ଧାଳୁମାନଙ୍କୁ ପୀଠକୁ ଆସିବା ନେଇ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଏଥିପାଇଁ ମଙ୍ଗଳବାର ମଧ୍ୟରାତ୍ରିରୁ ପୀଠ, ପୀଠ ଚତୁଃପାର୍ଶ୍ୱ, ପୀଠକୁ ସଂଯୋଗ କରୁଥିବା ସମସ୍ତ ପ୍ରବେଶ ପଥ ଏବଂ ପାଇକେରାପୁର ଭୂୟାଁ ଯୋରଠାରୁ ବିଦ୍ୟାଧରପୁର ଛକ ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯିବ। ଏହା ୩୦ତାରିଖ ପବିତ୍ର ରାସପୂର୍ଣ୍ଣିମା ପର୍ଯ୍ୟନ୍ତ ବଳବତ୍ତର ରହିବ।
ପଞ୍ଚୁକ ଓ ବଡ଼ଓଷା ବ୍ରତଧାରୀ ଭକ୍ତମାନେ ଘରେ ରହି ଧବଳେଶ୍ୱରଙ୍କୁ ଆରାଧନା କରିବା ପାଇଁ ଏହି ଅବସରରେ ଆଠଗଡ଼ ଉପଜିଲ୍ଲାପାଳ ଶ୍ରୀ ମହାନ୍ତି ନିବେଦନ କରିଥିଲେ।
ଏଥିସହ ଗଜଭୋଗକୁ ରାସ୍ତାପାର୍ଶ୍ବ କିମ୍ବା ଅନ୍ୟ ସ୍ଥାନରେ ଯେପରି ବିକ୍ରି କରା ନ ଯିବ ସେଥିପ୍ରତି ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକଙ୍କୁ ନିର୍ଦେଶ ଦିଆଯାଇଛି। ଠାକୁରଙ୍କ ଶୃଙ୍ଖଳିତ ନୀତିକାନ୍ତି ସମ୍ପନ୍ନ କରିବା, ଆଇନଶୃଙ୍ଖଳା ଓ ୧୪୪ଧାରା ଜାରି ସ୍ଥାନଗୁଡ଼ିକରେ କଡ଼ା ପୁଲିସ ପ୍ରହରା ବ୍ୟବସ୍ଥା ପାଇଁ ଜିଲ୍ଲା ପୁଲିସ ପ୍ରଶାସନ ତରଫରୁ ୯ପ୍ଲାଟୁନ ଫୋର୍ସ ମୁତୟନ କରାଯିବ।
Comments are closed.