Latest Odisha News

BREAKING NEWS

ଆଜିଠୁ ପଞ୍ଚୁକ ବ୍ରତ ଆରମ୍ଭ: ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି

ପୁରୀ: ଆଜିଠୁ ପଞ୍ଚୁକ ନୀତି ଆରମ୍ଭ । ଶ୍ରୀକ୍ଷେତ୍ର ଓ ଏକାମ୍ରକ୍ଷେତ୍ର ସମେତ ରାଜ୍ୟବ୍ୟାପୀ ଏହି ପଞ୍ଚୁକ ବ୍ରତ ଆରମ୍ଭ ହୋଇଛି । କାର୍ତ୍ତିକ ମାସରେ ନାମ ସଂକୀର୍ତନରେ ଉଛୁଳୁଛି ମଠ ଓ ମନ୍ଦିର । କାର୍ତିକ ଶୁକ୍ଳ ଏକାଦଶୀ ତିଥିରୁ ସୋମବାର ଠାରୁ ପଞ୍ଚୁକ ଆରମ୍ଭ ହୋଇଛି ।

ଯେଉଁମାନେ କାର୍ତିକ ମାସ ସାରା ବ୍ରତ ପାଳନ କରି ନାହାନ୍ତି, ସେମାନଙ୍କ ମଧ୍ୟରୁ ଅନେକ ‌କାଲିଠାରୁ ୫ ଦିନ ପାଇଁ ଏହି ବ୍ରତ ଆରମ୍ଭ କରିବେ। ‌ସୋମବାର ଏକାଦଶୀ ତିଥିରେ ମହାପ୍ରଭୁ ଲକ୍ଷ୍ମୀ ନାରାୟଣ ବେଶ ଅନୁଷ୍ଠିତ ହେବ।

ଦ୍ବିତୀୟ ଦିନ ଗରୁଡ଼ ଦ୍ବାଦଶୀରେ ବାଙ୍କଚୂଡ଼ ବେଶ, ତ୍ରୟୋଦଶୀରେ ତ୍ରିବିକ୍ରମ ବେଶ, ଚତୁର୍ଦଶୀରେ ଲକ୍ଷ୍ମୀ ନୃସିଂହ ବେଶ ଏବଂ ପୂର୍ଣ୍ଣିମା ଦିନ ମହାପ୍ରଭୁ ରାଜ ରାଜେଶ୍ବର ବେଶରେ ସୁନା ବେଶ ହୋଇ ‌ଶ୍ରଦ୍ଧାଳୁଙ୍କ ଦର୍ଶନ ଦେବେ।

ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ପଞ୍ଚୁକ ପାଇଁ ଶ୍ରୀମନ୍ଦିରରେ ଜୋରଦାର ବ୍ୟବସ୍ଥା କରାଯାଇଛି । ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିଦିଆଯାଇଛି ।

ପୋଲିସ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବାବେଳେ ଶ୍ରୀମନ୍ଦିର ଭିତର, ବଡଦାଣ୍ତ ଏବଂ ଟ୍ରାଫିକ ସୁପରିଚାଳନା ପାଇଁ କଡାକଡି ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୁରକ୍ଷା ଦାୟିତ୍ୱରେ ଶ୍ରୀକ୍ଷେତ୍ରରେ ସମୁଦାୟ ୨୦ ପ୍ଲାଟୁନ ପୋଲିସ ଫୋର୍ସ ସହ ୩ଜଣ ଅତିରିକ୍ତ ଏସପି, ୧୦ ଡିଏସପି, ୩୦ ଇନ୍ସପେକ୍ଟର ସୁରକ୍ଷା ଦାୟିତ୍ବରେ ରହିଛନ୍ତି ।

ସେହିପରି ସମୁଦ୍ରକୂଳ ଅଞ୍ଚଳରେ ମଧ୍ୟ କଡା ପାଟ୍ରୋଲିଂ ସହ ସୁରକ୍ଷିତ ସମୁଦ୍ର ସ୍ନାନ ପାଇଁ ପର୍ଯ୍ୟାପ୍ତ ଲାଇଫ୍ ଗାର୍ଡ ଓ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସେହିପରି ପୁରୀରେ ଗାଡ଼ି ମଟରର ବିଶେ, ଗହଳି ନହେବା ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି  ।

ଯେଉଁ ଭକ୍ତ ଓ ପର୍ଯ୍ୟଟକମାନେ ପୁରୀ ଆସିବେ ସେମାନେ ମାର୍କେଟ ଛକ ପାଖ ଜଗନ୍ନାଥ ବଲ୍ଲଭ ପାର୍କିଂ ଏବଂ ସମୁଦ୍ର କୂଳ ଅଞ୍ଚଳର ଦିଗବାରେଣି ସହ ଲାଇଟ୍ ହାଉସ ପାଖ ଯାତ୍ରିକା ଠାରେ ଗାଡି ପାର୍କିଂ କରିବା ବ୍ୟବସ୍ଥା କରାଯାଇଛି  । ଯଦ୍ୱାରା ପୁରୀ ଭିତରେ ସୁରକ୍ଷା ବ୍ୟବସ୍ଥା  ସଠିକ ଭାବେ ପରିଚାଳନା କରାଯାଇ ପାରିବ  ।

Leave A Reply

Your email address will not be published.