ଚେନ୍ନାଇ: ଆଇପିଏଲ୍ ୨୦୨୫ରେ ଏମଏସ୍ ଧୋନି ଖୁବ୍ ଚର୍ଚ୍ଚାରେ । ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ପକ୍ଷରୁ ଖେଳୁଥିବା ଏହି ଖେଳାଳି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ବିପକ୍ଷ ମ୍ୟାଚ୍ରେ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ୯ ନମ୍ବରରେ ବ୍ୟାଟିଂ କରିଥିଲେ। ଆଉ ଦଳ ମ୍ୟାଚ ହାରିଥିଲା । ଶୁକ୍ରବାର ଦିନ ଖବର ଆସିଥିଲା ଯେ ଧୋନି ସିଏସକେର ଅଧିନାୟକ ହୋଇପାରନ୍ତି, କାରଣ ଋତୁରାଜ ଗାୟକୱାଡଙ୍କ ଖେଳିବା ସନ୍ଦେହଜନକ ଥିଲା। କିନ୍ତୁ ଗାୟକୱାଡ ଆଘାତରୁ ସୁସ୍ଥ ହୋଇ ଖେଳିଥିଲେ, ଆଉ ଧୋନି ୱିକେଟ୍ କିପିଂ କରିଥିଲେ।
ଏହି ସମୟରେ ଧୋନିଙ୍କ ଅବସର ନେବା ଚର୍ଚ୍ଚା ମଧ୍ୟ ଜୋର ଧରିଥିଲା। ଶନିବାର, ଏପ୍ରିଲ୍ ୫ ତାରିଖରେ ଚେପକ୍ରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ବିପକ୍ଷ ମ୍ୟାଚ୍ ସମୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏଥିରେ ଧୋନିଙ୍କ ପତ୍ନୀ ସାକ୍ଷୀ ତାଙ୍କ ଝିଅ ଜିଭାକୁ କିଛି କହୁଥିବା ଦେଖାଯାଇଛି। ଭିଡିଓରେ ତାଙ୍କ କହୁଥିବା କଥାକୁ “ଶେଷ ମ୍ୟାଚ୍” ବୋଲି କୁହାଯାଉଛି।
ଧୋନିଙ୍କ ବାପା ପାନ ସିଂ ଧୋନି ଓ ମାଆ ଦେବକୀ ଦେବୀ ମଧ୍ୟ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଉପସ୍ଥିତ ଥିଲେ। ସେମାନେ ନାତୁଣୀ ଜିଭା ସହିତ ଷ୍ଟାଣ୍ଡରେ ବସି ଧୋନିଙ୍କୁ ଉତ୍ସାହିତ କରୁଥିଲେ। ପ୍ରଥମ ଥର ପାଇଁ ଧୋନିଙ୍କ ବାପା-ମାଆ ଷ୍ଟାଡିୟମକୁ ଆସି ତାଙ୍କୁ ଖେଳୁଥିବା ଦେଖିଥିଲେ। ଏହା ଦେଖି ଅନେକେ ଅନୁମାନ କରିଥିଲେ ଯେ ଧୋନି ଏହି ମ୍ୟାଚ୍ ପରେ ଅବସର ନେଇପାରନ୍ତି।
କିନ୍ତୁ ସିଏସକେ ସୋସିଆଲ ମିଡିଆରେ ନିଜର ଅଲଗା ଢଙ୍ଗରେ ଏହି ଅବସର ଚର୍ଚ୍ଚାକୁ ଖାରଜ କରିବାକୁ ଚେଷ୍ଟା କରିଛି। ଟିମ୍ ଏକ୍ସରେ ଏକ ମିମ୍ ପୋଷ୍ଟ କରି “ନୋ କଣ୍ଟେକ୍ସଟ୍” ଲେଖିଥିଲା। ଏହା କିଛି ଲୋକଙ୍କୁ ରହସ୍ୟମୟ ଲାଗିଥିଲେ ମଧ୍ୟ, ସିଏସକେର ମିମ ଲେଖା ଷ୍ଟାଇଲ ବା ଶୈଳୀକୁ ବୁଝୁଥିବା ଲୋକେ ଏହାର ଅର୍ଥ ବୁଝିଥିଲେ। ଏହି ମିମ୍ ଏକ ତାମିଲ ଫିଲ୍ମର କମେଡି ଦୃଶ୍ୟରୁ ନିଆଯାଇଥିଲା, ଯେଉଁଥିରେ ନାୟକ ଗାଁ ଲୋକଙ୍କୁ କହୁଛନ୍ତି ଯେ ଆଲୋଚନା ବନ୍ଦ କରି ଚାଲିଯାଆନ୍ତୁ।
ସେପଟେ ଚେପକ୍ରେ ସିଏସକେ ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ ୨୫ ରନ୍ରେ ହାରିଯାଇଛି। ଟିମ୍ ଲଗାତାର ତିନୋଟି ମ୍ୟାଚ୍ ହାରି ପଏଣ୍ଟ ଟେବୁଲ୍ର ତଳ ଆଡ଼କୁ ଖସି ଯାଇଛି।
Comments are closed.