Latest Odisha News

ପାରଳାଖେମୁଣ୍ଡି ACF ମୃତ୍ୟୁ ମାମଲା: ସୌମ୍ୟରଞ୍ଜନଙ୍କ ଘରେ ତଦନ୍ତକାରୀ ଟିମ୍

ବାଲେଶ୍ୱର: ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ୭ଦିନ ହେଲାଣି । ତଥାପି ରହସ୍ୟ ଉପରୁ ପରଦା ହଟିନି । ଅଧିକ ଖୋଳତାଡ ଭିତରେ ଆଜି ମୃତ ସୌମ୍ୟରଞ୍ଜନଙ୍କ ବାଲେଶ୍ୱର ଜିଲ୍ଲା ଖଇରା ସ୍ଥିତ ଘରେ ପହଞ୍ଚିଛି ପାରଳାଖେମୁଣ୍ଡି ପୋଲିସର ତଦନ୍ତକାରୀ ଟିମ୍ । ପାରଳାଖେମୁଣ୍ଡି ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ଆସିଛି ୫ ଜଣିଆ ଟିମ୍ ।

ସେମାନେ ସୌମ୍ୟରଞ୍ଜନଙ୍କ ମାଆ, ମାଇଁ ଓ ମାମୁଙ୍କୁ ପଚରାଉଚରା କରିବେ । ସେମାନଙ୍କର ବୟାନ ରେକର୍ଡ କରିବ ପୋଲିସ । ସୌମ୍ୟରଞ୍ଜନଙ୍କ ବାପା ଅଭିଯୋଗ କରିଥିଲେ ଯେ, ବୋହୂ ପୁଅକୁ ମାନସିକ ନିର୍ଯାତନା ଦେଉଥିବା ଫୋନ କରି ସୌମ୍ୟରଞ୍ଜନ ତାଙ୍କ ମାଆ ଓ ମାଇଁଙ୍କୁ ପୂର୍ବରୁ ଫୋନରେ କହିଥିଲେ । ସେହିପରି ସେଠାରୁ ଟ୍ରାନ୍ସଫର କରି ନେଇଯିବାକୁ ବାପାଙ୍କୁ ବି କହିଥିଲେ ସୌମ୍ୟରଞ୍ଜନ ।

ତଦନ୍ତକାରୀ ଟିମ୍ ସୌମ୍ୟରଞ୍ଜନଙ୍କ ପରିବାର ଲୋକଙ୍କ ସହ ତାଙ୍କ ପତ୍ନୀଙ୍କ ବୟାନ ବି ରେକର୍ଡ କରିବ । ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ଏବେ ବାପା ଘର ମୟୂରଭଞ୍ଜ ଜିଲ୍ଲାର କପ୍ତିପଦାରେ ରହୁଛନ୍ତି । ସୌମ୍ୟରଞ୍ଜନଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ଗତକାଲି ଗଜପତି ଡିଏଫଓଙ୍କ ଅଫିସରେ ବି ତଦନ୍ତ କରିଛି ପୋଲିସ । କିଛି ଦସ୍ତାବିଜ ମାଗିଛନ୍ତି ।

ଏହି ଘଟଣାରେ ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା, ଗଜପତି ଡିଏଫଓ ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ ନାଁରେ ହତ୍ୟା ଓ ଷଡ଼ଯନ୍ତ୍ର ମାମଲା ରୁଜୁ କରି ତଦନ୍ତ ଚଳାଇଛି ପୋଲିସ । ସାକ୍ଷ୍ୟ ପ୍ରମାଣ ଯୋଗାଡ଼ ଚାଲିଛି । ଏଯାଏ ୧୧ଜଣଙ୍କ ବୟାନ ରେକର୍ଡ କରି ସାରିଛି ପୋଲିସ ।

Leave A Reply

Your email address will not be published.