Latest Odisha News

BREAKING NEWS

ଆଳିରେ ମୋଦିଙ୍କ ଗ୍ୟାରେଣ୍ଟିକୁ କଡା ସମାଲୋଚନା କଲେ ପାଣ୍ଡିଆନ; କହିଲେ, ସବୁ ପ୍ରତିଶୃତି ମିଛ

କେନ୍ଦ୍ରାପଡା: ବିଜେପି କହୁଛି ମାଆ ମାନଙ୍କୁ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କାର ଭାଉଚର ଦେବ । କେବଳ ଓଡିଶାର ମାଆ ମାନଙ୍କ ପାଇଁ ଦରକାର ୧ ଲକ୍ଷ କୋଟି, ସାରା ଭାରତ ପାଇଁ ୩୦ ଲକ୍ଷ କୋଟି । ଭାରତର ବଜେଟ୍ ୨୦ ଲକ୍ଷ କୋଟି – ଏ ପ୍ରତିଶୃତି କେବଳ ମିଛ, ସମ୍ପୂର୍ଣ୍ଣ ମିଛ ବୋଲି କହିଛନ୍ତି ବିଜେପି ବରିଷ୍ଠ ନେତା ଭିକେ ପାଣ୍ଡିଆନ ।

ପୂର୍ବରୁ କହିଥିଲେ ୧୫ ଲକ୍ଷ ଟଙ୍କା ଦେବେ, ମିଳିଲା କି ବୋଲି ଆଜି କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣ୍ଡଳୀ ଆଳିରେ ନିର୍ବାଚନ ପ୍ରଚାର ସମୟରେ ପାଣ୍ଡିଆନ ଲୋକଙ୍କୁ ଏହି ପ୍ରଶ୍ନ କରିଛନ୍ତି ।

ସେ ବିଜେପିର ଷ୍ଟାର ପ୍ରଚାରକ ମାନଙ୍କୁ ନେଇ କଡା ଆକ୍ରମଣ କରିଛନ୍ତି । ପାଣ୍ଡିଆନ ଆସାମ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି କହିଛନ୍ତି, ହିମନ୍ତ ବିଶ୍ୱଶର୍ମା ଓଡିଶା ଆସି କହୁଛନ୍ତି ଓଡିଶାକୁ ଏକ ନମ୍ବର କରିବେ, ତାହେଲେ ଆସାମକୁ କଣ କରିବେ? ଏହା ସହ ବଜେପି ନେତା କର୍ଣ୍ଣାଟକ, ତେଲଙ୍ଗାନା ଗଲେ ମଧ୍ୟ ସମାନ କଥା କହୁଛନ୍ତି, କେବଳ ମିଛ ପ୍ରତିଶୃତି ଦଉଛନ୍ତି ବୋଲି ସେ କହିଛନ୍ତି ।

ତୈଳ ଦର ହ୍ରାସ କରିବାକୁ ନେଇ ପାଣ୍ଡିଆନ ବିଜେପି କୁ ଟାର୍ଗେଟ୍ କରି କହିଥିଲେ, ପେଟ୍ରୋଲ, ଡିଜେଲ, ଏଲ୍‌ପିଜି ଦର କମାଇବେ ବୋଲି କହିଥିଲେ, କମିଲା କି ବୋଲି ପ୍ରଶ୍ନ କରିଛନ୍ତି । ପ୍ରତିବର୍ଷ ୨ କୋଟି ରୋଜଗାର ଦେବେ, ଓଡିଶା ଭାଗରେ ୮୦ ଲକ୍ଷ ରୋଜଗାର, କେନ୍ଦ୍ରାପାଡ ଭାଗରେ ପ୍ରାୟ ୩ ଲକ୍ଷ ରୋଜଗାର । ଏଇଟା ଥିଲା ମୋଦିଙ୍କ ଗ୍ୟାରେଣ୍ଟି, କିଏ ପାଇଛନ୍ତି କି?

ଏବେ ପୁଣି କହୁଛନ୍ତି ଧାନ ଏମଏସପି କୁ ୩୧୦୦ ଟଙ୍କା କରିବେ ବୋଲି, ୧୦ ବର୍ଷ ମନେ ପଡୁନଥିଲା, ଏବେ ଭୋଟରେ ହାରିବା ଭୟରେ ମନେ ପଡୁଛି ବୋଲି ତେରଚ୍ଛା ବାଣ ମାରିଛନ୍ତି ପାଣ୍ଡିଆନ ।

ପ୍ରତାପ ଦେବ ଓ ଅଂଶୁମାନ ବାବୁ ଏ ମାଟିର ପୁଅ, ସୁଖଦୁଃଖରେ ଅସୁବିଧା ସମୟରେ ଆପଣଙ୍କ ପାଖରେ ଠିଆ ହେବେ । ଅଂଶୁମାନ ବାବୁ ଟୁରିଷ୍ଟ ଭଳି ହେବେ ନାହିଁ, ସେ ଗ୍ରାଉଣ୍ଡରେ ରହିବେ, ହେଲିକପ୍ଟରରେ ଆସି ଉପରୁ ଉଡି ଯିବେ ନାହିଁ ବୋଲି ସେ କହିଛନ୍ତି ।

ଏଠି ମଧ୍ୟ ପାଣ୍ଡିଆନ୍ ସମାନ କଥା ଦୋହରାଇ କହିଛନ୍ତି, ସାରା ଓଡିଶା ଗୋଟିଏ ସ୍ୱରରେ କହୁଛି ଜୁନ୍ ୯ରେ ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ, ଶପଥ ନେବା ପରେ ପ୍ରଥମ ଦସ୍ତଖତରେ ଓଡିଶାର ୯୦ ପ୍ରତିଶତ ଲୋକଙ୍କ ବିଜୁଳି ବିଲ୍ ଛାଡ କରିବେ, ଦ୍ୱିତୀୟ ଦସ୍ତଖତରେ ବିଏସକେଓ୍ବାଇ କାର୍ଡରେ ସମସ୍ତେ ସାମିଲ ହେବେ, ତୃତୀୟ ଦସ୍ତଖତ ହେବ ମିଶନ ଶକ୍ତି ମାଆ ମାନଙ୍କୁ ସଦସ୍ୟାମାନଙ୍କୁ ୬୦ ବର୍ଷ ପରେ ପେନସନ ବ୍ୟବସ୍ଥା କରିବେ ବୋଲି କହିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ମାଗଣା ବିଜୁଳି ଘୋଷଣା ଶୁଣି ବିଜେପିକୁ କରେଣ୍ଟ ମାରିଲାଣି, ସେମାନେ ମଧ୍ୟ ମାଗଣା ବିଜୁଳି ଦେବେ ବୋଲି କହୁଛନ୍ତି, କିନ୍ତୁ ସେଥିପାଇଁ ଆପଣଙ୍କୁ ୫୦ ହଜାର ଟଙ୍କା ଜମା କରିବାକୁ ପଡିବ, ତାପରେ ସୋଲାର ପ୍ୟାନେଲ ମାଧ୍ୟମରେ ସୂର୍ଯ୍ୟ କିରଣରୁ ବିଜୁଳି ପାଇବେ, ଦିନରେ ଲଣ୍ଠନ ଦେଖାଉଛି ବିଜେପି ଦଳ ।

ମୁଖ୍ୟମନ୍ତ୍ରୀ କଥାରେ ନୁହେଁ, କାମରେ ବିଶ୍ୱାସ କରନ୍ତି । ଆଳିରେ ଫୁଟବଲ ଟ୍ରେନିଙ୍ଗ ସେଣ୍ଟର ପାଇଁ ୨୦ କୋଟି ଟଙ୍କା, ଲକ୍ଷ୍ମୀନାରାୟଣ ମନ୍ଦିର ପାଇଁ ୮ କୋଟି ଟଙ୍କା, ଆଳି ରାଜକନିକାରେ ଘରେ ଘରେ ପିଇବା ପାଣି ପାଇଁ ୨୪୦ କୋଟି ଟଙ୍କା ଯୋଗାଇ ଦିଆଯାଇଛି ବୋଲି ଆଳିବାସୀଙ୍କୁ ହିସାବ ଦେଇଛନ୍ତି ପାଣ୍ଡିଆନ ।

Leave A Reply

Your email address will not be published.