Latest Odisha News

BREAKING NEWS

ନିର୍ଦ୍ଧିଷ୍ଟ କିଛି ଲୋକଙ୍କୁ ନେଇ ସରକାର ଚଳାଉଛନ୍ତି ନବୀନ: ରାହୁଲ

କଟକ: ଓଡ଼ିଶାରେ ରାହୁଲ ଗାନ୍ଧି । ଓଡ଼ିଶାରେ ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ ସତ୍ୟଭାମାପୁରରେ ପହଞ୍ଚି ମଧୁବାବୁଙ୍କ ଜନ୍ମଜୟନ୍ତୀ ଉପଲକ୍ଷେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି ରାହୁଲ । ସେଠାରେ କିଛି ସମୟ ସ୍ମୃତିଚାରଣ କରିବା ପରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ରାହୁଲ । ଏହାପରେ କସ୍ତୁରବା ଆଶ୍ରମ ଯାଇ ସେଠାରେ ଛାତ୍ରଛାତ୍ରୀଙ୍କୁ ଭେଟିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ସେଠାରୁ ସିଧାସଳଖ ସାଲେପୁରରେ ପହଞ୍ଚିଛନ୍ତି ରାହୁଲ ଗାନ୍ଧି ।

ସେଠାରେ ଆୟୋଜିତ କର୍ମୀ ସମ୍ମିଳନୀକୁ ସମ୍ବୋଧିତ କରି ବିରୋଧିଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧି । ରାହୁଲ ପ୍ରଥମେ ଏତେ ଖରାରେ ସମସ୍ତ କର୍ମୀ ଏହି ସଭାସ୍ଥଳକୁ ଆସିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ରାହୁଲ ଗାନ୍ଧି । ଏହାପରେ ରାହୁଲ କହିଛନ୍ତି ଯେ, ନବୀନ ଏଠାରେ କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ନେଇ ସରକାର ଚଳାଉଛନ୍ତି । ଅଳ୍ପ କିଛି ଲୋକ ହିଁ ସବୁ ଏହାର ଫାଇଦା ଉଠାଉଛନ୍ତି । କଂଗ୍ରେସ ତେଲେଙ୍ଗାନାରେ ବିଜେପି-ବିଆରଏସ ମେଣ୍ଟ ବାହାରକୁ ଆଣିଥିଲା । ସେଠାରେ ନିର୍ବାଚନ ହେଲା, କିନ୍ତୁ ବିଆର୍‌ଏସ୍‌ ପୂରା ଉଡ଼ିଗଲା । ଏଠାରେ ବିଜେପି-ବିଜେଡିର ବାହାଘର ହୋଇଯାଇଛି । ଏଠାରେ ଦୁଇ ଜଣ ଏକାଠି ରହି ଓଡ଼ିଶାବାସୀଙ୍କୁ ପାନ ଦେଇଛନ୍ତି । ଅଙ୍କଲ୍ ଓ ନବୀନ ବାବୁ ମିଶି ଓଡ଼ିଶା ଲୋକଙ୍କୁ ପାନ ଧରାଇଦେଲେ । ଏବେ କିନ୍ତୁ ବାସ୍ ବହୁତ ହୋଇଗଲା, ବହୁତ ପାନ ଖାଇ ପେଟ ଖରାପ ହେଲାଣି ବୋଲି ସଭା ମଝିରେ କଟାକ୍ଷ କରି କହିଛନ୍ତି ରାହୁଲ ଗାନ୍ଧି ।

ରାହୁଲ ଆହୁରି ମଧ୍ୟ କହିଛନ୍ତି ଯେ, ଚାରା ରୋପଣ ନାଁରେ ଏଠାରେ ୧୫ ହଜାର କୋଟି ଲୁଟିଛନ୍ତି ସରକାର । ଖଣିରୁ ପ୍ରଚୁର ଲୁଟିଛନ୍ତି । କଂଗ୍ରେସ ଆସିଲେ ଏ ସମସ୍ତ ଟଙ୍କା ଫେରସ୍ତ ହେବ । ଓଡ଼ିଶାରେ କଂଗ୍ରେସ କ୍ଷମତାକୁ ଆସିଲେ ଲୋକଙ୍କ ଖାତାକୁ ସମସ୍ତ ଟଙ୍କା ଫେରାଯିବ । ୨୦୦ ୟୁନିଟ ମାଗଣା ବିଜୁଳି, ଗ୍ୟାସ୍‌ ୫ ଶହ ଟଙ୍କାରେ ଦିଆଯିବ । ଧାନ କୁଇଣ୍ଟାଲ ୩ ହଜାର ଟଙ୍କା କରିବୁ ବୋଲି କହିଛନ୍ତି ରାହୁଲ ଗାନ୍ଧି । ସେହିପରି ମହିଳାଙ୍କୁ ୨ ହଜାର, ଯୁବକଙ୍କୁ ୩ ହଜାର, ଚାଷୀଙ୍କୁ ୩ ହଜାର ମିଳିବ ବୋଲି କହିଛନ୍ତି ରାହୁଲ ।

କ୍ଷମତାକୁ ଆସିଲେ ପେହଲି ‘ନୌକରୀ ପକ୍କି’ ଯୋଜନା ଆଣିବ କଂଗ୍ରେସ । ସମସ୍ତ ବେକାର ଯୁବକ ଯୁବତୀଙ୍କୁ ଚାକିରି ଗ୍ୟାରେଣ୍ଟି ଦେଉଛୁ, ସରକାରଙ୍କୁ କେହି ଚାକିରି ମାଗିଲେ ନିଶ୍ଚିତ ଚାକିରି ମିଳିବ । ଚାକିରି ମାଗିବା କ୍ଷଣି ବର୍ଷକ ପାଇଁ ଆପ୍ରେଣ୍ଟିସିପ୍‌ ଦିଆଯିବ ବୋଲି କହିଛନ୍ତି ରାହୁଲ । ରାହୁଲ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ଦେଶର କୋଟି କୋଟି ଲୋକଙ୍କୁ ଲକ୍ଷପତି ବନାଇବୁ । ଦେଶର କୋଟି କୋଟି ଲୋକଙ୍କ ଖାତାକୁ ଲକ୍ଷେ ଟଙ୍କା ଦେବୁ । କମିଶନ ବସାଇବୁ, ଚାଷୀଙ୍କ ଋଣ ଛାଡ଼ କରିବୁ । ଦେଶର ସବୁ ଗରିବ ପରିବାରର ଜଣେ ଜଣେ ମହିଳାଙ୍କୁ ବଛାଯିବ । ଉକ୍ତ ମହିଳାଙ୍କ ବ୍ୟାଙ୍କ ଖାତାକୁ ୧ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ପ୍ରତି ମାସରେ ୮ ହଜାର ୫ ଶହ ଟଙ୍କା ମହିଳାଙ୍କ ଖାତାକୁ ଯିବ ବୋଲି କହିଛନ୍ତି ରାହୁଲ ଗାନ୍ଧି ।

Leave A Reply

Your email address will not be published.